ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରୀ ବିରୋଧରେ ଆଜି ଭଦ୍ରକ ଜିଲ୍ଲା ବନ୍ତ ବିଜେପି ପକ୍ଷରୁ ଜନଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ହଜାର ହଜାର ସଂଖ୍ୟାରେ ଦଳୀୟ ସମର୍ଥକ ହାତରେ ବ୍ୟାନର୍ ଓ ପ୍ଲାକାର୍ଡ଼ ଧରି ଜଳସେଚନ କାର୍ଯ୍ୟାଳୟ ଓ କେନ୍ଦୁଆପଦା ଛକ ସ୍ଥିତ ପେଟ୍ରୋଲ ପମ୍ପରୁ ଶତାଧିକ କର୍ମୀ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଦଳୀୟ ନେତୃବୃନ୍ଦଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗ ଦେଇ କହିଲେ, ନବୀନ ପଟ୍ଟନାୟକଙ୍କୁ ଓଡ଼ିିଶାର ଶାଢ଼େ୪କୋଟି ଜନତା ଭୋଟ ଦେଇ ଶାସନ ଗାଦିରେ ବସାଇଛନ୍ତି, ମାତ୍ର ସରକାର ଏବେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଛି । ସାଧାରଣ ଲୋକଙ୍କ କଥା ବୁଝିବାକୁ କେହି ନାହାଁନ୍ତି । ଶିକ୍ଷକ, ଆଶା,ଅଙ୍ଗନୱାଡି କର୍ମୀ, କଳାକାର, ଗାଁ ସାଥି ସର୍ବୋପରି ସରପଞ୍ଚ ଓ ସମିତି ସଭ୍ୟ ପରି ନିର୍ବାଚିତ ଜନ ପ୍ରତିନିଧି ମାନେ ଆଜି ଭୁବନେଶ୍ୱର ରାଜ ରାସ୍ତାରେ ନିଜର ହକ୍ ପାଇଁ ଶୀତ କାକରରେ ପଡ଼ି ରହୁଛନ୍ତି । ସରକାରରେ ଥିବା ମନ୍ତ୍ରୀ ବିଧାୟକ ମାନେ ଆଜି ସାଧାରଣରେ ଦୃଶ୍ୟମାନ ହେଉ ନଥିବା ବେଳେ ଜଣେ ବାହାର ରାଜ୍ୟର ଲୋକ ଦ୍ୱାରା ଏକ ଛତ୍ରବାଦ ତାମିଲ ଶାସନ ଚାଲିଛି । ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।
ଆଗାମୀ ନିର୍ବାଚନରେ ଏକ ଛତ୍ରବାଦ ଶାସନର ଅନ୍ତ ହେବାକୁ ଯାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ । ସଭାରେ ରାଜ୍ୟ ଉପ-ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ, ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ବରିଷ୍ଠ ବିଜେପି ନେତା ଡଃ.ସୁଧାଂଶୁ ଶେଖର ନାୟକ, ପୂର୍ବତନ ସଙ୍ଗଠନ ମହାମନ୍ତ୍ରୀ ପଞ୍ଚାନନ ରାଉତ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବକ୍ତବ୍ୟ ରଖିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ନିରୁପମା ରାଉତ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଶୋକ କୁମାର ପରିଜା, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ବରଡେଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ମହତାବ ମଣ୍ଡଳ ସାଧାରଣ ସଂପାଦକ ଅମୂଲ୍ୟରତ୍ନ ନନ୍ଦ, କମଳାକାନ୍ତ ସାହୁ, ଶଙ୍କର୍ଷଣ ଜେନା, ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ପଙ୍କଜିନୀ ଲେଙ୍କା, କିଶୋର କିଙ୍କର ପଢ଼ିଆରି, ହେମନ୍ତ ମଳିକ, କେଦାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଏକ ଶୋଭାଯାତ୍ରାରେ ଯାଇ ୭ ଦଫା ଦାବୀ ପତ୍ର ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ଏହି ଜନଆକ୍ରୋଶ ସମାବେଶରେ କର୍ମୀ ମାନଙ୍କ ମଧ୍ୟରେ ନୂତନ ଉନ୍ମାଦ ପରିଲଖିତ ହେବାର ଦେଖା ଦେଇଛି ।