ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ କରି ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକ ସହର ବନ୍ଦ କରାଯାଇଥିଲା । ସକାଳ ୬ଟା ଠାରୁ ଏହି ବନ୍ଦ ଆରମ୍ଭ ହୋଇ ସନ୍ଧ୍ୟା ୬ରେ ଶେଷ ହୋଇଥିଲା । କଚେରୀ ବଜାର, ବନ୍ତ ଛକ, ଚରମ୍ପା ଚରମ୍ପା ବଜାର, ବାଇପାସ୍ ଛକ, ହଳଦୀଡିହ ବାଇପାସ୍ ଛକ, ବାଙ୍କାବଜାର, ପୁରୁଣାବଜାର, ପାନଅଡତ୍, କଦମବେଢା ସମେତ ସହରର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟଅଫିସ୍, ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଥିଲା । ଦଳ ପକ୍ଷରୁ ୧୬ ନଂ ରାଜପଥକୁ ନୂଆ ବସ୍୍ଷ୍ଟାଣ୍ଡ ଠାରେ ଅବରୋଧ କରାଯାଇଥିଲା । ଆନ୍ଦୋଳନକାରୀମାନେ ସହର ତମାମ୍ ମୋଟର ସାଇକେଲ ଶୋଭାଯାତ୍ରା କରି ବିଭିନ୍ନ ଛକ, ସରକାରୀ କାର୍ଯ୍ୟାଳୟ ଆଗରେ ପିକେଟିଂ କରି ବନ୍ଦ କରାଇଥିଲେ । ବନ୍ତ ଛକ, ହଳଦିଡିହ ଛକ, ଚରମ୍ପା ଓ ନୂଆ ବସ୍ଷ୍ଟାଣ୍ଡ ଠାରେ ପଥପ୍ରାନ୍ତ ସଭା କରାଯିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଦିନ ୧୦ଟା ଠାରୁ ଦିନ ୨ ଟା ପର୍ଯ୍ୟନ୍ତ କରାଯାଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ୍ ଦାସ ଅଧ୍ୟକ୍ଷତା କରିଥିଲେ । ଭଦ୍ରକ ଜିଲ୍ଲା ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ଯୋଗୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀକୁ ବହୁଦିନ ଧରି ଅଣଦେଖା କରାଯାଇଛି । ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଉପଯୁକ୍ତ ସେବା ପାଇ ପାରୁ ନାହାନ୍ତି । କରୋନା ଆଳ ଦେଖାଇ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେଉଛନ୍ତି । ସାଧାରଣ ରୋଗୀଙ୍କୁ କଟକ ରେଫର କରିବା ଏକ ନିତିଦିନିଆ ଘଟଣା । ଭଦ୍ରକ ଜିଲ୍ଲାର ଡାକ୍ତରଖାନାକୁ ଗୁଡିକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ଆଣିବାରେ ସରକାର ଓ ଶାସକ ଦଳର ନେତା ବିଫଳ । ଭଦ୍ରକ ମେଡିକାଲରେ ଭେଂଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ । କୋବିଡ଼ ପରିଚାଳନାରେ ଜିଲ୍ଲା ପ୍ରଶାସନ ଓ ଶାସକ ମିଳିତ ଭାବରେ କୋଟି କୋଟି ଟଙ୍କା ଲୁଟ କରିଛନ୍ତି । ଯାହାର ହିସାବ ଜନସାଧାରଣଙ୍କ ଆଗରେ ଜିଲ୍ଳା ପ୍ରଶାସନ ଉପସ୍ଥାପନ କରୁ । ତୁରନ୍ତ ମେଡିକାଲ କଲେଜ ସ୍ଥପାନ କରି ଜିଲ୍ଲାର ସ୍ୱାସ୍ଥ୍ୟ ଅବସ୍ଥାକୁ ସୁଧାର କରିବାକୁ ଦଳ ପକ୍ଷରୁ ଦାବୀ କରାଯାଇଥିଲା । ଆଜିର ଏହି ବନ୍ଦକୁ ଜନସାଧାରଣ, ବ୍ୟବସାୟୀ, ବିଭିନ୍ନ ସଂଗଠନମାନେ ସମର୍ଥନ ଜଣାଇ ଏହାକୁ ସଫଳ କରାଇଥିବାରୁ ଜିଲ୍ଳା ସଭାପତି ଶ୍ରୀ ଦାସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ପରେ ଯଦିି ରାଜ୍ୟ ସରକାର ଭଦ୍ରକର ଏହି ହକ୍ ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଜିଲ୍ଲା ସମେତ ଜିଲ୍ଲାର ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ । ଦରକାର ହେଲେ ଏହି ଦାବୀକୁ ନେଇ ବିଧାନସଭା ଓ ବିଧାନସଭା ବାହାରେ ମଧ୍ୟ ଆନ୍ଦୋଳନ କରାଯିବ ବୋଲି ଦାସ ଚେତାବନୀ ଦେଇଥିଲେ ।
ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି କହିଥିଲେ ଯେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଜିଲ୍ଲାବାସୀଙ୍କ ନ୍ୟାର୍ଯ୍ୟ ଦାବୀ । ଜିଲ୍ଲାର ସାଂସଦ, ୪ଜଣ ବିଧାୟକ ଶାସକ ଦଳରେ ଥାଇ ଯଦି ମେଡିକାଲ କଲେଜ ସ୍ଥାପନ ନ ହୋଇ ପାରୁଛି ତେବେ ଇତିହାସ ସେମାନଙ୍କୁ କେବେ କ୍ଷମା ଦେବ ନାହିଁ । ଜିଲ୍ଲାର ବୃହତ୍ତର ସ୍ୱାର୍ଥ ମେଡିକାଲ କଲେଜ ପାଇଁ ନିଜ ସ୍ୱାର୍ଥକୁ ପରିତ୍ୟାଗ କରି ଶାସକ ଦଳର ସାଂସଦ ଓ ବିଧାୟକମାନେ ଯଦି ଆଗକୁ ଆସି ଆନ୍ଦୋଳନ କରନ୍ତି ତେବେ ଜିଲ୍ଲା କଂଗ୍ରେସ ମଧ୍ୟ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପ୍ରକାଶ କରିଥିଲେ । ପରେ ଆନ୍ଦୋଳନକାରୀମାନେ ସାଂସଦ ଓ ୪ ବିଧାୟକଙ୍କ ପୁତ୍ତଳା ଦାହ କରିଥିଲେ । ଦୀର୍ଘ ସମୟ ଧରି ରାଜପଥ ଅବରୋଧ ପରେ ଭଦ୍ରକ ତହସିଲଦାର ଓ ଜିଲ୍ଲା ମୁଖ୍ୟ ଚିକିିତ୍ସାଧିକାରୀ ନୂଆ ବସ୍ଷ୍ଟାଣ୍ଡ ଠାରେ ପହଞ୍ଚି ମେଡିକାଲରେ ଥିବା ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେବା ସହ ଦଳ ପକ୍ଷରୁ ଦିଆଯାଇଥିବା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଗ୍ରହଣ କରିଥିଲେ । ପରେ ରାଜପଥ ଅବରୋଧ ହଟିଥିଲା । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଦାସ, ଦିଗମ୍ବର ଦାସ, ବିଦ୍ୟାଧର ଯେନା, ଅଭିଷେକ ରାଉତ, ଅବଦୁଲ ମୁକିତ ଖାଁ, ଦିଲିପ ନାୟକ, ବିଜୟ ଶଙ୍କର ମହାନ୍ତି, ନାରାୟଣ ପାଢୀ, ପ୍ରଫୁଲ୍ଲ ସାମଲ, ବାବୁଲି ଚାନ୍ଦ, ସବିତା ଚାନ୍ଦ, ରାଜକିଶୋର ସ୍ୱାଇଁ,ସେକ୍ ସମ୍ଦାନୀ, ସେକ୍ କାଲାମ, ପୀତବାସ ଧଳ, ଅସ୍ରଫ୍ ଅଲ୍ଲୀ ଖାଁ, ପ୍ରସନ୍ନ ଧଳ, ନିଶିକାନ୍ତ ନାୟକ, ସେକ୍ ନଇମ୍, ପ୍ରଦ୍ୟୁମ୍ନ ଦାସ, ବିଜୟ ବାରିକ, ରାଜକିଶୋର ପଣ୍ଡା, ହେମନ୍ତ ମହାପାତ୍ର, ନିରଂଜନ ମଲ୍ଲିକ, ରମେଶ ଭାରତୀଙ୍କ ସମେତ ଶତାଧିକ କଂଗ୍ରେସ ନେତା, କର୍ମୀ ଯୋଗ ଦେଇଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସୁଧାକର ରାଉତ, ଡା. ହରେକୃଷ୍ଣ ନାୟକ, ବୈଲୋଚନ ବେହୁରିଆ, ଶାନ୍ତନୁ କୁମାର ରାଉତ, ଉପେନ୍ଦ୍ର ରାଉତ ଓ ବହୁ ବୁଦ୍ଧିଜୀବୀ, ଛାତ୍ର, ବ୍ୟବସାୟୀ ସାମିଲ ହୋଇଥିଲେ ।