ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନ୍ଜୀବୀମାନଙ୍କ ପାଇଁ ଗଠିତ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ତଥା ରାଜ୍ୟ ଆଇନ୍ଜୀବୀ ପରିଷଦ ସହଯୋଗରେ ରାଜ୍ୟରେ ସମସ୍ତ ଓକିଲ ସଂଘର ନିର୍ବାଚନ ଆଜି ଅନୁଷ୍ଠିତ ହେଉଥିବାବେଳେ ଭଦ୍ରକ ଓକିଲ ସଂଘର ନିର୍ବାଚନରେ ବର୍ତ୍ତମାନର କାର୍ଯ୍ୟରତ ସଭାପତି ଦିଲ୍ଲୀପ କୁମାର ମହାପାତ୍ର ପୁନଃ ସଭାପତି ନିର୍ବାଚିତ ହୋଇଛନ୍ତି । ଏବଂ ସଂପାଦକ ଭାବେ ପୂର୍ବଥର ପ୍ରତିଦ୍ୱନ୍ଦ୍ୱିତାରେ ହାରିଥିବା ଜିତେନ କୁମାର ପଣ୍ଡା ସଂପାଦକ ଭାବେ ଜୟଯୁକ୍ତ ହୋଇଛନ୍ତି । ସଭାପତି ପଦବୀ ପାଇଁ ବର୍ତ୍ତମାନ କାର୍ଯ୍ୟରତ ସଭାପତି ଦିଲ୍ଲୀପ ମହାପାତ୍ର ଓ ପୂର୍ବତନ ସଂପାଦକ ସନ୍ତୋଷ ଆଚାର୍ଯ୍ୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଅନୁରୂପ ସଂପାଦକ ପଦବୀ ପାଇଁ କାର୍ଯ୍ୟରତ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର ଓ ଗତଥର ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରି ହାରିଥିବା ଜିତେନ୍ଦ୍ର ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । କରୁଣାକର ଦାସ ଉପସଭାପତି ନିର୍ବାଚିତ ହୋଇଥିବାବେଳେ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଗତଥରର ଉପସଭାପତି ଅମିତାବାଳା ଆଚାର୍ଯ୍ୟ, ଶରତ ମହାକୁଡ ପରାଜୟ ବରଣ କରିଛନ୍ତି । ଯୁଗ୍ମ ସଂପାଦକ ଭାବେ ନିକୁଞ୍ଜ ପୁହାଣ ନିର୍ବାଚିତ ହୋଇଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ଚନ୍ଦ୍ରାବତୀ ନାୟକ ପରାଜିତ ବରଣ କରିଛନ୍ତି । ସହକାରୀ ସଂପାଦକ ପଦବୀ ପାଇଁ ଅଭୟ କୁମାର ସେଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଶମ୍ବର ନାୟକଙ୍କୁ ପରାଜିତ କରିଛନ୍ତି । ପାଠାଗାର ସହ ସଂପାଦକ ଅଶୋକ ନାୟକ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉମାକାନ୍ତ ସେଠୀଙ୍କୁ ପରାଜିତ କରିଛନ୍ତି । କୋଷାଧ୍ୟକ୍ଷ ପଦବୀ ପାଇଁ ସୁରେନ୍ଦ୍ର କର ଆଗୁଆ ଅଛନ୍ତି । ତିନିଗୋଟି କାର୍ଯ୍ୟକାରିଣୀ ସଭ୍ୟ ପଦବୀ ପାଇଁ ସଂଜୟ କୁମାର ନାୟକ, ସଂଜୀବ ମହାପାତ୍ର, ସଂଗ୍ରାମ କେଶରୀ ଜେନା ଗଣତିରେ ଆଗୁଆ ଅଛନ୍ତି । ଏହି ନିର୍ବାଚନରେ ମୋଟ ତାଲିକାଭୁକ୍ତ ହୋଇଥିବା ୭୯୬ ସଭ୍ୟଙ୍କ ମଧ୍ୟରୁ ଆଜି ୭୨୩ ଜଣ ସେମାନଙ୍କର ମତଦାନ କରିଥିବା ବିଷୟ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ସରୋଜ ତପନ ଦାସ । ଓକିଲମାନଙ୍କ ନିର୍ବାଚନ ପ୍ରକ୍ରିୟା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ହେଉଥିଲେ ବି ୨୦୧୯ ମସିହାରେ ‘ଜଣେ ଓକିଲ ଗୋଟିଏ ଭୋଟ୍’ ପାଇଁ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ଦେଶ ତମାମ୍ ଗୋଟିଏ ଦିନରେ ତାହା ପୁଣି ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ନିର୍ବାଚନ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଉକ୍ତ ନିର୍ଦ୍ଦେଶନାମା ମୂଳେ ସମସ୍ତ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ମହାମାରୀ କରୋନା ପାଇଁ ଗତବର୍ଷ ନିର୍ବାଚନ ହୋଇନପାରିବାରୁ ୨୦୨୦ ଡିସେମ୍ବର ମାସ ୨୭ ତାରିଖରେ ମାତ୍ର ୩ ମାସ ପାଇଁ ନିର୍ବାଚନ ହୋଇ କାର୍ଯ୍ୟକାରିଣୀ ଦାୟିତ୍ୱ ନେଇଥିଲା ।