ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବା ସମବାୟ ସମିତିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କରୋନା ମହାମାରୀ ସମୟରେ ବେଆଇନ୍ ଭାବେ ଚାକିରୀରୁ ବାହାର କରି ତାଙ୍କ ପରିବାରର ଜୀବନ ଜୀବିକାକୁ ଦୁର୍ବିସହ କରିଥିବା ପ୍ରତିବାଦରେ ଆଜି ଛଟେଇ କର୍ମଚାରୀ ଓ ତାଙ୍କ ପରିବାର ଲୋକେ ସେବା ସମବାୟ ସମିତି ଆଗରେ ଅନଶନରେ ବସିଛନ୍ତି । ଏଭଳି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ୍ ଯଶିପୁର ସେବା ସମବାୟ ସମିତିରେ । ଏଠାରେ ରମେଶ ଚନ୍ଦ୍ର ବାରିକ ଗତ ୨୦୦୦ ମସିହାରୁ ପିଅନ ଭାବେ ଏହି ସେବା ସମବାୟ ସମିତିରେ କାମ କରୁଥିଲେ । ତେବେ ଗତ ୨୦୧୮ ମସିହା ଜୁଲାଇ ମାସରେ ତାଙ୍କୁ ଆକ୍ରୋଶ ମୂଳକ ଭାବେ କୌଣସି କାରଣ ନଥାଇ ବିନା କାରଣରେ ତାଙ୍କୁ ନିଲମ୍ବନ କରାଗଲା । ଆଜିପର୍ଯ୍ୟନ୍ତ ତାଙ୍କ ନାମରେ ଚାର୍ଜ ଫ୍ରେମ୍ କରାଯାଉନାହିଁ କି ତାଙ୍କ ଦୋଷ କ’ଣ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଦିଆଯାଉନାହିଁ । ଆଜିପର୍ଯ୍ୟନ୍ତ ତାଙ୍କ ଦରମା ବନ୍ଦ ଥିବାରୁ ଏହି କରୋନା ମହାମାରୀ ସମୟରେ ସେ ତାଙ୍କ ପରିବାର ଚଳାଇ ପାରୁନାହାଁନ୍ତି । ତେବେ ଏ ବିଷୟରେ ସେ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ବୁଝିବା ବୁଝିବା କହି କିଛି ପଦକ୍ଷେପ ନେଉନାହାଁନ୍ତି । ଶେଷରେ ୩ ବର୍ଷ ଅପେକ୍ଷା କରିବା ପରେ କିଛି ଉପାୟ ନପାଇ ଛଟେଇ କର୍ମଚାରୀ ଜଣଙ୍କ ନିଜ ପରିବାର ସହିତ ଆଜି ଭଦ୍ରକ ସମବାୟ ବିଭାଗର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ୍ କଟକଣାକୁ ମାନି ଅନଶନ କରିଛନ୍ତି ଓ ବିଭାଗୀୟ ଅଧିକାରୀଙ୍କ ଠାରୁ ନ୍ୟାୟ ମାଗିଛନ୍ତି । ତେବେ ତାଙ୍କର ଏହି ଅନସନକୁ ସମର୍ଥନ କରିଛି ସମବାୟ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ।