ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ବନ୍ୟାଜଳସ୍ତର ଆଖୁଆପଦା ଠାରେ ୧୯.୮୯ ମିଟରରେ ପହଞ୍ôଚ ଗୁରୁବାର ସକାଳ ୮ଟାରୁ ହ୍ରାସ ପାଉଛି । ଏଠାରେ ଥିବା ବିପଦସଙ୍କେତ ସ୍ତର ୧୭.୮୩ ମିଟର ଠାରୁ ପ୍ରାୟ ୨ ମିଟର ଉର୍ଦ୍ଧରେ ବନ୍ୟାଜଳ ପ୍ରବାହିତ ହେଉଛି । ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ୧୯.୪୦ମିଟରକୁ ଘଣ୍ଟାପ୍ରତି ୬ମି.ମି. ହାରରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡରେ ସେଭଳି କୌଣସି ବଡଧରଣର ବର୍ଷା ରେକର୍ଡ ହୋଇନାହିଁ । ଏହି ସମୟରେ ଚମ୍ପୁଆରେ ସର୍ବାଧିକ ୪୩.୪ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଆନନ୍ଦପୁରରେ ୨୨.୪ ମି.ମି., କେଉଁଝରରେ ୧୯.୮ ମି.ମି., ଠାକୁରମୁଣ୍ଡାରେ ୧୬.୮ ମି.ମି., ଆଖୁଆପଦାରେ ୧୧.୨ ମି.ମି. ଓ ସ୍ୱାମୀପାଟଣାରେ ୮.୯ମି.ମି. ବର୍ଷା ହୋଇଥିବା ଜଣାଯାଇଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ମାତ୍ର ୬ ମି.ମି. ବର୍ଷା ହୋଇଛି ବୋଲି ବ୍ଲକ ବର୍ଷା ଜଳ ମାପକ ଯନ୍ତ୍ର ରେକର୍ଡ କରିଛି । ନଦୀରେ ବନ୍ୟା ଜଳସ୍ତର ହ୍ରାସ ପାଉଥିଲେ ହେଁ ଗାଁରେ ବଢୁଛି । କଣ୍ଟିଘାଇ ଦେଇ ନଦୀର ତିନି ଚତୁର୍ଥାଂଶ ବନ୍ୟାଜଳ ପ୍ରବାହିତ ହୋଇ ଜନବସତିକୁ ବୁଡାଇ ଦେଇଛି । କଣ୍ଟିଘାଇ ଯୋଗୁଁ ଷୋଳମପୁର, ମାଳଦା, ରହଣିଆ, କୋରିଗାଁ, ନପଙ୍ଗ ଆଦି ପଞ୍ଚାୟତର ପ୍ରାୟ ୨୨ ହଜାର ଲୋକ ଜଳ ଘେରରେ ରହିଛନ୍ତି । ଏଥିଯୋଗୁଁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତା ଉପରେ ୩ଫୁଟ ଉଚ୍ଚ ବନ୍ୟାଜଳ ପ୍ରବାହିତ ହୋଇ ଯାଜପୁରକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ନଦୀ ପଠାରେ ଅବସ୍ଥିତ ବନ୍ଦାଳୋ-ମଢିଆଳି ଓ ଝୁଟୁଣା ପଞ୍ଚାୟତର ୮ ହଜାରଲୋକ ଜଳ ଘେରରେ ରହିଛନ୍ତି । ନଦୀ ଜଳରେ ଫସିରହିଥିବା ଝୁଟୁଣା ଗ୍ରାମର ଦାଶରଥି ସାହୁଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ତହସିଲଦାର ସରୋଜକାନ୍ତ ନାୟକ ବନ୍ୟାପ୍ଳାବିତ ଅଂଚଳ ଗସ୍ତ କରି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ବନ୍ୟା ପରିସ୍ଥିତର ସମୀକ୍ଷା କରିଛନ୍ତି । ଓଡ୍ରାଫ ଦଳକୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇ ବଲ୍ଲଭିଘାଟ, ଜଳହରୀ, ବଳିପୁର ଓ ବନ୍ଦାଳୋରେ ମୁତୟନ କରାଯାଇଛି । ଆଗାମୀ ଶୁକ୍ରବାର ବନ୍ୟା ପରିସ୍ଥିତିରେ ସୁଧାର ଆସିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି ।
Home ଜିଲ୍ଲା ପରିକ୍ରମା ବିପଦସଙ୍କେତ ୨ ମିଟର ଉର୍ଦ୍ଧରେ ବୈତରଣୀ, ନଦୀରେ କମୁଛି, ଗାଁରେ ବଢୁଛି, ବନ୍ୟା ପରିସ୍ଥିତି ଗମ୍ଭୀର,...