Home ଜିଲ୍ଲା ପରିକ୍ରମା ଭଦ୍ରକର ଐତିହାସିକ କାଳୀପୂଜାକୁ ପ୍ରଶାସନର ଅଣଦେଖା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ !, ପୂଜା ୭ ଦିନ...

ଭଦ୍ରକର ଐତିହାସିକ କାଳୀପୂଜାକୁ ପ୍ରଶାସନର ଅଣଦେଖା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ !, ପୂଜା ୭ ଦିନ ବଦଳରେ ୧୦ ଦିନ ବୃଦ୍ଧି କରିବାକୁ ଜିଲାପାଳଙ୍କୁ ଦାବିପତ୍ର

22

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା ଆଉ ମାତ୍ର ୧୫ ଦିନ ବାକିଥିବାବେଳେ ଏହାର ସମୟସୀମାକୁ ନେଇ ପୁଣି ଚଳିତବର୍ଷ ଦ୍ୱନ୍ଦ୍ୱ ଉପୁଜିଛି । ତେବେ ଏବର୍ଷର ପୂଜା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଏକ ଶାନ୍ତି କମିଟି ବୈଠକ ବସିଥିଲା । ସେଥିରେ ସମସ୍ତ ପୂଜା କମିଟିର ସଭାପତି ଓ ସଂପାଦକମାନେ ଯୋଗଦେଇଥିଲେ । ବହୁ ଆଲୋଚନା ତର୍ଜମା ପରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଚଳିତବର୍ଷର ପୂଜାର ସମୟସୀମା ୮ ଦିନ ରଖାଯାଇ ୨୦ ତାରିଖ ଦିନ ଭସାଣି ହେବାର ସିଦ୍ଧାନ୍ତ ନେଇଥିଲେ । କିନ୍ତୁ ଇତିମଧ୍ୟରେ ଗତ ଦୁଇଦିନ ତଳେ ଜିଲା ପ୍ରଶାସନର ଅନ୍ୟ ଏକ ବୈଠକ ବସି ଏହି ପୂଜାର ଅବଧି ୭ ଦିନକୁ କମାଯାଇ ୧୮ ତାରିଖ ମଧ୍ୟରାତ୍ରିରୁ ୧୯ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଭସାଣି ହେବ ବୋଲି ବିଭିନ୍ନ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ଏବେ ଦେଖାଦେଇଛି ବିବାଦ । ଏ ସଂପର୍କରେ ଗତକାଲି ସନ୍ଧ୍ୟାରେ ଚରମ୍ପାରେ ବିଭିନ୍ନ କାଳୀପୂଜା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ପ୍ରଶାସନର ଉପରୋକ୍ତ ନିଷ୍ପତ୍ତିକୁ ବିରୋଧ କରାଯାଇ ଦୃଢ ନିନ୍ଦା କରାଯାଇଛି ।

ବାସନ୍ତୀ ଦୁର୍ଗାପୂଜା କମିଟିର ମୁଖ୍ୟ ଉପଦେଷ୍ଟା ଭାଗବତ ପଢିଆରୀ, ଡଗରାସାହି ପୂଜା କମିଟିର ସଂପାଦକ ସୁବ୍ରତ ଦାସ, ଶ୍ୟାମ ଗୁପ୍ତା ପ୍ରମୁଖ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଚଳିତବର୍ଷର ପ୍ରଥମ ବୈଠକରେ ଜିଲାପାଳ ନିଜ ପକ୍ଷରୁ ପୂଜାର ସମୟସୀମା ୮ ଦିନ ରଖାଯାଇ ୨୦ ତାରିଖ ଦିନ ଭସାଣି ହେବ ବୋଲି ନିଷ୍ପତ୍ତି ଶୁଣାଇଥିଲେ । ଯାହାକୁ ପୂଜାର କର୍ମକର୍ତ୍ତାମାନେ ବିରୋଧ କରିଥିଲେ । ସେମାନଙ୍କ ଯୁକ୍ତି ମୂଳେ ଗତବର୍ଷ ଜିଲାପାଳ ବାସୁଦେବପୁରରେ ବାଇ ଇଲେକ୍ସନ ଥିବାରୁ ପୂଜା ୭ ଦିନ କରିବାକୁ ଅନୁରୋଧ କରିଥିଲେ । ଏବଂ ଏଥିପ୍ରତି ସମସ୍ତଙ୍କ ସହଯୋଗ ଲୋଡି ଚଳିତ ବର୍ଷ ସମୟସୀମା ବୃଦ୍ଧି କରି ୯ ଦିନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଜିଲା ପ୍ରଶାସନ ପ୍ରଥମେ ଯେଉଁ ନିଷ୍ପତ୍ତି ନେଲେ ପରବର୍ତ୍ତୀ ସମୟରେ ତାହାକୁ ବଦଳାଇବା ନେଇ ସମସ୍ତ ପୂଜା କମିଟି ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏହି ଐତିହାସିକ କାଳୀପୂଜାକୁ କେବଳ ଓଡ଼ିଶା ନୁହେଁ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଆସୁଥିବାରୁ ତାହା ୧୦ ଦିନ ପର୍ଯ୍ୟନ୍ତ ଚାଲେ । କିନ୍ତୁ ଚଳିତବର୍ଷ ଜିଲା ପ୍ରଶାସନ ତାର ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ନେଇ ପୂଜା କମିଟି ପକ୍ଷରୁ ଆଜି ଜିଲାପାଳଙ୍କୁ ପୂର୍ବଭଳି ପୂଜାର ଅବଧି ଓ ଭସାଣି ସମୟସୀମା ବୃଦ୍ଧି କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.