Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ମନ୍ତ୍ରୀ ପ୍ରତାପ ଜେନା ଗିରଫ ଦାବିରେ ବିଜେପି ପକ୍ଷରୁ ଥାନା ଘେରାଉ

ଭଣ୍ଡାରିପୋଖରୀ : ମନ୍ତ୍ରୀ ପ୍ରତାପ ଜେନା ଗିରଫ ଦାବିରେ ବିଜେପି ପକ୍ଷରୁ ଥାନା ଘେରାଉ

44

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ବିଜେପି ଦଳର ନିଷ୍ପତ୍ତି କ୍ରମେ ମାହାଙ୍ଗାରେ ଡବଲ ମର୍ଡର ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ କରି ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ଭଣ୍ଡାରିପୋଖରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଥାନା ଘେରାଉ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୀୟମିତତା ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି କଟକ ଜିଲ୍ଲା ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଶାସକ ବିଜେଡି ଦଳର ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟା କରାଯାଇଛି ବୋଲି ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି ଡବଲ ମର୍ଡର ଘଟଣାରେ ସଂପୃକ୍ତ ଥିବା ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଓ ସମସ୍ତ ଅପରାଧିଙ୍କୁ ଗିରଫ ଦାବିରେ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ଯୁବ ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ କରାଯାଇଥିଲା । ଦଳୀୟ କାର୍ଯ୍ୟାଳୟରୁ ବିଜେପି କର୍ମୀ ଓ ନେତାମାନେ ମୋଟରସାଇକେଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଥାନା ସମ୍ମୁଖରେ ଘଟଣାର ତୀବ୍ର ନିନ୍ଦା କରିଥିଲେ । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁରେଶ ସାମଲଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ସଭାରେ ଦଳର ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ଯୋଗଦେଇ ଶାସକ ବିଜେଡି ଦଳର ରକ୍ତପାତ ଓ ହିଂସା ନୀତିକୁ ତୀବ୍ର ନିନ୍ଦା କରି ଏହା ଦଳର ମୁଖିଆଙ୍କ ଆଭିମୁଖ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ସେଠାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ମୁକୁନ୍ଦ ମଲ୍ଲିକ, କରୁଣାକର ସାହୁ, ସନ୍ତୋଷ ସାହୁ, ଅଜୟ ପାତ୍ର ଯୋଗଦେଇଥିବା ବେଳେ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ସତ୍ୟବ୍ରତ ଦାସ, ରବିନାରାୟଣ ସାହୁ, ପ୍ରତାପ ଦ୍ୱିବେଦୀ, ପର୍ଶୁରାମ ପରିଡା, ସୁଭାଶିଷ ରାଉତ, ପ୍ରଭାତ ରାଉତ, ନିରାକାର ସାହୁ, ମୃତ୍ୟୁଞ୍ଜୟ ଗୋଚ୍ଛାୟତ ପ୍ରମୁଖ ଘେରାଉରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.