ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅହେମଦୀୟା ମୁସଲିମ୍ ଜମାତ୍ ଭଦ୍ରକ ଶାଖା ପକ୍ଷରୁ ଜଲସା ସାଲାନା(ବାର୍ଷିକ ସମ୍ମିଳନୀ) ହର୍ଷ ଉଲ୍ଲାସର ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ମଦିନା ମଇଦାନ , ପୁରୁଣାବଜାର ସ୍ଥିତ ଅହେମଦୀୟା ମସଜିଦ୍ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅହେମଦୀୟା ମୁସଲିମ୍ ଜମାତ୍ ଭଦ୍ରକ ଶାଖାର ସଭାପତି ଅବଦୁଲ କାଦର ସାହହେବଙ୍କ ସଭାପତିତ୍ୱରେ ମସଜିଦ ସଭାଗୃହରେ ଏକ ସାଧ୍ୟାକଳୀନ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ପବିତ୍ର କୋରାନ ଏବଂ ଉର୍ଦ୍ଦୁ ନମାଜ ପାଠ ପରେ ମୌଲବୀ ହଲିମ ଅହେମଦ ସାହେବ, ମୌଲବୀ ଶେଖ ଇସହାକ ସାହେବ, ବିଶେଷ ଅତିଥି ତଥା ଅହେମଦୀୟା ମୁସଲିମ ଜମାତ୍ର କେନ୍ଦ୍ର କାଦିୟାନରୁ ଆସିଥିବା ମୌଲବୀ ଶେଖ ମୋଜାହିଦ୍ ଅହେମଦ ଶାସ୍ତ୍ରୀ, ଉପସଭାପତି ମଜଲିସ ଅନସୁରାଲ୍ଲାଃ ଓ ସାପ୍ତାହିକ ପ୍ରତ୍ରିକା ‘ବଦର’ର ପରିଚାଳକ ନିଜ ନିଜ ବକ୍ତବ୍ୟରେ ବିଶ୍ୱ ଶାନ୍ତି ଓ ଭାତୃତ୍ୱ ଉପରେ ମତ ରଖିଥିଲେ । ପରେ ସଭାପତି ନିଜର ଭାଷଣ ଉପସ୍ଥାପନ କରିଥିଲେ । ଏହି ଅବସରରେ ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହିତ ଆହତମାନଙ୍କ ଆଉ ଆରୋଗ୍ୟ କାମନା କରାଯାଇଥିଲା । ଉକ୍ତ ଧର୍ମ ସଭାରେ ଭଦ୍ରକ ବ୍ୟତୀତ ଯାଜପୁର, ବାଲେଶ୍ୱର, କଟକ, ଖୋର୍ଦ୍ଧା ଜିଲ୍ଲାରୁ ବହୁ ଅହେମଦୀୟା ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେଇଥିଲେ ।