Home ଜିଲ୍ଲା ପରିକ୍ରମା ବିକାଶର ସଂଜ୍ଞା ଖୋଜୁଛନ୍ତି ତାରିଣୀ କୁଷ୍ଠ କଲୋନୀ ବାସିନ୍ଦା : ସର୍ବନିମ୍ନ ମୌଳିକ ସେବାରୁ ବଞ୍ଚିତ

ବିକାଶର ସଂଜ୍ଞା ଖୋଜୁଛନ୍ତି ତାରିଣୀ କୁଷ୍ଠ କଲୋନୀ ବାସିନ୍ଦା : ସର୍ବନିମ୍ନ ମୌଳିକ ସେବାରୁ ବଞ୍ଚିତ

106

ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଭଦ୍ରକ ପୌରାଞ୍ଚଳ ସୀମାକୁ ଲାଗି ରାନ୍ଦିଆ ନିକଟସ୍ଥ ଡ଼ଗମୁଣ୍ଡ ଠାରେ ରହିଛି ତାରିଣୀ କୁଷ୍ଠ କଲୋନୀ। ମହାବାତ୍ୟା ପରେ ଯେତେବେଳେ ଥଇଥାନ ଏକ ବିରାଟ ସମସ୍ୟା ଭାବେ ଦେଖା ଦେଇଥିଲା ପ୍ରଶାସନ ପକ୍ଷରୁ ଏଠାରେ କେତେକ ପରିବାରଙ୍କୁ ସେଠାରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏସମସ୍ତ ପରିବାରଙ୍କୁ ସେମାନଙ୍କ ଜାଗା ଚିହ୍ନାଇ ଦିଆଯାଇଥିଲା। କେବଳ ଜାଗା ଚିହ୍ନଟ କରି ଦେଇ ପ୍ରଶାସନ ନିଜର କାମ ସାରି ଦେଇଥିଲା। ଅପରପକ୍ଷରେ କଲୋନୀ ବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ବିକାଶର ଚିତ୍ର ଦେଖାଇଛନ୍ତି ଓ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। କିନ୍ତୁ ଇତି ମଧ୍ୟରେ ୨୧ବର୍ଷ ବିତିବାକୁ ବସିଛି କିନ୍ତୁ ଉକ୍ତ କଲୋନୀ ବାସିନ୍ଦାଙ୍କ ଭାଗ୍ୟରେ ପରିବର୍ତ୍ତନ ଆସି ନାହିଁ। ଫଳରେ ବିକାଶ ଠାରୁ ବହୁ ଦୂରରେ ରହି ଯାଇଛି ଏହି କଲୋନୀ। ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସିଛନ୍ତି ଉକ୍ତ କଲୋନୀ ବାସିନ୍ଦା। ସେମାନଙ୍କ ପ୍ରତି ସରକାରୀଙ୍କ କର୍ତ୍ତବ୍ୟ ଧର୍ମକୁ ଆଖିଠାର ହୋଇଥିବାବେଳେ, ବହୁ ସାମଜିକ ସଂଗଠନ ସେମାନଙ୍କ ନିକଟରେ ପହଞ୍ଚି ବିଭିନ୍ନ ସମୟରେ ସହଯୋଗର ହାତ ବଢ଼ାଇ ଆସିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ଜନୈକ ଆଇନଜୀବୀ ତଥା ମାନବାଧିକାର ସୁରକ୍ଷା ପାଇଁ ଲଢ଼େଇ ଜାରୀ ରଖିଥିବା ରାଧାକାନ୍ତ ତ୍ରିପାଠୀ ସେମାନଙ୍କ ନ୍ୟାୟୋଚିତ ଅଧିକାର ସାବ୍ୟସ୍ତ ପାଇଁ ନିଜର ଉଦ୍ୟମ ଜାରୀ ରଖିଛନ୍ତି। ୧୯୯୯ ମସିହା ମହାବାତ୍ୟା ପରେ ଜନ୍ମ ନେଇଥିଲା ଡ଼ଗମୁଣ୍ଡ ଠାରେ ଏହି କଲୋନୀ। କଲୋନୀର ପ୍ରାୟ ୫୦ ଭାଗ ଲୋକ କୁଷ୍ଠ ରୋଗାକ୍ରାନ୍ତ ହୋଇଥିବାବେଳେ ୮୦ ଭାଗ ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ଭିକ୍ଷାବୃତ୍ତି। ମହାବାତ୍ୟା ପରେ ସେମାନଙ୍କୁ ପ୍ରଶାସନ ଏଠାରେ ଥଇଥାନ କରି ଦାୟିତ୍ୱ ସାରି ଦେଇଛି। ସେହି ଦିନ ଠାରୁ ବାସହରା ଏହି ଗରିବ ଲୋକମାନେ ନଡ଼ା ଛପର ଘର କରି ସେଠାରେ ଆଶ୍ରୟ ନେଇ ଆସୁଛନ୍ତି। ଉକ୍ତ କଲୋନୀକୁ ଯିବାକୁ ରାସ୍ତା ନଥିବାରୁ କଲୋନୀ ବାସିନ୍ଦା କେନାଲ ବନ୍ଧରେ ମାଟି ପକାଇ ଏକ ଅସ୍ଥାୟୀ ରାସ୍ତା ତିଆରି କରିଥିଲେ। ବିଭିନ୍ନ ସମୟରେ ନିର୍ବାଚନ ପୂର୍ବରୁ ଉକ୍ତ କଲୋନୀକୁ ପକ୍କା ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ପକ୍କା ହେବା ଦୂରର