Home ଜିଲ୍ଲା ପରିକ୍ରମା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପିର ସାମ୍ବାଦିକ ସମ୍ମିଳନୀ , ୧୪ରେ ଜିଲ୍ଲାପାଳ ଅଫିସ...

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପିର ସାମ୍ବାଦିକ ସମ୍ମିଳନୀ , ୧୪ରେ ଜିଲ୍ଲାପାଳ ଅଫିସ ଓ ୧୫ରେ ସମସ୍ତ ବ୍ଳକ ସଦର ମହକୁମାରେ ଆନ୍ଦୋଳନ

34

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ସରକାରୀ ମେଡିକାଲ କଳେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ୱେ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଆଜି ପର୍ଯ୍ୟନ୍ତ ଏହା ସମ୍ଭବ ହୋଇ ପାରିଲା ନାହିଁ । ଭଦ୍ରକ ନୂତନ ଜିଲ୍ଲା ଭାବେ ଦୀର୍ଘ ୨୭ ବର୍ଷ ପୂର୍ବରୁ ସ୍ୱୀକୃତି ପାଇଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ପଛରେ ପଡି ରହିଛି । ରାଜ୍ୟ ସରାକର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଦ୍ୟ ଘୋଷଣା କରିଥିଲେ ହେଁ ସେଥିରେ ଭଦ୍ରକର ନାମ ନ ଥିବା ଜିଲ୍ଲାରେ ଶାସକ ଦଳର ୪ଜଣ ବିଧାୟକ ଓ ବିଜେଡି ସାଂସଦଙ୍କ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଭଦ୍ରକରେ ମେଡିକାଲ କଳେଜ ପ୍ରତିଷ୍ଠା ପାଇଁ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଜିଲ୍ଲାବାସୀ ଦାବୀ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କେନ୍ଦ୍ରକୁ ଏକ ବିଧିବଦ୍ଧ ପ୍ରସ୍ତାବ ପଠାଇବାରେ ବିଫଳ ହୋଇଛି ବୋଲି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନରେ କହିଛନ୍ତି । ମେଡିକାଲ କଲେଜ ପାଇଁ ବିଭିନ୍ନ ସମୟରେ ଏହି ଦାବୀକୁ ନେଇ ଧର୍ମଘଟ, ଆନ୍ଦୋଳନ, ଧାରଣା ଓ ଜିଲ୍ଲା ବନ୍ଦ ଭଳି କାର୍ଯ୍ୟକ୍ରମ ଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ର, ଯୁବକ ଓ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଥିପ୍ରତି ଅକୁଣ୍ଠ ସମର୍ଥନ ଓ ସହଯୋଗ ଜାରି ରଖିଆସିଛି । ବିଭିନ୍ନ ସମୟରେ ଦଳ ପକ୍ଷରୁ ତତ୍‌କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟମନ୍ତ୍ରୀ ଅଶ୍ୱିନୀ ଚୌବେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିବା ସହିତ ଆଲୋଚନା କରାଯାଇଛି । ଗତ ସାଧାରଣ ନିର୍ବାଚନ ପରେ ଭଦ୍ରକ ଜିଲ୍ଲାରୁ ନିର୍ବାଚିତ ଦଳର ଏକମାତ୍ର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବିଧାନସଭାରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଶାସକ ଦଳର ୪ଜଣ ବିଧାୟକ ଥାଇ ମଧ୍ୟ ଥରେ ବୋଲି ମେଡିକାଲ କଲେଜ ପାଇଁ ସ୍ୱର ନ ଉଠାଇବା ଅତ୍ୟନ୍ତ ଲଜ୍ୟାକର ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ଧଳ କହିଥିଲେ ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗତ ଫେବୃଆରୀ ୧୭ ତାରିଖ ପତ୍ରଲେଖି କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ପ୍ରସ୍ତାବ ପଠାଇବାକୁ ଅନୁରୋଧ ମଧ୍ୟ କରିଛନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୬୦ ପ୍ରତିଶତ ଅର୍ଥ ଯୋଗାଇ ଦେବେ ଓ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଆନୁସଂଗିକ ଖର୍ଚ୍ଚ ବହନ କରିବେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ହୋଇଛି । ସେଥିପାଇଁ ବିଧିବଦ୍ଧ ଭାବେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେବାର ୯ ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ହସ୍ତଗତ ନହେବା ନେଇ ଦଳ ପକ୍ଷରୁ ଉଦ୍‌ବେଗ ପ୍ରକଟ କରାଯାଇଥିଲା । ଭଦ୍ରକର ଏହି ହକ୍ ପାଇଁ ଆଗାମୀ ୧୪ ତାରିଖରେ ବିଜେପି ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯିବ ଏବଂ ୧୫ ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ ସଦର ମହକୁମାରେ ଦଳପକ୍ଷରୁ ଧାରଣା ପ୍ରତିବାଦ ସଭା କରାଯିବ ବୋଲି ସମ୍ମିଳନୀରେ ସୂଚନା ଦିଆ ଯାଇଛି । ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ମାଧବାନନ୍ଦ ମଲ୍ଲିକ, ଶ୍ରୀହର୍ଷ ସ୍ୱାଇଁ, ଶଶିକାନ୍ତ ବିଶ୍ୱାଳଙ୍କ ସମତେ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.