Home ଜିଲ୍ଲା ପରିକ୍ରମା ଭଦ୍ରକରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ପାଳିତ

ଭଦ୍ରକରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ପାଳିତ

32

ଭଦ୍ରକ, ୨୮ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ମା’ ଗଜଲକ୍ଷ୍ମୀଙ୍କ ପୂଜା ବେଶ୍ ଧୁମ୍‌ଧାମରେ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଛି । ଆଶ୍ୱିନୀ ମାସରେ ଏହି ପର୍ବ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ । ଏଣୁ ଆଜିର ଦିନରେ ମା’ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ସହରର ବିଭିନ୍ନ ମଣ୍ଡପରେ ଏହି ପୂଜାର ମାହୌଲ ଜମିଆସୁଛି । ବିଶେଷକରି ଭଦ୍ରକ କଚେରୀ ବଜାରସ୍ଥିତ ଫଳ ମାର୍କେଟ୍ ପକ୍ଷରୁ ସାର୍ବଜନୀନ ମା’ ଲକ୍ଷ୍ମୀପୂଜା କମିଟି ଦ୍ୱାରା ଏହି ପୂଜା ପାଳିତ ହୋଇଆସୁଛି ବୋଲି ଏହାର ସଭାପତି ବାବୁ ଦାସ ଓ ଉପସଭାପତି ଝାଡେଶ୍ୱର ମଣ୍ଡଳ କହିଛନ୍ତି । ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ କଳସ ପୂଜା ଆରମ୍ଭ ହୋଇ ଘଟ ସ୍ଥାପନ ପୂର୍ବକ ମା’ ଙ୍କ ପୂଜା ସମସ୍ତ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି । ସେହିଭଳି କୁଆଁସର ଗଜଲକ୍ଷ୍ମୀ, ବନ୍ତଛକ, ବଙ୍କସାହିସ୍ଥିତ ମାନସ ମହାନ୍ତି, ଚୈତନ୍ୟ ସ୍ୱାଇଁ ଓ ଗୋଲକ ରାଉତ ବାସଭବନ ପରିସର, ଅର୍ଣ୍ଣପାଳ ଆନନ୍ଦବଜାର ସ୍ଥିତ ମା’ ମହାଲକ୍ଷ୍ମୀଙ୍କ ସ୍ଥାୟୀ ମନ୍ଦିରରେ ମା’ଙ୍କ ଆବାହନୀ ସହ ପୂଜାର୍ଚ୍ଚନା ସମାପନ ହୋଇଛି । ତେବେ ଅନେକ ମାନସିକଧାରୀ ମହିଳାମାନେ ମା’ଙ୍କ ନିକଟକୁ ଯାଇ ଭୋଗ ଲଗାଇ ପୂଜା କରୁଥିବାର ଦେଖାଯାଇଥିଲା । ଅନୁରୂପ ଆଜି ଭଦ୍ରକ ସହର ତଥା ତାର ଆଖପାଖ ଅଞ୍ଚଳରେ କୁମାର ପୂର୍ଣ୍ଣିମା ମଧ୍ୟ ପାଳିତ ହୋଇଯାଇଛି ।

ଆଜି ଚନ୍ଦ୍ରଗ୍ରହଣ ଲାଗୁଥିବାରୁ କିଛି କୁମାରୀମାନେ ଗତକାଲି ପାଳନ କରିଥିବାବେଳେ ଆଜି ଅପରାହ୍ନ ୪ଟା ସୁଦ୍ଧା ଅନ୍ୟ କିଛି କୁମାରୀମାନେ ଏହି ପୂଜା ପାଳନ କରିଛନ୍ତି । ଆଶ୍ୱିନ ମାସର ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାରୀ ଝିଅମାନେ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ସମୟରେ ଚଉଁରା ମୂଳରେ ଜହ୍ନି ଫୁଲରେ ଗୋଟିଏ ଗୋଟିଏ କୋଠି ତିଆରି କରି ତା ମଝିରେ ଜହ୍ନି ଫୁଲରେ ଗୋଟିଏ ଚାନ୍ଦ ତିଆରି କରିଥାନ୍ତି । କୋଠିରେ ଅରୁଆ ଚାଉଳ, ସାତ ଖଣ୍ଡ ହଳଦୀ, ଫୁଟଣ, କପା, ଲୁଣପ୍ରଭୃତି ଦେବା ପରେ କୁମାରୀମାନେ ତିନି ଆଞ୍ଜୁଳି ଜହ୍ନି ଫୁଲ ଚାଳ ଉପରକୁ ପକାଇବା ସହ ଆଉ ତିନି ଆଞ୍ଜୁଳି ଜହ୍ନି ଫୁଲ ତୁଳସୀ ଗଛ ଉପରକୁ ପକାଇଥାନ୍ତି । ପ୍ରତ୍ୟେକ ଦିନ କଇଁ ଫୁଲ ପକାଇ ଚଉଁରା ନିକଟରେ ମିଳିତ ଭାବେ କୁମାର ପୂନେଇଁ ଗୀତ ଗାନ କରିଥାନ୍ତି । ଶୁକ୍ରବାର ବଡ଼ଘର ପୂଜା ଓ ଶନିବାର ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ପରେ ସଂଧ୍ୟା ସମୟରେ ନୂତନ ବସ୍ତ୍ର ପରିଧାନ କରି ଚଉଁରା ମୂଳେ ପୂଜାର୍ଚ୍ଚନା କରିବା ପରେ ଆକାଶରେ ଚାନ୍ଦ ଦେଖି ତାଙ୍କୁ ବନ୍ଦାପନା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.