Home ଜିଲ୍ଲା ପରିକ୍ରମା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ, ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ସମୟ ସୀମା ମଧ୍ୟରେ...

ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ, ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ସମୟ ସୀମା ମଧ୍ୟରେ ସମାପ୍ତି ପାଇଁ ନିର୍ଦ୍ଦେଶ

60

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନ କଲ୍ୟାଣକାରୀ ଓ ବିକାଶ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ପ୍ରଗତି ଓ ସମସ୍ୟା ସମ୍ବନ୍ଧରେ ସମୀକ୍ଷା କରାଯିବା ଉଦ୍ଦେଶ୍ୟରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସି.ଡି.ଓ. ସରୋଜ କୁମାର ଦତ୍ତ, ସହକାରୀ ନିର୍ଦ୍ଦେଶକ ପ୍ଲାନିଂ ମହେଶ ଚନ୍ଦ୍ର ସ୍ୱାଇଁ, ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଓ ବାସୁଦେବପୁର ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ଶୁଭେନ୍ଦୁ ଭୂଷଣ ବେହେରା ପ୍ରମୁଖ ଏହି ବୈଠକରେ ଯୋଗଦେଇ ବିଭାଗୀୟ ଅଧିକାରୀ ମାନଙ୍କ ଜରିଆରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାସୁଦେବପୁର ବ୍ଲକ୍ ଓ ମ୍ୟୁନିସିପାଲିଟି ଏବଂ ତିହିଡ଼ି ବ୍ଲକ୍‌ର ସଂପୃକ୍ତ ୯ଟି ପଞ୍ଚାୟତର ନିର୍ମାଣାଧୀନ ପ୍ରକଳ୍ପ ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ସମ୍ବନ୍ଧରେ ସମୀକ୍ଷା କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ସମବାୟ, ଆର୍‌.ଏମ୍‌.ସି., ସ୍ୱାସ୍ଥ୍ୟ, ବିଦ୍ୟୁତ୍‌, ଗ୍ରାମ୍ୟ ଜଳଯୋଗାଣ, ସର୍ବଶିକ୍ଷା, ଡ୍ରେନେଜ୍‌, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗୀୟ କାର୍ଯ୍ୟଧାରା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଖରିଫ୍ ଚାଷ ଅମଳ ପରେ ରବି ଫସଲରେ ସୂର୍ଯ୍ୟମୁଖୀ, ଡାଲି ଜାତୀୟ ଫସଲ, ସମନ୍ୱିତ କୃଷି ଉପରେ ପ୍ରାଧାନ୍ୟ ଦିଆଯିବା ସହିତ ପ୍ରଥମ କରି ମାଣ୍ଡିଆ ଚାଷ ଆରମ୍ଭ କରାଯିବା ପାଇଁ ଡେମନଷ୍ଟ୍ରେସନ କରିବା ନେଇ ବୈଠକରେ ବିଭାଗୀୟ ଅଧିକାରୀ ଶ୍ରୀଧର ଦାଶଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଇଥିଲା ।

ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନାରେ ଛତୁ, ଫୁଲ, ମହୁମାଛି ଚାଷ ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ପନିପରିବା ଚାଷୀ ମାନଙ୍କୁ ଯୋଜନା ଅନୁଯାୟୀ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ଏହିସବୁ ଯୋଜନାରେ ଥିବା ସୁବିଧା ସୁଯୋଗ ସମ୍ବନ୍ଧରେ ସେମାନଙ୍କୁ ଅଧିକ ସଚେତନତା କରାଯିବାର ଆବଶ୍ୟକତା ଅଛି ବୋଲି ସି.ଡି.ଓ. ପରାମର୍ଶ ପ୍ରଦାନ କରିଥିଲେ । ପୁରୁଣା ପୋଖରୀରେ ମାଛଚାଷ, ନୂଆ ପୋଖରୀ ଖନନ ଓ ମାଛଚାଷ, ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ପଞ୍ଚାୟତ ପୋଖରୀରେ ମାଛଚାଷ ପାଇଁ ସବ୍‌ସିଡି ବ୍ୟବସ୍ଥା, ବାସୁଦେବପୁରର ୬୦୦ ହେକ୍ଟର ଜମିରେ କରାଯାଉଥିବା ଚିଙ୍ଗୁଡ଼ି ଚାଷ ପାଇଁ ଅତ୍ୟାବଶ୍ୟକ ବିଦ୍ୟୁତ ଯୋଗାଣ, ଚୂଡ଼ାମଣି ବନ୍ଦର ଓ କଷିଆ ଜେଟିର ପୁନଃଉଦ୍ଧାର, ମରାମତି ଓ ନୂତନ ନିର୍ମାଣ ସମ୍ବନ୍ଧୀୟ ଅନୁଦାନ, ସମସ୍ୟା ଆଦି ସମ୍ବନ୍ଧରେ ମତ୍ସ୍ୟ ଅଧିକାରୀ ପ୍ରକାଶ ନାୟକ ଓ ସଂପୃକ୍ତ ଯନ୍ତ୍ରୀ ମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ଆଲୋଚନା କରାଯାଇ ପଦକ୍ଷେପ ନେବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା । ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣାଧୀନ ସମସ୍ତ ରାସ୍ତା, ପୋଲ ଆଦି କାମ ଅତିବେଶୀରେ ଜାନୁୟାରୀ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଆର୍‌.ଏମ୍‌.ସି. ଦ୍ୱାରା ବାସୁଦେବପୁର, ବେତଡ଼ା, ବାଲିମେଦ, ତିହିଡ଼ି, ନାୟକାଣୀଡିହ ଆଦି ଠାରେ ମରାମତି ଓ ନିର୍ମାଣ ହେବାକୁ ଥିବା ବଜାର ପିଣ୍ଡି ଯଥାଶୀଘ୍ର ସମାପ୍ତ କରିବା ସହ ଏବେ ଏବେ ୩୫ ଦୋକାନ ଭଙ୍ଗାଯାଇଥିବା ବାରାପୁର ଠାରେ ନୂତନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବାସୁଦେବପୁର ବି.ଡି.ଓ. ସଂଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡ଼ି ବି.ଡି.ଓ. ଜ୍ୟୋତିର୍ମୟ କର, ବାସୁଦେବପୁର ଏସ୍‌.ଡି.ପି.ଓ. ସୌରଭ ଓତା, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା ବାସୁଦେବପୁର ସମୀର ରଞ୍ଜନ ଦାସ ପ୍ରମୁଖଙ୍କ ସହ ଜିଲ୍ଲା ଓ ଉକ୍ତ ବ୍ଲକ ସ୍ତରୀୟ ସଂପୃକ୍ତ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.