ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଶନ ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଭଦ୍ରକ ବ୍ଲକର ଓଡିଶା ଜୀବିକା ମିଶନ ଦ୍ୱାରା ଆଜି ଟାଉନ୍ ହଲ୍ ଠାରେ ଭଦ୍ରକ ବ୍ଲକ ସ୍ତରୀୟ ସମନ୍ନ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ଉପଧ୍ୟକ୍ଷା ଜ୍ୟୋସ୍ôନା ମଞ୍ଜରୀ ରାଉତ, ନାବାର୍ଡ଼ର ଜିଲ୍ଲା ଉନ୍ନୟନ ପରିଚାଳକ ପ୍ରମୋଦ କୁମାର ବେହେରା, ସାଂସଦ ଭଦ୍ରକଙ୍କ ପ୍ରତିନିଧି ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୀତାଂଶୁ ସାହୁ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଭଦ୍ରକ ସଞ୍ଜୟ କୁମାର ବାରିକ ପ୍ରମୁଖ ଏହି ଋଣ ପ୍ରଦାନ ମେଳାରେ ଯୋଗ ଦେଇଥିଲେ ।
ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ବ୍ୟାଙ୍କର୍ସମାନେ ଏହି ମେଳାରେ ଅଂଶ ଗ୍ରହଣ କରିଥିଲେ । ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାମାନେ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛନ୍ତି । ସେମାନଙ୍କର ଆର୍ଥିକ ବିକାଶ ହେଲେ ପରିବାର ଓ ଦେଶର ବିକାଶ ହୋଇ ପାରିବ । ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ ଦ୍ୱାରା ସେମାନେ ଅଧିକରୁ ଅଧିକ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିବା ସହ ମିଶନ୍ ଶକ୍ତି କାର୍ଯ୍ୟାଳୟ ପାଇଁ ପୃଥକ୍ ଭାବେ ଭଦ୍ରକରେ ଖୁବ୍ ନିକଟରେ ଶୁଭ ଦିଆଯାଇ ମିଶନ ଶକ୍ତି ଭବନ ନିର୍ମାଣ ଆରମ୍ଭ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ । ଆଜି ର ଏହି ଋଣ ମେଳାରେ ୬୫୮ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୬ କୋଟି ୯ଲକ୍ଷ ୪୮ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଓଡ଼ିଶା ଜୀବିକା ମିଶନ୍ ର ଭଦ୍ରକ ବ୍ଲକ୍ ପ୍ରକଳ୍ପ ପରିଚାଳକ ରଶ୍ମିତା ନାୟକ, ମିଶନ ଶକ୍ତିର ଭଦ୍ରକ ବ୍ଲକ୍ ପ୍ରକଳ୍ପ ସଂଯୋଜକ ସୁବ୍ରତ ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।