ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲଘୁଚାପ ଜନିତ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତରରେ ବୃଦ୍ଧି ଘଟିଛି। ଆଗାମୀ ସମୟର ସମ୍ଭାବ୍ୟ ବନ୍ୟା ସ୍ଥିତିର ଆକଳନ ପାଇଁ ଜିଲ୍ଲାପାଳ ଡଃ ଜ୍ଞାନ ଦାସ ଆଖୁଆପଦା ଯାଇ ନଦୀର ଜଳପତ୍ତନର ସ୍ଥିତି ସର୍ବେକ୍ଷଣ କରିଛନ୍ତି। ବନ୍ୟା ପରିସ୍ଥିତି ନେଇ ଜଳସେଚନ ବିଭାଗର ସୁପରିଟେଣ୍ଡେଣ୍ଟ ଇଂଜିନିୟର, ଏକ୍ଜିକ୍ୟୁଟିଭ୍ ଇଂଜିନିୟର, ଭଣ୍ଡାରିପୋଖରୀ ବ୍ଲକ ବିଡିଓ, ତହସିଲଦାରଙ୍କ ସହ ଆଲୋଚନା କରିଥିଲେ। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ନଦୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଆଜି ସନ୍ଧ୍ୟା ୬ଟା ସମୟରେ ସେଠାରେ ନଦୀର ଜଳସ୍ତର ୧୭.୭୩ ମିଟର ରହିଛି। ଗତ ୨୪ ଘଣ୍ଟାରେ ଚମ୍ପୁଆ ଠାରେ ୭୨ ମିମି, କେନ୍ଦୁଝରରେ ୫୨.୮୦, ସ୍ୱାମପାଟଣାରେ ୪୮.୮୦, ଠାକୁରମୁଣ୍ଡା ଠାରେ ୭୧, ଆନନ୍ଦପୁରରେ ୯୪.୨୦, ଆଖୁଆପଦା ଠାରେ ୧୫୬.୪୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟ ପକ୍ଷରେ ଭଦ୍ରକ ଜିଲ୍ଲାର ଭଦ୍ରକରେ ୫୨ ମିମି, ଭଣ୍ଡାରିପୋଖରୀରେ ୧୭୮, ବାସୁଦେବପୁରରେ ୪୧, ଚାନ୍ଦବାଲିରେ ୮୯.୩, ଧାମନଗରରେ ୮୩, ବନ୍ତରେ ୮୦, ତିହିଡିରେ ୭୪ ମିଲିମିଟର ବର୍ଷା ହୋଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ବୈତରଣୀରେ ବନ୍ୟା ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି। ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ, ଝୁମ୍ପୁଡି ତଥା କଚ୍ଚା ଘରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅନୁରୋଧ କରାଯାଇଛି। ଏଥି ସହିତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ମାନଙ୍କୁ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟାର ସ୍ଥିତିକୁ ଲକ୍ଷ୍ୟ ରଖି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସଙ୍କୁ ଧାମନଗର ବ୍ଲକ ଓ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କୁ ଭଣ୍ଡାରିପୋଖରୀ ବ୍ଲକ ଦାୟିତ୍ୱ ପ୍ରଦାନ କରାଯାଇଛି। ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ବନ୍ୟା ଆସିଲେ ଏହାର ମୁକାବିଲା କରିବେ ବୋଲି ଜଣା ପଡିଛି।






