Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘର ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଲା , ଦିଲ୍ଲୀପ ମହାପାତ୍ର ସଭାପତି ଓ...

ଭଦ୍ରକ ଓକିଲ ସଂଘର ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଲା , ଦିଲ୍ଲୀପ ମହାପାତ୍ର ସଭାପତି ଓ ସୂର୍ଯ୍ୟକାନ୍ତ କୁଅଁର ସଂପାଦକ ଭାବେ ପୁନର୍ବାର ନିର୍ବାଚିତ

37

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଓକିଲ ସଂଘର ସାଧାରଣ ନିର୍ବାଚନ ଶାନ୍ତି-ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଯଥାକ୍ରମେ ସଭାପତି ଓ ସଂପାଦକ ଭାବେ ଦିଲ୍ଲୀପ ମହାପାତ୍ର ଓ ସୂର୍ଯ୍ୟକାନ୍ତ କୁଅଁର ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି । ଅନୁରୂପ ଉପସଭାପତି ଭାବେ ଅମିତାବାଳା ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର କର ଓ ଯୁଗ୍ମ ସଂପାଦକ ଭାବେ ଗୋପବନ୍ଧୁ ଦୀକ୍ଷିତ ନିର୍ବାଚିତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ନିର୍ବାଚନରେ ସଭାପତି ପଦବୀ ପାଇଁ ପୂର୍ବତନ ସଭାପତି ଦିଲ୍ଲୀପ ମହାପାତ୍ର ଓ ଦେବେନ୍ଦ୍ର ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ସାଧାରଣ ସଂପାଦକ ପଦବୀ ପାଇଁ ପୂର୍ବତନ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଜିତେନ୍ଦ୍ର କୁମାର ପଣ୍ଡା ଓ ସିଦ୍ଧାର୍ଥ ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଯୁଗ୍ମ ସଂପାଦକ ପାଇଁ ଆୟୁବ ଖାଁ, ହୃଷିକେଶ ବେହେରା, ଗୋପବନ୍ଧୁ ଦୀକ୍ଷିତ ଓ କୋଷାଧ୍ୟକ୍ଷ ପଦବୀ ପାଇଁ କମଳିନୀ ନାୟକ ଓ ସୁରେନ୍ଦ୍ର କୁମାର କର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ତିନିଗୋଟି କାର୍ଯ୍ୟକାରିଣୀ ସଭ୍ୟ ପଦବୀ ପାଇଁ ବିଶ୍ୱଜିତ୍ ରାଉତ, ସଂଜୟ କୁମାର ନାୟକ ଓ ସଂଜୀବ କୁମାର ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେମାନେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ଆଇନ୍‌ଜୀବୀ ପରିଷଦ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ରାଜ୍ୟର ସମସ୍ତ ଅଧିବକ୍ତା ସଂଘ ୨୦୧୯ ମସିହାରେ ପ୍ରଣିତ ନିୟମ ମୂଳେ ରାଜ୍ୟର ସମସ୍ତ ସଂଘର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ନିର୍ବାଚନ ହେବା ପାଇଁ ନିର୍ଦ୍ଦେଶ ଥିବାରୁ ଚଳିତବର୍ଷ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଥିଲା । ମାତ୍ର ମହାମାରୀ କରୋନା କଟକଣା ପାଇଁ ଏହି ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାକୁ ଚ୍ୟାଲେଞ୍ଜ କରି କିଛି ଆଇନ୍‌ଜୀବୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ । ଫଳରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସଂପୃକ୍ତ ସଂଘର ଏକ ଅନ୍ତରୀଣ କମିଟି ଗଠନ କରାଯାଇ କାର୍ଯ୍ୟ କରିଆସୁଥିବାବେଳେ ଚୂଡାନ୍ତ ରାୟରେ ରାଜ୍ୟ ବାର୍ କାଉନ୍‌ସିଲକୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ହେବା ପରେ ମାତ୍ର ୩ ମାସ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ଭଦ୍ରକରେ ୭୬୦ ଜଣ ଆଇନ୍‌ଜୀବୀଙ୍କ ନାମ ଭୋଟର ଲିଷ୍ଟରେ ଥିବାବେଳେ ଆଜି ୬୬୪ ଜଣ ଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଛନ୍ତି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଅଧିବକ୍ତା ସନ୍ତୋଷ ନାୟକ ରହିଥିବାବେଳେ ତାଙ୍କୁ ସରୋଜ ତପନ ଦାସ, ହରିହର ଧଳ, ଲଲାଟେନ୍ଦୁ ଦୀକ୍ଷିତ୍‌, ଦୀପକ କୁମାର ସାହୁ, ଅଂଜୁବାଳା ରାଉତ ଓ ଅଜୟ ମହାନ୍ତି ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.