Home ଜିଲ୍ଲା ପରିକ୍ରମା ଭଦ୍ରକର ଗଣପର୍ବ କାଳୀପୂଜାର ଭସାଣି ଉତ୍ସବ

ଭଦ୍ରକର ଗଣପର୍ବ କାଳୀପୂଜାର ଭସାଣି ଉତ୍ସବ

30

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧୨ ତାରିଖରୁ ଆରମ୍ଭ ୭ଦିନ ଧରି ପାଳିତ ହୋଇଆସୁଥିବା ଭଦ୍ରକର ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା ଆଜି ଭସାଣି ଉତ୍ସବ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ୧୨ ତାରିଖ ରାତିରୁ ଆରମ୍ଭ ହୋଇଥିଲା ମା’ଙ୍କ ପାରମ୍ପରିକ ପୂଜାର୍ଚ୍ଚନା । ସହରର ୯ଟି ସ୍ଥାୟୀ ମଣ୍ଡପରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥିବାବେଳେ ପ୍ରଶାସନ ଓ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ପୂର୍ବ ନିର୍ଦ୍ଧାରିତ ବୈଠକର ନିଷ୍ପତ୍ତି ଅନୁଯାୟୀ ମା’ ଙ୍କ ବିସର୍ଜନ ପର୍ବ ଆରମ୍ଭ ହୋଇଛି । ଚରମ୍ପାର ଟ୍ରାଫିକ୍ କାଳୀ ମେଢ, ପିଡବ୍ଲ୍ୟୁଆଇ ମେଢ, ପଥରକାଳୀ ମେଢ, ହାଇସ୍କୁଲ ବାସନ୍ତୀଦୁର୍ଗା ମେଢ, ଏରେଇଁ ମେଢ, ରାଜଘାଟ ମେଢ ଭଳି ମା’ ଙ୍କର ଭସାଣି ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ବାଦ୍ୟ ଓ ନାଚ-ଗୀତରେ ମା’ଙ୍କୁ ବିଦାୟୀ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ କାଳୀପୂଜା ଭଦ୍ରକର ଗଣପର୍ବର ମାନ୍ୟତା ପାଇସାରିଛି । କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ପୂଜା ମାହୌଲ ଜୋରଦାର ଅନୁଭୂତ ହୋଇଥାଏ । ଚଳିତବର୍ଷ ଭଦ୍ରକ ସହରରେ ୭ ଦିନ ଧରି ଅନୁଷ୍ଠିତ ହୋଇ ଚଳଚଞ୍ଚଳ ହୋଇଉଠିଥିଲା । ବିଶେଷତଃ ଚରମ୍ପାରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥାଏ । ମୀନାବଜାର ଠାରୁ ଆରମ୍ଭ କରି ଅପେରା ପ୍ରଦର୍ଶନ ପର୍ଯ୍ୟନ୍ତ ଜିଲାବାସୀ ବେଶ୍ ମଜା ଉଠାଇଥାନ୍ତି । ମୋଟାମୋଟି ଭାବେ ସହରରେ ଏହି ୭ ଦିନ, ରାତି ଏକ ହୋଇଯାଇଥାଏ । ଅପରପକ୍ଷେ ମା’ ଭଦ୍ରକାଳୀ ପୀଠ, ପଥରକାଳୀ ପୀଠ, ଦକ୍ଷିଣେଶ୍ୱର କାଳୀ ପୀଠ ଓ ପୁରୁଣାବଜାର ବାନାର୍ଜୀ ପରିବାର ପକ୍ଷରୁ ବିଧି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ଭସାଣି ଉତ୍ସବକୁ ଲକ୍ଷ୍ୟ କରି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.