ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ନୂତନ ଜିଲାପାଳ ଭାବେ ତ୍ରିଲୋଚନ ମାଝୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଜିଲାପାଳ ଶ୍ରୀ ମାଝୀ ଏହାପୂର୍ବରୁ ସମ୍ବଲପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଆସୁଥିଲେ । ଭଦ୍ରକର ପୂର୍ବତନ ଜିଲାପାଳ ଡ. ଜ୍ଞାନ ଦାସ ଭଦ୍ରକରେ ୪ ବର୍ଷ ଦାୟିତ୍ୱ ତୁଲାଇ ଆସିଥିବାବେଳେ ସେ ପଞ୍ଚାୟତରାଜ ବିଭାଗର ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଛନ୍ତି । ନୂତନ ଜିଲାପାଳ ଶ୍ରୀ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପୂର୍ବକ ରୋଗୀମାନଙ୍କ ସମସ୍ୟା ପଚାରି ବୁଝିଥିବାର ଦେଖାଯାଇଥିଲା । ଆଜି ନୂତନ ଜିଲାପାଳ ଶ୍ରୀ ମାଝୀ ଦାୟିତ୍ୱ ଗ୍ରହଣ କରିବା ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା ।