ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମୁସ୍ଲିମ୍ ସଂପ୍ରଦାୟଙ୍କ ବଳିଦାନର ପର୍ବ ‘ଇଦ୍-ଉଲ୍-ଜୁହା’ ଭଦ୍ରକ ସହରରେ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ପର୍ବକୁ ମୁସ୍ଲିମ୍ ଧର୍ମାବଲମ୍ବୀମାନେ ପ୍ରଶାସନର ନିର୍ଦ୍ଦେଶ ଏବଂ ଚଉଦ ମହଲା ମୁସ୍ଲିମ୍ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ବଜାୟ ରଖି ପବିତ୍ର ଇଦ୍ଗାହ ଓ ମସ୍ଜିଦ୍ରେ ନମାଜ ପାଠ କରିଛନ୍ତି । ମହାମାରୀ କରୋନା ପାଇଁ ଜାରି ହୋଇଥିବା ସଟଡାଉନ୍ରେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଡା କଟକଣା ଲଗାଯାଇଥିବାରୁ ଏହି ପର୍ବକୁ ବେଶ୍ ସତର୍କତାର ସହ ପାଳନ କରିଛନ୍ତି ମୁସ୍ଲିମ୍ ସଂପ୍ରଦାୟ । ବିଶେଷକରି ଇଦ୍ଗାହ ଓ ମସ୍ଜିଦରେ ୫ ଜଣ କରି ମୁସ୍ଲିମ୍ ଧର୍ମାବଲମ୍ବୀମାନେ ଆସି ନମାଜ ପାଠ କରିଛନ୍ତି । ଅନ୍ୟମାନେ ନିଜ ନିଜ ଘରେ ରହି ନମାଜପାଠ କରିଥିବାର ଦେଖିବାକୁ ମିଳିଛି । ତେବେ ଭଦ୍ରକ ସହରରେ ଥିବା ଇଦ୍ଗାହରେ ଆଜିର ଦିନରେ ହଜାର ହଜାର ମୁସଲମାନ ସମୂହ ନମାଜପାଠ କରିଆସୁଥିବାବେଳେ ଆଜି ମାତ୍ର ୫ ଜଣରେ ସୀମିତ ରହିଥିଲା ଏହି ନମାଜ ପାଠ । ବିଶେଷକରି ନିରାଡମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂତନ ବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଘରେ ରହି ଏହି ପର୍ବକୁ ପାଳନ କରିଛନ୍ତି । ଆଜିର ଏହି ପର୍ବକୁ ଶୃଙ୍ଖଳିତ କରିବା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।