ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଟାଉନ ବସ୍ର ଆବଶ୍ୟକତା ଥିବା ବେଳେ ବିଜେଡ଼ି ସରକାର ଭଦ୍ରକବାସୀଙ୍କୁ ସେତକ ଯୋଗାଇବାରେ ଅକ୍ଷମ । ଏପରିକି କଂଗ୍ରେସ ସମୟରେ ଚାଲୁଥିବା ଟାଉନ ବସ୍କୁ ବିଜେଡ଼ି ସରକାର ସମୟରେ ନିଲାମରେ ବିକ୍ରି କରି ଭଦ୍ରକବାସୀଙ୍କୁ ମୌଳିକ ସବାରୁ ବଞ୍ଚିତ କରିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର ଆରୋପ କରିଛନ୍ତି । ସେ କହିଛନ୍ତି ଯେ ୧୯୯୨ ମସିହାରେ ବୀରେନ ପଲେଇଙ୍କ ସମୟରେ ୩ଟି ବସ୍ କିଣା ଯାଇ ଗୋଟିଏ ଭଦ୍ରକାଳୀରୁ କଚେରୀ ବଜାର, ଗୋଟିଏ ରାଣୀତାଲରୁ କଚେରୀ ବଜାର ଏବଂ ଅନ୍ୟଟି ପୁରୁଣାବଜାରରୁ ଭଦ୍ରକ ମାର୍କେଟ କଭର କରି ଚଳାଚଳ କରୁଥିଲା । ମାତ୍ର ଉକ୍ତ ବସ୍ ଗୁଡ଼ିକୁ ନ ଚଳାଇ, ସାମାନ୍ୟ ଅସୁବିଧା ଥିବା ବସ୍କୁ ମରାମତି ନକରି ପୌରପାଳିକା ହତାରେ ପକାଇ ପକାଇ ଶେଷରେ ବିଜେଡ଼ି ବାଲା ୨୦୦୩ରେ ନିଲାମ କରିଦେଲେ । ଯେତେବେଳେ ପୌରପାଳିକାର ଲୋକସଂଖ୍ୟା ୬୦ରୁ ୭୦ ହଜାର ଥିଲା ସେତେବେଳେ କଂଗ୍ରେସ ଟାଉନ ବସ୍ ଚଳାଇଥିଲା । ମାତ୍ର ଏବେ ପୌରପାଳିକାରେ ଲୋକସଂଖ୍ୟା ୪ ଲକ୍ଷ ପହଞ୍ଚିଥିଲେ ବି ସରକାରଙ୍କ ଚେତା ପଶୁନାହିଁ । ଯେତେବେଳେ କି ଭଦ୍ରକ କୋର୍ଟ ସହରଠାରୁ ୯ କିମି ଦୂର, ଅତ୍ୟାବଶ୍ୟକ ମେଡ଼ିକାଲ ସେବା ସହରଠାରୁ ୩ କିମି ଦୂର, ରେଳ ଷ୍ଟେସନ ୫ କିମି ଦୂର, ଏକମାତ୍ର ଶିଳ୍ପାନୁଷ୍ଠାନ ଫେକର ୪ କିମି ଦୂର ସେତେେବେଳ ଟାଉନ ବସ ଚଳାଇବାର ଆବଶ୍ୟକତାକୁ ସରକାର ଅନୁଭବ କରି ପାରୁନାହାନ୍ତି । ତୁରନ୍ତ ସରକାର ଭଦ୍ରକ ସହରର ରାସ୍ତାଘାଟ ମରାମତି ଓ ଚଉଡ଼ା କରିବା ସହ ଟାଉନ ବସ୍ ସେବା ପ୍ରଚଳନ ନକଲେ କଂଗ୍ରେସ ଖ୍ରୁବ୍ ଶୀଘ୍ର ଆନ୍ଦୋଳନ କରିବ ବୋଲି ଶ୍ରୀ ରାୟ ମହାପାତ୍ର ଚେତବାନୀ ଦେଇଛନ୍ତି । ଏହି ପ୍ରେସ୍ମିଟ୍ରେ ଧାମନଗର କଂଗ୍ରେସ ନେତା ବିଦ୍ୟାଧର ଯେନା, ଜିଲ୍ଳା ଯୁବ କଂଗ୍ରେସ ସଭାପତି ଇଲିୟାସ୍ ଖାଁ, ଭଦ୍ରକ ବିଧାନସଭା ଯୁବ ସଭାପତି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।







