ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇଓସିଏଲ୍ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍ତ ଅନ୍ତର୍ଗତ ଧାମନଗର ଛକ ନିକଟସ୍ଥ ପାହିମହୁରା ଠାରେ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ବୟନଶିଳ୍ପ ପାର୍କ ଅଂଚଳକୁ ଆଜି ବିଜେପି ନେତୃବୃନ୍ଦ ପରିଦର୍ଶନ କରି ନିର୍ମାଣର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରୀୟ ଅନୁଦାନରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ବିଜେପିର ମହାଜନସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ‘ବିକାଶ ତୀର୍ଥଯାତ୍ରା’ ରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ଭଦ୍ରକ ଗସ୍ତରେ ଆସିଥିଲେ । ଏହି ଅବସରରେ ଡ. ପାତ୍ର ପ୍ରଥମେ ଧାମନଗର ଛକ ନିକଟରେ ପହଞ୍ôଚବା ପରେ ତାଙ୍କୁ ସ୍ଥାନୀୟ ବିଜେପି ନେତା ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ ସ୍ୱାଗତ କରାଯାଇଥିଲା । ଡ. ପାତ୍ରଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ କୁମାର ନାୟକ, ଜିଲା ସଭାପତି ହେମନ୍ତ କୁମା ରପାଢୀ, ଲୋକସଭା ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ ପ୍ରମୁଖ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ବୟନଶିଳ୍ପ ପାର୍କ ଅଂଚଳରେ ହୋଇଥିବା ପାଚେରୀ, ରାସ୍ତା ନିର୍ମାଣ ଆଦି କାର୍ଯ୍ୟର ଅନୁଧ୍ୟାନ କରିବା ସହ ତ୍ୱରିତ ଗତିରେ କାର୍ଯ୍ୟ କରାଯାଇ ସ୍ଥାନୀୟ ଅଂଚଳର ବିକାଶ ଓ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଡ. ପାତ୍ର ମତ ଦେଇଥିଲେ । ଏହାପରେ ଭଦ୍ରକ ଗସ୍ତରେ ଯାଇ ଭଦ୍ରକ ଅଦାଲତରେ ଓକିଲ ସଂଘର କର୍ମକର୍ତ୍ତା ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ହୋଇଥିବା ଭଦ୍ରକ ଜିଲା ନୂତନ ଡାକ୍ତରଖାନାରେ ଶହେ ଶଯ୍ୟା ବିଶିଷ୍ଟ ପ୍ରସୂତି ଓ ଶିଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ ।








