Home ଜିଲ୍ଲା ପରିକ୍ରମା ବିନା ଟେଣ୍ଡରରେ କାର୍ଯ୍ୟ କରି କୋଟି କୋଟି ଟଙ୍କା ହରିଲୁଟ୍‌, କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ କଂଗ୍ରେସର...

ବିନା ଟେଣ୍ଡରରେ କାର୍ଯ୍ୟ କରି କୋଟି କୋଟି ଟଙ୍କା ହରିଲୁଟ୍‌, କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ କଂଗ୍ରେସର ଆନ୍ଦୋଳନ ଚେତାବନୀ

38

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ବିଭିନ୍ନ ବିଭାଗରେ ଚାଲିଥିବା କୋଟି କୋଟି ଟଙ୍କାର କାର୍ଯ୍ୟ ବିନା ଟେଣ୍ଡରେ ଚାଲିଛି । ଉନ୍ନୟନମୂଳକ କାର୍ଯ୍ୟ ନାମରେ ଚାଲିଥିବା ଏସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ । ଏଥିରେ ଆଦୌ ସ୍ୱଛତା ରହୁନାହିଁ । ଫଳରେ କୋଟି କୋଟି ଟଙ୍କା ଶାସକ ଦଳର କିଛି କର୍ମୀ ଓ ଠିକାଦାର ହରିଲୁଟ କରିବାକୁ ସୁଯୋଗ ପାଉଛନ୍ତି । ସେହିପରି ବିଭାଗୀୟ ଅଧିକାରୀମାନେ ମଧ୍ୟ ଶାସକ ଦଳର ନେତାଙ୍କ ଚାପରେ ବଶବର୍ତ୍ତୀ ହୋଇ ଏପରି ବେଆଇନ କାର୍ଯର୍୍ୟକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି । ତେଣୁ ତୁରନ୍ତ ବିନା ଟେଣ୍ଡର କାର୍ଯ୍ୟକୁ ବନ୍ଦ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବି ହୋଇଛି । ଏହି ମର୍ମରେ ଜିଲ୍ଲାପାଳଙ୍କୁ ଭଦ୍ରକ ନିର୍ବାଚନମଣ୍ଡଳୀସ୍ତରୀୟ ନେତା ନଳିନୀକାନ୍ତ ମହାନ୍ତି, ନଗର ସଭାପତି ଅବଦୁଲ ମୋକିଦ ଖାଁଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଗାମୀ ୧୫ ଦିନ ମଧ୍ୟରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନହେଲେ, ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଉଭୟ ନେତା ଚେତାବନୀ ଦେଇଛନ୍ତି । ପ୍ରଦାନ କରାଯାଇଥିବା ସ୍ମାରକପତ୍ର ଅନୁଯାୟୀ ଭଦ୍ରକରେ ଏବେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ପୌର ସଂସ୍ଥା ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଅଧିକାଂଶ କାର୍ଯ୍ୟ ବିନା ଟେଣ୍ଡରରେ ଚାଲିଛି ।

ଏପରିକି ବିନା ସୂଚନା ଫଳରେ କାର୍ଯ୍ୟ ଚାଲିଥିବାରୁ ଏଗୁଡ଼ିକରେ ସ୍ୱଛତା ଆଦୌ ରହୁ ନାହିଁ ଓ ଜନସାଧାରଣ ଅନ୍ଧକାର ମଧ୍ୟରେ ରହିଛନ୍ତି ବୋଲି କହିଛନ୍ତି ଶ୍ରୀ ମହାନ୍ତି । କେତେକ ଉଦାହରଣ ଦେବାକୁ ଯାଇ ଶ୍ରୀ ମହାନ୍ତି ପୁରୁଣାବଜାର ନାରାୟଣଚନ୍ଦ୍ର ହାଇସ୍କୁଲ, ଜିଲ୍ଲା ସ୍କୁଲ, ସାବରଙ୍ଗ ଉଚ୍ଚ ବିଦ୍ୟାଳୟରେ ବିନା ଟେଣ୍ଡରରେ କାର୍ଯ୍ୟ ଚାଲିଥିବା କହିଛନ୍ତି । ସେହିପରି ଭଦ୍ରକ ପୌରପାଳିକା ଅଧିନରେ ହୋଇଥିବା ଆଲୋକୀକରଣ କାର୍ଯ୍ୟ, ସେଲଫି ପଏଣ୍ଟ(ଆଇ ଲଭ ଭଦ୍ରକ), ରାସ୍ତା ଡିଭାଇଡର ମଝିରେ ଲଗାଯାଇଥିବା ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ଲଗାଇବା ପରି ବିଭିନ୍ନ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାବେଳେ, ଏଥି ନିମନ୍ତେ ଟେଣ୍ଡର ଡକାଯାଇ ନାହିଁ କିମ୍ବା କୌଣସି ଠାରେ ସୂଚନା ଫଳକ ଲଗାଯାଇ ନାହିଁ । ଅନୁରୂପ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା କୁହାଯାଉଥିଲେ ମଧ୍ୟ ସମସ୍ତ ବିଧି ବ୍ୟବସ୍ଥାକୁ ଉଲଂଘନ କରାଯାଇ ସରକାରୀ ଅର୍ଥକୁ ହଡ଼ପ କରାଯାଉଛି । ଏସମସ୍ତ ଯୋଜନା ସାଧାରଣ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ଯୋଜନା ହୋଇଥିବାରୁ, ଏକ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ହିସାବରେ ସମସ୍ତ କାର୍ଯ୍ୟରେ ସ୍ୱଛତା ରକ୍ଷା ନିମନ୍ତେ କଂଗ୍ରେସ ଦାବି କରିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଯଦି ଏସମସ୍ତ ଅଭିଯୋଗର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ କଂଗ୍ରେସ ଦଳ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ । ସ୍ମାରକପତ୍ର ପ୍ରଦାନ ସମୟରେ ଦଳର ବରିଷ୍ଠ ନେତା ଅଶ୍ରଫ ଅଲ୍ଲୀ ଖାଁ, ସେକ୍ ସିରାଜୁଦ୍ଦିନ, ରବୀନ୍ଦ୍ର ଜେନା, ମିର୍ଜା ଏକ୍ରାମ, ଏନାମୁଲ ହକ୍‌, ପିତବାସ ଧଳ, ପଦ୍ମଲୋଚନ ବେହେରା, ସେକ୍ ଜଫିରୁଦ୍ଦିନ, ବିଜୟ ବାରିକ, ରଂଜନ ଜେନା, ହେମନ୍ତ ମହାପାତ୍ର, ସେକ୍ ଫରିଜୁଦ୍ଦିନ, ଇଲିୟାସ ଅଲ୍ଲୀ ଖାନ, ସେକ୍ ନଫିସ ଖାନ, ଫଏଜାନ ଅଲ୍ଲୀ, ଜିକୁ ସେକ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.