ନୟାଗଡ଼, ୨୫ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଲକଡାଉନର ଅବଧି ଶେଷ ପରେ ଓଡ଼ିଶା ବାହାରେ ଅଟକିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ନାମ ପଂଜିକରଣ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବିନା ପଂଞ୍ଜ୍ିକରଣରେ କେହି ଘରକୁ ଫେରି ପାରିବେ ନାହିଁ ବୋଲି କଟକଣା ହେବା ସହିତ ଏଥିପାଇଁ ବାହାରେ ଅଟକି ଯାଇଥିବା ଲୋକଙ୍କ ପାଇଁ ପଂଚାୟତରେ କ୍ୱାରେଂଟାଇନ ଗୃହର ବ୍ୟବସ୍ଥା କରାଯାଇଛି। କେଉଁ ଗାଁରେ କିଏ କିଏ ବାହାର ରାଜ୍ୟରେ ଅଟକି ରହିଛନ୍ତି ତାହାର ସଠିକ ବିବରଣୀ ପ୍ରସ୍ତୁତ କରି ତାଲିକା କରିବା ପାଇଁ ପଂଚାୟତର ସରପଂଚମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ବାହାରୁ ରାଜ୍ୟରୁ ଯେଉଁମାନେ ଆସିବେ ସରକାର ପ୍ରସ୍ତୁତ କରିଥିବା ଫର୍ମରେ ସେମାନେ ଆଗୁଆ ନାମ ପଂଜିକରଣ କରିବା ଆବଶ୍ୟକ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷିରେ ଜିଲାପାଳ ଡ.ପୋମା ଟୁଡୁ ଭିଡିଓ କନଫେରେନ୍ସି ମାଧ୍ୟମରେ ଜିଲାର ବିଡିଓ, ତହସିଲଦାର, ସରପଂଚମାନଙ୍କ ସହ ଆଲୋଚନା କରିଛନ୍ତି। ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକମାନଙ୍କୁ ପ୍ରଥମେ ପଂଚାୟତର କ୍ୱାରେଟାଂଇନ ଗୃହରେ ୧୪ଦିନ ପର୍ଯ୍ୟନ୍ତ ରଖାଯିବ ଏବଂ ଯଦି ସେମାନଙ୍କ ପାଖରେ କରୋନା ଲକ୍ଷଣ ନଥାଏ ତେବେ ସେମାନଙ୍କୁ ନିଜ ଘରକୁ ଛଡ଼ାଯିବ ବୋଲି ଜିଲାପାଳ ସରପଂଚମାନଙ୍କୁ କହିଥିଲେ। ଯେଉଁମାନେ କ୍ୱାରେଟାଂଇନରେ ରହିବେ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇଥିବା କହିଥିଲେ। ଏଥିପାଇଁ କଠୋର ହେବା ସହିତ ସେମାନଙ୍କର ପଂଜିକରଣ କରାଇବା ପାଇଁ ସରପଂଚମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବ୍ୟବସ୍ଥାରେ ପଂଚାୟତର ପିଇଓ ମାନଙ୍କୁ ନୋଡାଲ ଅଧିକାରୀଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଭିଡିଓ କନଫେରେନ୍ସିରେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ ପ୍ରମୁକ ଉପସ୍ଥିତ ଥିଲେ।