ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏବେ ଧଳାଜହର ରୂପୀ ବ୍ରାଉନସୁଗାର ପେଣ୍ଠସ୍ଥଳ ପାଲଟିଗଲାଣି । ଆଜି କୋଭିଡ୍-୧୯ ଜନିତ ଲକଡାଉନ୍ ସମୟରେ ଭଦ୍ରକ ସହରାଞ୍ଚଳ ଥାନା ପକ୍ଷରୁ ଏମ୍ଭିଆଇ ଚେକିଂର ପାଟ୍ରୋଲିଂ ବେଳେ ୩ ଜଣ ଯୁବକଙ୍କ ନିକଟରୁ ୧୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତକାଲି ରାତିରେ ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ର ଏକ ଟିମ୍ ଏମ୍ଭିଆଇ ଚେକିଂର ପାଟ୍ରୋଲିଂ କରୁଥିବା ସମୟରେ ପୌରାଞ୍ଚଳ ଅଧୀନସ୍ଥ କଣ୍ଟାବଣିଆ ଗ୍ରାମର ପେଟ୍ରୋଲ ପମ୍ପ ନିକଟରେ ୩ ଜଣ ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଅଟକାଇଥିଲା । ତନଖି ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଉଦପୁର ଗ୍ରାମର ଶଶାଙ୍କ କୁମାର ଦେ ଙ୍କ ପୁତ୍ର ବିଶାଲ (୨୩), ଅର୍ଣ୍ଣପାଳ ବିଷ୍ଣୁପୁର ଗ୍ରାମର ସେକ୍ ଜଇନାତୁଲ୍ଲାଙ୍କ ପୁତ୍ର ସେକ୍ ରହିମତୁଲ୍ଲା (୨୩) ଓ ବାସୁଦେବପୁର ଥାନା ଅଧୀନସ୍ଥ ପଢୁଆଁ ଗ୍ରାମର ମାନସ ଦାସଙ୍କ ପୁତ୍ର ରୁଦ୍ର ଓରଫ ସୋନୁ (୨୦) ଙ୍କ ନିକଟରୁ ୧୦ ଗ୍ରାମ ଓଜନର ବ୍ରାଉନସୁଗାର ସହ ଏକ ସାଇକେଲ୍ ଜବତ କରି ଏକ ମାମଲା ନଂ ୨୫୧, ଦଫା ୨୧ (ବି) ଅଫ୍ ଏନ୍ଡିପିଏସ୍ ଆକ୍ଟ ମୂଳେ ଗିରଫ କରି ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି । ପ୍ରାଥମିକ ତଦନ୍ତରେ ଏହି ଯୁବକମାନେ ଏକ ବ୍ରାଉନ୍ସୁଗାରକୁ ସ୍ଥାନୀୟ କୁଆଁସ ଗ୍ରାମକୁ ଚୋରା ଚାଲାଣ ପାଇଁ ନେଉଥିବାର ଜଣାପଡିଛି ।