ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସମ୍ଭବ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କୃଷି ଭିତ୍ତିକ ପର୍ବ ରଜ ବୁଧବାର ଠାରୁ ପାରମ୍ପାରିକ ଭାବେ ପାଳନ ହୋଇଛି । ପୃଥିବୀ ରଜ୍ୱଶୀଳା ହୋଇଥିବାରୁ ଚାଷୀମାନେ ରଜ ତିନି ଦିନ ଚାଷକାର୍ଯ୍ୟ ବନ୍ଦ ରଖି ପର୍ବପାଳନ କରୁଛନ୍ତି । କୁଆଁରୀ କନ୍ୟାମାନେ ନବବସ୍ତ୍ର ପରିଧାନ କରି ରଜପାନ ଉପଯୋଗ କରି ତାସ, ଲୁଡୁ, ଦୋଳି ଖେଳିବା ସହ ସାଙ୍ଗସାଥିମାନଙ୍କ ଘରକୁ ଭ୍ରମଣରେ ଯାଇଥିଲେ । ପୁଅ ପିଲାମାନେ ଗ୍ରାମରେ କବାଡି, ବାଗୁଡ଼ି ଆଦି ଖେଳ ଖେଳି ଭୋଜିଭାତ କରିଥିବା ଦେଖାଯାଇଛି । ରଜ ପାନର ଆଦର ସବୁଠି ଲଭିଛି । ଘରେ ଘରେ ନଡ଼ିଆ, ଗୁଡ ଓ କର୍ପୁର ଆଦି ମିଶ୍ରଣରେ ପୁର ସହ ଚାଉଳ ଚୁନା ଓ ବିରି ଆଣରେ ପ୍ରସ୍ତୁତ ପୋଡପିଠା ସହ ବିଭିନ୍ନ ପିଠା ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ପରିବାର ପଡୋଶୀ ଓ ବନ୍ଧୁବାନ୍ଧବମାନଙ୍କୁ ପିଠା, ଆମ୍ବ ଓ ମିଠା ଆଦି ପ୍ରଦାନ କରି ମିଳିତ ଭାବେ ରଜ ମଉଜ ମନାଉଥିôବା ଦେଖିବାକୁ ମିଳିଥିଲା । ଗୃହିଣୀମାନେ ରଜରେ କେତେକାଂଶରେ କଟାବଟା ତ୍ୟାଗ କରିଥିବାରୁ ପୂର୍ବଦିନ ପ୍ରସ୍ତୁତ ଖାଦ୍ୟ ସମାଗ୍ରୀ ଆଦି ପରିବାର ଲୋକେ ବ୍ୟବହାର କରିଥିଲେ । ଗାଈ ଓ ବଳଦ ଆଦିକୁ ଏହି ଅବସରରେ ଉତ୍ତମ ଖାଦ୍ୟ ପ୍ରଦାନ କରାଯାଇଛି । ରଜ ଉପଲକ୍ଷେ ବିଭିନ୍ନ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହ ବିଭିନ୍ନ ଗ୍ରାମରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଛି । ମାତ୍ର ଚଳିତ ବର୍ଷ ରଜ ବୁଧବାରରେ ପଡ଼ିଥିବାରୁ ଆମିଷ ବଜାର ବେଶ ଭିଡ ରହିଥିଲା । ତେବେ ରଜ ପାଳନ ଯୋଗୁଁ ବସ୍ତ୍ର, ଆମ୍ବ, ମିଷ୍ଟାନ୍ନ ବ୍ୟବସାୟୀମାନେ କାରବାରରେ ଲାଭବାନ ହୋଇଥିବା ଜଣାଯାଇଛି ।