ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ତରରେ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ହାଇସ୍କୁଲ ସ୍ତରୀୟ ପିଲାମାନଙ୍କ ମଧ୍ୟରେ ଏକ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅନୁଭାଗ ଜରିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭଦ୍ରକ ପୌରାଞ୍ଚଳର ସମସ୍ତ ସ୍କୁଲ୍ ଓ ଜିଲ୍ଲାର ପ୍ରତି ବ୍ଲକ୍ରୁ ୨ଜଣ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିବା ନେଇ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା । ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ, ଅବସରପ୍ରାପ୍ତ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ଶଶଧର ମହନୀ ପ୍ରମୁଖ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଧାମନଗର ବ୍ଲକ୍ର ମୁରଲୀଧର ହାଇସ୍କୁଲ, ଧୁଷୁରୀର ପ୍ରାଚୀ ମିଶ୍ର ପ୍ରଥମ, ଏସ୍.ବି.ଡି. ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ, ଭଦ୍ରକର ତୃପ୍ତି ତନୟା ପଣ୍ଡା ଦ୍ୱିତୀୟ, ତିହିଡ଼ି ବ୍ଲକ୍ର ସି.ଆର.ଏସ୍. ହାଇସ୍କୁଲର ଅଭିଷେକ ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସୂଚନାଯୋଗ୍ୟ କି ଆସନ୍ତା ୧୬ ତାରିଖ ରବିବାର ଦିନ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଦ୍ରକ ମାଟିର ମହାନ୍ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀ ପାଳନ କରାଯିବ । ଓଡ଼ିଶା ସରକାରଙ୍କ ଦ୍ୱାରା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜରିଆରେ ରାଜ୍ୟ ସ୍ତରରେ ଭୁବନେଶ୍ୱରଠାରେ ମଧ୍ୟ ଏହି ଜୟନ୍ତୀ ପାଳନ କରାଯାଇଥାଏ ।