ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅବକାରୀ ବିଭାଗର ଅବହେଳାରୁ ଏବେ ସଦର ମହକୁମା ସମେତ ତାର ଆଖପାଖ ଅଂଚଳ ଧଳାଜହରରୂପୀ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି । ଏହାର କୁପ୍ରଭାବରେ ସହର ଓ ଗ୍ରାମାଞ୍ଚଳର ବହୁ ବେକାର ଯୁବକ ଏହି ନିଶା ରାକ୍ଷସ କବଳରେ ପଡି ଦିନ ଦ୍ୱିପ୍ରହରରେ ବି ଚୋରି କରିବାକୁ ପଛାଉନାହାଁନ୍ତି । ଯାହାର ଉଦାହରଣ ଆଜି ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ୬ନଂ ୱାର୍ଡର ପୂର୍ବତନ କାଉନସିଲର ପ୍ରବୀର ଜେନାଙ୍କ ଘରେ । ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାଜପୁର ତିହିଡି ଗ୍ରାମର ଅଟୋ ଚାଳକ ଜଗନ୍ନାଥ ଦାସ ନିଜ ଭାଇ ରବିନ୍ଦ୍ରର ଅଟୋ ଚଳାଇବା ମଧ୍ୟରେ ଧଳା ଜହର କବଳିତ ଥାଇ ନିଜ ଗ୍ରାମର ଅନ୍ୟତମ ସହଯୋଗୀ ସୁଦାମ ଚରଣ ଦାସ ସହ ଶ୍ରୀ ଜେନାଙ୍କ ନିର୍ମାଣାଧୀନ ଘରର ଲୁହାରଡ୍ ଏକ ବସ୍ତାରେ ପୁରାଇ ଲୋଡ୍ କରିଥିଲା । ସେମାନଙ୍କୁ ଦେଖି ଶ୍ରୀ ଜେନାଙ୍କ ଘରେ କାମ କରୁଥିବା ଲକ୍ଷ୍ମୀ ନାମକ ମହିଳା ଗୃହକର୍ତ୍ତାଙ୍କୁ ଜଣାଇବାରୁ ପାଖରେ ଥିବା ଯୁବକମାନେ ଆସି ସେମାନଙ୍କୁ କାବୁ କରି ପୁଲିସ୍ର ଜିମା ଦେଇଛନ୍ତି । ତେବେ ଏମାନଙ୍କ ନିକଟରେ କିଛି ବ୍ରାଉନସୁଗାର ସେବନର ବ୍ୟବହୃତ ଜରି, କାଗଜ ପୁଡିଆ ଦେଖିବାକୁ ମିଳିଥିଲା । ଯାହାକୁ ସେମାନେ ପୁଲିସ୍ ଭୟରେ ପାଖ ସାଳନ୍ଦୀ ନଦୀକୂଳକୁ ଫିଙ୍ଗିଦେଇଥିଲେ । ଏପରିକି ନିଶାଗ୍ରସ୍ତ ଅବସ୍ଥାରେ ଅଟୋ ଚଳାଇ ଆସିବା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ପୋଷା କୁକୁରକୁ ଗାଡି ଚଢାଇ ମାରିଦେଇଛନ୍ତି । ପୁଲିସ୍ ଉଭୟଙ୍କୁ ଥାନାରେ ଅଟକ ରଖି ଅଟୋଟିକୁ ଜବତ କରି ତଦନ୍ତ ଚଳାଇଛି ।