ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାରିକପୁର ମା’ ବାସନ୍ତିଦୁର୍ଗା ବଜାର ପଦ୍ମା ଜୁଏଲାରୀରୁ ଗତକାଲି ରାତିରେ ମୁଖାପିନ୍ଧା ବନ୍ଧୁକଧାରୀମାନେ ଲୁଟ କରିଥିବା ଅଭିଯୋଗ ହୋଇଛି । ଜୁଏଲାରୀର କର୍ମଚାରୀ ଓ କାରିଗର ଅନିଲ ସାହୁ ଜୁଏଲାରୀ ଦୋକାନରେ ରାତ୍ରରେ ରହୁଥିଲେ । ପ୍ରତିଦିନ ଭଳି ଦୋକାନ ମାଲିକ ଶଙ୍କର ଦେ ଅନିଲକୁ ଛାଡି ଅନନ୍ତପୁର ଛକ ନିକଟରେ ଥିବା ବାସଭବନକୁ ଚାଲିଯାଇଥିଲେ । ଜୁଏଲାରୀର ଲୁହା ଚେଷ୍ଟ ଚାବିପଡିଥିଲା ବେଳେ ତିନିଗୋଟି ଡ୍ର ମଧ୍ୟ ତାଲା ପଡିଥିଲା । ଜୁଏଲାରୀ ସର୍ଟର ସାମାନ୍ୟ ଖୋଲା ରଖି ଅନିଲ ନିଜ ଡ୍ର ରେ ସୁନା ଅଂଶ ରଖି ଗହଣା ଗଢୁଥିଲେ । ଶୀତଦିନ ରାତ୍ର ହୋଇଥିବାରୁ ଅଧିକାଂଶ ଦୋକାନ ବନ୍ଦ ହୋଇଯାଇଥିଲା । ଏହି ସମୟରେ ଦୁଇଜଣ ବ୍ୟକ୍ତି ସୁନାକାନଫୁଲ କ୍ରୟ ପାଇଁ କର୍ମଚାରୀ ଅନିଲକୁ ଡାକିବା ସହ ଜୁଏଲାରୀ ସର୍ଟର ଟେକି ଭିତରକୁ ପ୍ରବେଶ କରିଥିଲେ । ସେମାନେ ମୁଖା ପିନ୍ଧିଥିଲେ ଓ ହାତରେ ବନ୍ଧୁକ ଧରିଥିଲେ । ଅନିଲକୁ ଭୟଭୀତ କରି ତାଲାପଡିଥିବା ୩ଟି ଡ୍ର ଭାଙ୍ଗିବା ସହ ସୁନିଲ ଡ୍ରରୁ ୧୫୦ ଗ୍ରାମ ଓଜନର ନିର୍ମାଣାଧିନ ସୁନା ଅଂଶ, ପ୍ରାୟ ଏକକିଲୋ ଓଜନର ରୂପା ଗହଣା ଓ ନଗତ ୨୦ ହଜାରଟଙ୍କା ନେଇ ପଛପଟ ଦ୍ୱାର ଖୋଲିବାକୁ କହିଥିଲେ । ଏହାସହ ଅନିଲର ମୋବାଇଲ ସିମ୍ କାର୍ଡକୁ ପୋଡିବାକୁ କହିଥିଲେ । ଭୟରେ ଅନିଲ ପଛଦ୍ୱାର ଖୋଲିବାରୁ ସେମାନେ ସେହିବାଟେ ପଳାଇଯାଇଥିଲେ ବୋଲି ଅନିଲ ପୁଲିସ ନିକଟରେ ବୟାନ ଦେଇଥିବା ଜଣାଯାଇଛି । ଅନିଲ ପାଖ ଦୋକାନୀକୁ ଘଟଣା ଜଣାଇବା ସହ ମାଲିକକୁ ଖବର ଦେଇଥିଲା । ଖବର ପାଇ ୧୬ ନଂ ଜାତୀୟ ରାଜପଥର ଧାମନଗର ଛକରେ ପାଟ୍ରୋଲିଂ କରୁଥିବା ଧାମନଗର ପୁଲିସ ଆସି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅନିଲକୁ ନେଇଯାଇଥିଲା ଓ ଦରପୋଡା ସିମ ଜବତ କରିଛି । ଆଜି ମାଲିକ ଶଙ୍କର ଥାନାରେ ଅଭିଯୋଗ କରିବା ପରେ ଥାନାରେ ୩୪୬/୨୧ନଂ ମାମଲା ଋଜୁ ହୋଇଛି । ପୁଲିସ ସାଇଣ୍ଟିଫିକ ଦଳ ଜୁଏଲାରୀ ତଦନ୍ତ କରି କରିଛି । ବନ୍ଧୁକ ଦେଖାଇ ଲୁଟ କରିବା ବାରିକପୁର ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାରୁ ସ୍ଥାନୀୟ ବଜାରରେ ଚାଞ୍ଚଲ୍ୟ ଖେଳିଯାଇଛି ।