Home ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ: ୭ଟି ବିଲ୍ ଉପସ୍ଥାପନ କଲେ ସରକାର, ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ...

ବିଧାନସଭା ମୌସୁମୀ ଅଧିବେଶନ: ୭ଟି ବିଲ୍ ଉପସ୍ଥାପନ କଲେ ସରକାର, ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ ବିରୋଧ

139

ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଧମ ଦିନରେ ବିଧାନସଭାରେ ଉପସ୍ଥାପିତ ହୋଇଛି ୭ଟି ବିଲ୍। ତେବେ ପ୍ରଧମ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି। ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ବିଧାନସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବିଧାୟକ ପ୍ରଫୁଲ୍ଲ ସାମଲ, ବଦ୍ରିନାରାୟଣ ପାତ୍ର, ଶଶୀଭୂଷଣ ବେହେରା, ନିତ୍ୟାନନ୍ଦ ସାହୁ, ଉଷା ଦେବୀ ଓ ସାବିତ୍ରୀ ଅଗ୍ରୱାଲ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ରାଜେନ୍ଦ୍ର ଢ଼ୋଲକିଆ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ବାଚସ୍ପତି ଶ୍ରୀ ପାତ୍ର ଗୃହରେ ଉପସ୍ଥିତ ରହିଥିଲେ।

ପ୍ରଥମ କାର୍ଯ୍ୟ ଦିବସରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଅନ୍ୟ ଦିବଙ୍ଗତ ବିଧାୟକ, ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସମେତ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସ୍ମୃତି, ଶ୍ରଦ୍ଧାଞ୍ଜଳି ପରେ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ ଓ ମନ୍ତ୍ରୀ ମାସ୍କ, ଫେସ ସିଲଡ ଓ ଗ୍ଲୋବସ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ସମସ୍ତ ବିଧାୟକ ସାମାଜିକ ଦୂରତା ଅବଲମ୍ବନ କରିଥିବା ବେଳେ ସବୁ ସିଟ ଆଗରେ କାଚ କଭର ଲଗାଯାଇଛି।

ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ତ୍ରୀ ନବକିଶୋର ଦାସ, ପ୍ରତାପ ଜେନା, ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଓ ଅରୁଣ ସାହୁ ନିଜ ନିଜ ବିଭାଗର ବିଲ୍ ଉପସ୍ଥାପନ କରିଥିଲେ। ଏହି ବିଲ ଗୁଡ଼ିକ ମଧ୍ୟରେ ସଂକ୍ରାମକ ରୋଗ (ଓଡ଼ିଶା ସଂଶୋଧନ) ବିଲ, ନ୍ୟାୟାଳୟ ଫି’ (ଓଡ଼ିଶା ସଂଶୋଧନ) ବିଲ୍, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଶିଳ୍ପ ବିବାଦ(ଓଡ଼ିଶା ସଂଶୋଧନ) ବିଲ୍, ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଗୃହରେ ଉପସ୍ଥାପନ କରି ଏହାକୁ ପାରିତ ନିମନ୍ତେ ଗୃହର ଅନୁମୋଦନ ଲୋଡ଼ିଥିଲେ।

– ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ
ଉଭୟ କଂଗ୍ରେସ ଏବଂ ବିଜେପି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତିଯେ, ସରକାର ନିଜ ଅଧୀନରେ ବିଶ୍ୱବିଦ୍ୟାଳୟକୁ ରଖିବାକୁ ଚାହୁଁଛନ୍ତି। ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଉଛି। ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ଶ୍ରୀ ନାୟକ ପ୍ରଶ୍ନ ଉଠାଇଛନ୍ତି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିଶ୍ୱବିଦ୍ୟାଳୟ ବିଲକୁ କଳା ବିଲ୍ ବୋଲି କହିବା ସହିତ ଗୃହରେ ବିଲକୁ ଚିରି ଦେଇଥିଲେ ଏବଂ ଏହାକୁ ସିଲେକ୍ସନ କମିଟିକୁ ପଠାଇବାକୁ ଦାବି କରିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ବିରୋଧ କରିଥିଲେ। ନରସିଂହ ମିଶ୍ର କହିଥିଲେଯେ, ଏବେ କରୋନା ସମୟ। କରୋନାଠାରୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଥାଇପାରେ। ସରକାର କରୋନା ମୁକାବିଲା ଉପରେ ଧ୍ୟାନ ନଦେଇ ବିଶ୍ୱବିଦ୍ୟାଳୟ ବିଲକୁ ପାରିତ କରିବା ପାଇଁ ଏତେ ବ୍ୟସ୍ତ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ଏହାକୁ ତରବରିଆ ଭାବେ ପାସ୍ ନକରିବା ପାଇଁ ସେ ଦାବି କରିଥିଲେ।

ମାସ୍କ ଦୁର୍ନୀତି ଓ କୋଭିଡ୍ ପରିଚାଳନାରେ ଅବ୍ୟବସ୍ଥା ପ୍ରସଙ୍ଗ
କରୋନା ମୁକାବିଲା ନାଁରେ ମାସ୍କ ଓ ପିପିଇ କିଟରେ ହୋଇଥିବା ଦୁର୍ନୀତିର କଥା ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ସେହିପରି କୋଭିଡ ଅବ୍ୟବସ୍ଥା ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଥିଲେଯେ, ଭୁବନେଶ୍ୱର, ଖୋର୍ଦ୍ଧା ଜଟଣିରେ ୪୦୦ ଲୋକ ମରିଲେଣି। କିନ୍ତୁ ମେଡିକାଲରେ ସାଧାରଣ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ଥିବା ବେଳେ ଅନ୍ୟ ରୋଗରେ ପୀଡିତ ଥିବା ଲୋକ ଅଧିକ ହଇରାଣ ହେଉଛନ୍ତି। ତେଣୁ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ବିଧାନସଭାରେ ଦାବି କରିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.