Home ଜିଲ୍ଲା ପରିକ୍ରମା ବିଧାୟକ ବିଷ୍ଣୁ ସେଠୀଙ୍କୁ ତୁରନ୍ତ ଗିରଫ କର

ବିଧାୟକ ବିଷ୍ଣୁ ସେଠୀଙ୍କୁ ତୁରନ୍ତ ଗିରଫ କର

22

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୦ ଡିସେମ୍ବରକୁ ପୃଥିବୀ ତମାମ ମାନବ ଅଧିକାର ଦିବସ ରୂପେ ପାଳନ କରାଯାଉଥିବା ବେଳେ ଭଦ୍ରକର ଏକ ହୋଟେଲରେ ଅନୁଷ୍ଠିତ ହେଉଥିବା ଏହି ଉପଲକ୍ଷେ ସଭାରେ ବିରୋଧୀ ଦଳର ଉପନେତା ତଥା ବିଜେପିର ବରିଷ୍ଠ ନେତା ଧାମନଗର ବିଧାୟକ ବିଷ୍ଣୁ ସେଠୀ ନାରୀମାନଙ୍କ ପ୍ରତି ଅଭଦ୍ରୋଚିତ ଅସାମ୍ବିଧାନିକ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନାରୀଜାତି ପ୍ରତି ତାଙ୍କର ଅଶାଳୀନ ମନ୍ତବ୍ୟକୁ ପ୍ରତିବାଦ କରି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସର୍ବଭାରତୀୟ ସମ୍ପାଦିକା ତାପସୀ ପ୍ରହରାଜ ଶ୍ରୀଯୁକ୍ତ ସେଠୀଙ୍କ ବିରୁଦ୍ଧରେ ଭଦ୍ରକ ଏସ୍‌ପିଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ଶ୍ରୀଯୁକ୍ତ ସେଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି । ଶ୍ରୀଯୁକ୍ତ ସେଠୀ ସଭାକୁ ନିମନ୍ତ୍ରିତ ହୋଇ ନଥିବା ସତ୍ତ୍ୱେ ତାଙ୍କର ଉପସ୍ଥିତିକୁ ଦେଖି ଆୟୋଜକମାନେ ତାଙ୍କୁ ସଭାରେ ଜଣେ ଅତିଥି ଭାବେ ମଞ୍ଚାସିନ କରାଇଥିଲେ । ସଭାରେ ତାଙ୍କୁ କହିବାର ସୁଯୋଗ ମଧ୍ୟ ଦିଆ ଯାଇଥିଲା । ମାତ୍ର ଶ୍ରୀଯୁକ୍ତ ସେଠୀ ଜଣେ ନିର୍ବାଚିତ ପ୍ରତିନିଧି ହୋଇ ମଧ୍ୟ ସୌଜନ୍ୟତାର ସବୁ ସୀମା ଲଂଘି ‘ମହିଳାମାନେ କେବେ ବି ପୁରୁଷଙ୍କ ସହ ସମାନ ହୋଇ ପାରିବେ ନାହିଁ, ଅଧିକାର ନାମରେ ସ୍ୱେଚ୍ଛାଚାରିତା କରୁଛନ୍ତି, ସ୍ୱାମୀମାନେ ତାଙ୍କର ପାଦ ଚାଟନ୍ତୁ ବୋଲି ଚାହୁଁଛନ୍ତି’ ଭଳି ମନ୍ତବ୍ୟ ଦେବା ସମଗ୍ର ନାରୀ ସମାଜ ପ୍ରତି ଅସମ୍ମାନ ତଥା ଘୋର ଅବମାନନା । କେବଳ ଏତିକି ନୁହେଁ ମଞ୍ଚରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ଶ୍ରୀମତୀ ପ୍ରହରାଜ ସଭା ଛାଡି ଚାଲିଯିବା ପାଇଁ ସଭାରେ ଅଧ୍ୟକ୍ଷତା କରୁଥିବା ବରିଷ୍ଠ ଆଇନଜୀବୀ ଡ. ଟହଲୀ ଚରଣ ମହାନ୍ତିଙ୍କ ଠାରୁ ଅନୁମତି ମାଗୁଥିବା ବେଳେ ଶ୍ରୀଯୁକ୍ତ ସେଠୀ ମାଇକ୍ ଛାଡି ଶ୍ରୀମତୀ ପ୍ରହରାଜଙ୍କ ପାଖକୁ ଆସି ଅଶାଳୀନ ଭାଷା ପ୍ରୟୋଗ କରି ତାଙ୍କୁ ଧମକ ଦେବା ବିଜେପିର ମହିଳା ବିରୋଧୀ ଚିତ୍ରର ପ୍ରମାଣ ଦେଇଥିଲା । ଶ୍ରୀଯୁକ୍ତ ସେଠୀଙ୍କର ଏଭଳି ଅଭଦ୍ରାମି ବ୍ୟବହାରକୁ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲ୍ଲା ଶାଖା ତୀବ୍ର ନିନ୍ଦା କରୁଛି । ଭଦ୍ରକ ମାଟି ‘ଅତିଥି ଦେବୋଭବ’ ସଂସ୍କୃତିରେ ବିଶ୍ୱାସ କରୁଥିବା ବେଳେ ଜିଲ୍ଲାକୁ ଆସୁଥିବା ଅତିଥିମାନଙ୍କ ପ୍ରତି ଜିଲ୍ଲାର ଜଣେ ଲୋକ ପ୍ରତିନିଧିଙ୍କର ଏପରି ବ୍ୟବହାର ସମଗ୍ର ଭଦ୍ରକବାସୀଙ୍କ ପାଇଁ ଲଜ୍ଜା । ବିଧାୟକ ଶ୍ରୀଯୁକ୍ତ ସେଠୀଙ୍କୁ ତୁରନ୍ତ ଗିରଫ କରିବାକୁ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲ୍ଲା ଶାଖା ସଭାପତି ପ୍ରତିଭା ଜେନା, ସମ୍ପାଦିକା ମମତା ଜେନା, ସୁମତୀ ନାୟକ, ଶିଖା ମହାପାତ୍ର, ସୀତାରାଣୀ ଦାଶ, ରୋଜାଲିନ ସାମ୍ୟବାଦୀ, କାମିନୀ ଭୋଇ, ଶାନ୍ତିଲତା ନାୟକ ପ୍ରମୁଖ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.