କଥା ମୋରମ ମୁଠାଏ ବି ଏଠାରେ ପଡ଼ିନି। ସେହିପରି ସେମାନେ ବିଜୁଳୀ ପରି ଏକ ଅତ୍ୟାବଶ୍ୟକ ସେବାରୁ ମଧ୍ୟ ବଞ୍ଚିତ। ଆଜି ପର୍ଯ୍ୟନ୍ତ ସ୍ଥାୟୀ ଭାବେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉକ୍ତ କଲୋନୀରେ ପୋତା ଯାଇନି। ପ୍ରଶାସନ ଦ୍ୱାରା ସେମାନଙ୍କୁ ଥଇଥାନ କରାଯାଇଥିଲେ ବି ଜମିର ମାଲିକାନା ସତ୍ତ୍ୱ ସେମାନଙ୍କୁ ମିଳିନି। ଫଳରେ ବିଭିନ୍ନ ପ୍ରକାର ପ୍ରମାଣପତ୍ର ନପାଇ ସେମାନଙ୍କ ପିଲାଙ୍କ ଉଚ୍ଚତର ଶିକ୍ଷା ଗ୍ରହଣରେ ସମସ୍ୟା ଦେଖାଦେଇଛି। ଗାଁରେ ଏକ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ଅଛି। କିନ୍ତୁ ପ୍ରୋତ୍ସାହନ ଅଭାବରୁ ପିଲା ସଂଖ୍ୟା ନାହିଁ। ଉକ୍ତ କଲୋନୀରେ ସରକାରୀ ଭାବେ ୨ଟି ଏବଂ ରୋଟାରୀ କ୍ଲବ୍ ଜରିଆରେ ଗୋଟିଏ ନଳକୂପ ବସାଯାଇଥିଲା। ସରକାରୀ ନଳକୂପ ଦୁଇଟି କେବେ ଠାରୁ ଅଚଳ ପଡିଛି। ତେବେ ବସ୍ତିର ସବୁ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି ଓ କେତେକ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଅପରପକ୍ଷେ ବସ୍ତିକୁ ସଂଯୋଗ କରୁଥିବା କେନାଲ ରାସ୍ତା ଜଳସେଚନ ବିଭାଗର ହୋଇଥିବା ହେତୁ ସେଥିରେ ରାସ୍ତା ନିର୍ମାଣ ସମ୍ଭବ ହୋଇପାରୁନଥିବା ଜନ ପ୍ରତିନିଧିମାନେ ସଫେଇ ଦେଉଥିବା କଥା ଅଭିଯୋଗ କରିଥାନ୍ତି ବସ୍ତି ବାସିନ୍ଦା। ସେହିପରି ସେମାନେ ରହୁଥିବା ଜମିକୁ ପ୍ରଥମେ ଅନାବାଦୀ ଗୋଚର କୁହାଯାଉଥିବା ବେଳେ ଏବେ ଶ୍ମଶାନ ଜମି ଆଖ୍ୟା ଦେଇ ସେମାନଙ୍କୁ ଜମି ପଟ୍ଟା ଦିଆଯାଉନଥିବା ଅଭିଯୋଗ ହେଉଛି। ବସ୍ତିର ଅଧିକାଂଶ ଲୋକ କୁଷ୍ଠ ପୀଡିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଅନୁରୂପ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉନଥିବା କଥା ସେମାନେ ଅଭିଯୋଗ କରନ୍ତି। ବସ୍ତିର ଏହି ସମସ୍ୟା ନେଇ ସେମାନେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଏପରିକି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି କରି ଥକିଲେଣି ହେଲେ ସେମାନଙ୍କ କଥା କେହି ଶୁଣୁନାହାଁନ୍ତି ବୋଲି ବସ୍ତିବାସିନ୍ଦାଙ୍କ ଅଭିଯୋଗ। ମୋଟାମୋଟି ଭାବେ ତାରିଣୀ କୁଷ୍ଠ କଲୋନୀବାସିନ୍ଦାଙ୍କ ପାଇଁ ବିକାଶ ଏବେ ମଧ୍ୟ ସ୍ୱପ୍ନ ହୋଇ ରହିଯାଇଛି। ଏହି ସ୍ୱପ୍ନକୁ ସାକର କରିବାକୁ ଶ୍ରୀ ତ୍ରିପାଠୀ ଉଦ୍ୟମ ଜାରୀ ରଖିଥିବା କୁହନ୍ତି। ବିଶେଷକରି ଖାଦ୍ୟ, ପାନୀୟ ଜଳ, ବାସଗୃହ, ସ୍ୱାସ୍ଥ୍ୟସେବା, ଗମନାଗମନ ପାଇଁ ରାସ୍ତା, ଜାତିଗତ ପ୍ରମାଣପତ୍ର ସେମାନଙ୍କୁ ଯୋଗାଇ ଦେବାକୁ ଶ୍ରୀ ତ୍ରିପାଠୀ ମାନବାôଦକାର କମିଶନଙ୍କ ନିକଟରେ ଦାୟର କରିଥିବା ଏକ ପିଟିସନରେ ନିବେଦନ କରିଥିଲେ। ଯାହାର ଚୂଡ଼ାନ୍ତ ଶୁଣାଣୀ ଶେଷ ପର୍ଯ୍ୟାୟରେ ରହିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.