Home ଜିଲ୍ଲା ପରିକ୍ରମା ବୈତରଣୀ ବନ୍ୟାଜଳ ଉପରୁ କମୁଛି ତଳକୁ ବଢୁଛି, ତିହିଡ଼ି ବ୍ଲକର ୮ ପଞ୍ଚାୟତର ୪୬ ହଜାର...

ବୈତରଣୀ ବନ୍ୟାଜଳ ଉପରୁ କମୁଛି ତଳକୁ ବଢୁଛି, ତିହିଡ଼ି ବ୍ଲକର ୮ ପଞ୍ଚାୟତର ୪୬ ହଜାର ୬ ଶହ ୪୩ ଲୋକ ପ୍ରଭାବିତ, ବନ୍ୟାଞ୍ଚଳ ଗସ୍ତ କଲେ ଜିଲ୍ଲାପାଳ, ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

21

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ବନ୍ୟାଜଳ ଉପର ମୁଣ୍ଡରୁ କମୁଥିବାବେଳେ ତଳିଆ ଅଞ୍ଚଳରେ ବନ୍ୟା ବଢ଼ିବାରେ ଲାଗିଛି । ଯାହା ଫଳରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ୮ ପଞ୍ଚାୟତ ୨୪ ରାଜସ୍ୱ ଗ୍ରାମର ୪୬ ହଜାର ୬ ଶହ ୪୩ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ବ୍ଲକର ବୋଡ଼କ, ତଳଗୋପବିନ୍ଧା, ବାରୋ, ବିଲଣା, ବାରସର, ଗୋବିନ୍ଦପୁର, କାଁପଡ଼ା, ଶ୍ୟାମସୁନ୍ଦରପୁର ଇତ୍ୟାଦି ପଞ୍ଚାୟତର ଲୋକମାନେ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୬ଟି କେନ୍ଦ୍ରରେ ୪୯୨ ଜଣ ବନ୍ୟାବିପନ୍ନଙ୍କୁ ଥଇଥାନ କରାଯାଇଥିବା ଜଣାପଡ଼ିଛି । ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୬ଟି ଡାକ୍ତରୀ ଟିମ୍ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ୧ଟି ଟିମ୍ ବନ୍ୟା ଅଞ୍ଚଳ ବୁଲି ପ୍ରଭାବିତ ଲୋକ ଓ ପ୍ରାଣୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ପ୍ରଶାସନ ପକ୍ଷରୁ ବୋଡ଼କ ପଞ୍ଚାୟତକୁ ୨ କୁଇଣ୍ଟାଲ ଚୁଡ଼ା, ୧୫ କେ.ଜି. ଗୁଡ଼, କାଁପଡ଼ା ପଞ୍ଚାୟତକୁ ୨ କୁଇଣ୍ଟାଲ ଚୁଡ଼ା, ୧୫ କେ.ଜି. ଗୁଡ଼ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତକୁ ୨ କୁଇଣ୍ଟାଲ ଚୁଡ଼ା, ୧୫ କେ.ଜି. ଗୁଡ଼ ଯୋଗାଇ ଦିଆଯାଇଅଛି । ଏହିସବୁ ପଞ୍ଚାୟତ ପରେ ମୁକୁନ୍ଦପୁର, ସିନ୍ଦୋଳ, କୋହ୍ଲ ପଞ୍ଚାୟତ ବନ୍ୟାରେ ଆଂଶିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

ବନ୍ୟାପ୍ଳାବିତ ଅଞ୍ଚଳରେ ବିଭିନ୍ନ ଗ୍ରାମ୍ୟରାସ୍ତା ବୁଡ଼ି ରହି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ବନ୍ୟାରେ ୨୮ ହେକ୍ଟର ଚାଷଜମୀ ଜଳମଗ୍ନ ହୋଇଥିବା ବ୍ଲକ କୃଷି ଅଧିକାରୀ ରଘୁନାଥ ପତି ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତିହିଡ଼ି ବ୍ଲକର ବାରସର ଓ ଗୋବିନ୍ଦପୁର ବନ୍ୟା ପ୍ଳାବିତ ଅଞ୍ଚଳକୁ ଗସ୍ତକରି ବିପନ୍ନମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ସହିତ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ପ୍ରତୀକ ସାହୁ, ଅତିରିକ୍ତ ତହସିଲଦାର ଅଙ୍କିତା ମହାନ୍ତି, ଏନଆରଜିଏସ ଆସିଷ୍ଟାଣ୍ଟ ସୁଧାଂଶୁ ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀନବନ୍ଧୁ ପାତ୍ର, ବାରସର ସରପଞ୍ଚ ଚକ୍ରଧର ଦାସ, ବିଜେଡି ନେତା ବିପିନ୍ ରାଉତ ପ୍ରମୁଖ ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ । ବନ୍ୟା ଅଞ୍ଚଳ ପାଇଁ ନୋଡାଲ ଅଫିସର ଭାବେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଟିକ୍‌ଚାନ୍ଦ କାଲୋ, ସୁକାନ୍ତ ମିଶ୍ର, ସୁପରଭାଇଜର ଗିରିଶ ଚନ୍ଦ୍ର ନାୟକ, କନିଷ୍ଠଯନ୍ତ୍ରୀ ଭରତ ବିଶ୍ୱାଳ, ଭୀଷ୍ମଦେବ ଶତପଥୀ, ସମିର କୁମାର ମାନା, ଅଲେଖ ତିର୍କୀ, ରାଜସ୍ୱ ନିରୀକ୍ଷକ ଗୋଲେଖ ମୁର୍ମୁ ଦାୟିତ୍ୱରେ ରହିଥିବାବେଳେ ବ୍ଲକରେ ମୁଖ୍ୟ ଦାୟିତ୍ୱରେ ବିଡିଓ ଜ୍ୟୋର୍ତିମୟ କର ଥିବାବେଳେ କଣ୍ଟ୍ରୋଲରୁମ୍ ଦାୟିତ୍ୱରେ ଆକାଉଣ୍ଟସ୍ ଅଫିସର ସୌମ୍ୟନନ୍ଦନ ପଟ୍ଟନାୟକ, ଭାରପ୍ରାପ୍ତ ଜିପିଓ ନିହାର ରଞ୍ଜନ ରାଉତ, ଡବ୍ଲୁଓ ଜ୍ଞାନେନ୍ଦ୍ର ସାମଲ ଓ ମୁଖ୍ୟ କିରାଣୀ ସୁଧାଂଶୁ ପୋଥାଳ ପ୍ରମୁଖ କାର୍ଯ୍ୟନିର୍ବାହ କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.