Home Top News ବିଜେଡିର ଗଡ ରକ୍ଷା, କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ, ଖାତା ଖୋଲିବାକୁ ବିଜେପିର ପ୍ରୟାସ

ବିଜେଡିର ଗଡ ରକ୍ଷା, କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ, ଖାତା ଖୋଲିବାକୁ ବିଜେପିର ପ୍ରୟାସ

62

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଖେଇ ଆସୁଛି ନିର୍ବାଚନ ତାରିଖ। ଏହି ତାରିଖ ଯେତିକି ପାଖେଇ ଆସୁଛି ଗାଁ ଗହଳିରେ ରାଜନୈତିକ ତାତି ସେତିକି ବଢୁଛି। ଛକଠାରୁ ଦୋକାନ ବଜାର ଆଉ ଘର ପିଣ୍ଢା ଠାରୁ ଗାଁ ପୋଖରୀ ଆଡି ସବୁଠି ଚାଲିଛି ରାଜନୀତିର ଚର୍ଚ୍ଚା। ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରୁଛନ୍ତି। ସବୁ ଭୋଟରଙ୍କ ନିକଟତମ ହେବାକୁ ପ୍ରାର୍ଥୀ ଜୋରଦାର ଉଦ୍ୟମ ଚଳାଇଛନ୍ତି। କଳ କୌଶଳ ଲଗାଇ ଭୋଟରଙ୍କୁ ଭୋଟ୍ ପାଇଁ ନିବେଦନ କରୁଛନ୍ତି। ତେବେ ଏଥର ପଞ୍ଚାୟତ ନିର୍ବାଚନ ସବୁ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। ସବୁ ଦଳର ଫଳାଫଳ ଆଗାମୀସାଧାରଣ ନିର୍ବାଚନ ପାଇଁ ଶକ୍ତି ଗୋଟାଇବ। ଗତଥର ପରି ବିଜେଡି ପୁଣି ପଂଚାୟତ ସିମିତି ହାତେଇ ଗଡରକ୍ଷା କରିବାକୁ ଚାହୁଁଥିବାବେଳେ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଗତ ପଂଚାୟତ ନିର୍ବାଚନ ଫଳାଫଳ ଠାରୁ ଏଥର ଯଥେଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ସମିତି ଦଖଲ ଲକ୍ଷ୍ୟରେ କଂଗ୍ରେସ ରହିଛି। ପଂଚାୟତ ନିର୍ବାଚନ ଲଢେଇରେ ବିଜେପି ପଛରେ ପଡିନି। ସବୁ ପଂଚାୟତରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢୁଛି। ଲଢେଇରେ ଏକାଧିକ ପଂଚାୟତରେ ବିଜୟୀ ହୋଇ ଖାତାର ଫର୍ଦ୍ଦ ଓଲଟାଇବାକୁ ଜୋରଦାର ପ୍ରୟାସ କରୁଛି। ବ୍ଲକ୍‌ର ୩୬ ପଂଚାୟତରେ ଏଥର ନିର୍ବାଚନ ହେଉଛି। ସବୁ ଦଳର ହାଇକମାଣ୍ଡ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଗୋଟି ଚାଳନାରେ ରହିଛନ୍ତି। ବିଶେଷକରି ପଂଚାୟତ ସମିତି ଦଖଲ କରିବାକୁ ବିଜେଡି ଆଉ କଂଗ୍ରେସ ଗୋଡ କାଢି ବସିଥିବାବେଳେ ବିଜେପି ରୋକ୍ ଲଗାଇବାକୁ ରଣକୌଶଳ କରୁଥିବା କୁହାଯାଉଛି। ଗତ ପଂଚାୟତ ନିର୍ବାଚନରେ ବିଜେଡିର ବିଷ୍ଣୁବ୍ରତ ରାଉତରାୟ ପରିଚାଳନା ମଙ୍ଗ ଧରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ୨୩ ଜଣ ସରପଞ୍ଚ ଓ ୨୦ ରୁ ଉର୍ଦ୍ଧ୍ୱ ସମିତି ସଭ୍ୟ ବିଜୟୀ ହୋଇଥିଲେ। ବିପୁଳ ସମର୍ଥନ ପାଇ ପୂର୍ଣ୍ଣିମା ମଲ୍ଲିକ ଅଧ୍ୟକ୍ଷ ଆସନରେ ବସିଥିଲେ।

କଂଗ୍ରେସର ସେ ସମୟରେ ବହୁ ଅଭିଜ୍ଞ ତଥା ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ ନିର୍ବାଚନ ପରିଚାଳନା କରିଥିଲେ। ଶ୍ରୀ ମଲ୍ଲିକଙ୍କୁ ସାଥ ଦେଇପାରେ ଯୁବନେତା ଅଶୋକ କୁମାର ଦାସ। ଦୁଇ ନେତାଙ୍କ ପରିଚାଳନାରେ ୧୨ଯି ସରପଞ୍ଚ ଓ ୧୧ଟି ସମିତିସଭ୍ୟ ଆସନ ମିଳିଥିଲା କଂଗ୍ରେସକୁ। ବିଜେପିର ବରିଷ୍ଠ ନେତା ଦୀନବନ୍ଧୁ ପତିଙ୍କ ପରିଚାଳନାରେ ଗୋଟିଏ ପଂଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀ ସରପଞ୍ଚ ଭାବେ ବିଜୟୀ ହୋଇ ଖାତା ଖୋଲିଥିଲେ। ବିଧାୟକ ହେବା ପରେ ଶ୍ରୀ ରାଉତରାୟ ପୁଣି ପଂଚାୟତ ନିର୍ବାଚନକୁ ନିଜେ ପରିଚାଳନା କରୁଛନ୍ତି। ଗତ ନିର୍ବାଚନକୁ ମିଶାଇଲେ ଏଥର ପଂଚାୟତ ନିର୍ବାଚନ ପରିଚାଳନା ତାଙ୍କର ଦ୍ୱିତୀୟ ପାଳି କୁହାଯାଉଛି। ହେଲେ ଦ୍ୱିତୀୟ ପାଳିର ପ୍ରାର୍ଥୀ ମନୋନୟନରେ ଅଡୁଆକୁ ନେଇ କେତେକ ପଂଚାୟତରେ ଗୋଟିଏ ଗୋଟିଏ ପଦରେ ଦୁଇଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ନଜରକୁ ଆସୁଛି। ଦଳ ଭିତରେ ସନ୍ତୁଷ୍ଟ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପାଇଁ ସେହି ପଂଚାୟତରେ କଂଗ୍ରେସ ଆଉ ବିଜେପି ପ୍ରାର୍ଥୀ ଫାଇଦା ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଚର୍ଚ୍ଚାକୁ ବ୍ଲକ୍ ସଭାପତି ଦୀନବନ୍ଧୁ ଦାସ ହାଲକା ଭାବେ ନେଇଛନ୍ତି। ବିଜେଡିର ସମର୍ଥନରେ ନିର୍ବାଚନ ଲଢୁଥିବା ସବୁ ପ୍ରାର୍ଥୀ ବହୁ ସଂଖ୍ୟାରେ ଭୋଟ ପାଇବେ। ଆଉ ବିଜେଡି ପୁଣି ପଂଚାୟତ ସମିତି ଦଖଲ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି ଶ୍ରୀ ଦାସ। ଅନ୍ୟପଟେ ଗତ ପଂଚାୟତ ନିର୍ବାଚନରେ କଂଗ୍ରେସର ମଙ୍ଗଳ ଧରିଥିବା ମାଧବାନନ୍ଦ ମଲ୍ଲିକ ଦଳ ଛାଡିବା ପରେ ତାଙ୍କୁ ସାଥ ଦେଉଥିବା କଂଗ୍ରେସର ନେତା ଅଶୋକ କୁମାର ଦାସ ସିଧାସଳଖ ଏଥର ପଂଚାୟତ ନିର୍ବାଚନ ପରିଚାଳନା କରୁଛନ୍ତି। ପୂର୍ବ ନିର୍ବାଚନର ବିଜୟ ସଂଖ୍ୟାକୁ ବଢି ପଂଚାୟତ ସମିତି ଦଖଲ କରିବା ଲକ୍ଷ୍ୟରେ ରହିଛନ୍ତି ଶ୍ରୀ ଦାସ। ହେଲେ ବିଜେଡି ଆଉ କଂଗ୍ରେସ ନେତାଙ୍କ ପଂଚାୟତ ସମିତି ଦଖଲ ଦୃଢୋକ୍ତିକୁ ଭାଙ୍ଗିବାକୁ ବିଜେପିର ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ ପୁରା ଦମ୍‌ରେ ଲାଗିଛନ୍ତି। ଶ୍ରୀ ମଲ୍ଲିକ ଏଥର ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇଛନ୍ତି। ତାଙ୍କର ପୁତ୍ର ତଥା ଜିଲା ଉପସଭାପତି ଉଦୟ ନାରାୟଣ ମଲ୍ଲିକ ମଧ୍ୟ ପରିଚାଳନାର ମୁଖ୍ୟ ଭାର ବହନ କରିଛନ୍ତି। ଏଥର ଏକାଧିକ ପଂଚାୟତରେ ବିଜେପି ପ୍ରାର୍ଥୀଙ୍କ ବିଜୟୀ ହେବେ। ଆଉ କଂଗ୍ରେସ ଆଉ ବିଜେଡିର ପଂଚାୟତ ସମିତି ଦଖଲରେ ରୋକ୍ ଲଗାଇବ ବୋଲି ଯୁବନେତା ଶ୍ରୀ ମଲ୍ଲିକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.