ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା କଳାକାର ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ଓ ଧାରଣା । କରୋନା ମହାମାରୀ ପାଇଁ ସବୁ ସାଂସ୍କୃତିକ କାର୍ଯ୍ୟ ବନ୍ଦ ହୋଇଯାଇଥିବାରୁ ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ମେଲୋଡି ପାର୍ଟିର ମାଲିକ ଓ କଳାକାରମାନେ । ମେଲୋଡିକୁ ରୋଜଗାରର ମାଧ୍ୟମ କରି ଯେଉଁମାନେ ନିଜର ସମସ୍ତ ଅର୍ଥବଳ ଖଟାଇ ସାଂସ୍କୃତିକ ବାଦ୍ୟଯନ୍ତ୍ର କିଣି ଦୁଇପଇସା ରୋଜଗାର କରି ପେଟ ପୋଷୁଥିଲେ, ତାହା ଏବେ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପଟେ ଘରେ ପଡି ପଡି ବାଦ୍ୟଯନ୍ତ୍ର ସବୁ ନଷ୍ଟ ହେବାକୁ ବସିଲାଣି । ବିଦ୍ୟୁତ୍ ସରଞ୍ଜାମ, ମାଇକ୍ ସବୁ ଖତ ଖାଇବାକୁ ଗଲାଣି । ଏବେ କେମିତି ଚଳିବେ ମେଲୋଡି ମାଲିକମାନେ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି ଭଦ୍ରକ ମେଲୋଡି ମାଲିକ ସଂଘର କର୍ମକର୍ତ୍ତାମାନେ । ତେବେ ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ଆଜି ଭଦ୍ରକ କଳାକାର ସଂଘ ଓ ମେଲୋଡି ମାଲିକମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଥିଲେ । ଯଦି ସରକାର ୭ ଦିନ ଭିତରେ ଏଥିପ୍ରତି ଧ୍ୟାନ ନଦିଅନ୍ତି, ତାହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବା ସହ ପରିବାର ସମୂହ ଆତ୍ମାହୂତି କରିବେ ବୋଲି ଚେତାବନୀ ଦେଇଛନ୍ତି ମେଲୋଡି, କଳାକାର ସଂଘ ।