Home ଜିଲ୍ଲା ପରିକ୍ରମା ବାରମ୍ବାର ଦାବି ସତ୍ୱେ ମରାମତି ହେଉନି ରାସ୍ତା, ବିପର୍ଯ୍ୟସ୍ତ ଗମନାଗମନ ପାଇଁ ଗାଡି ଅଟକାଇଲେ ଲୋକେ

ବାରମ୍ବାର ଦାବି ସତ୍ୱେ ମରାମତି ହେଉନି ରାସ୍ତା, ବିପର୍ଯ୍ୟସ୍ତ ଗମନାଗମନ ପାଇଁ ଗାଡି ଅଟକାଇଲେ ଲୋକେ

22

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଠାରୁ ଅନତି ଦୂରରେ ଥିବା ପାଳଦାବାଙ୍କ ନିକଟ ଯାଜପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଏବେ ବିଭିନ୍ନ ସ୍ଥାନରେ ବିପର୍ଯ୍ୟସ୍ତ ହୋଇପଡିଛି । କେଉଁଠି କଂକ୍ରିଟ୍ ଫାଟିଗଲାଣି ତ ପୁଣି କେଉଁଠି ରାସ୍ତା ଦବିଯାଇ ପଥଚାରୀଙ୍କ ନିମନ୍ତେ ଘୋର ବିପଦ ସୃଷ୍ଟି କରୁଛି । ବିଶେଷକରି ପାଳଦାବାଙ୍କ ଠାରେ ରାସ୍ତାର ଆରମ୍ଭ ସ୍ଥାନ ୧୦ ମିଟର ଏବେ ମରଣଯନ୍ତା ପାଲଟିଛି । ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ରାଜପଥ ନିର୍ମାଣ କରୁଥିବାବେଳେ ଏହି ସ୍ୱଳ୍ପ ଦୂରତା ରାସ୍ତାର ସ୍ଥାନକୁ ଛାଡିଦେଇଛି । ଏହା ପୂର୍ତ୍ତ ବିଭାଗ ଅଂଶ ବୋଲି ନିର୍ମାଣକାରୀ ସଂସ୍ଥା ଯୁକ୍ତି ଦର୍ଶାଇ କାମ ଛାଡିଯାଇଥିବାବେଳେ ପାଖାପାଖି ବର୍ଷେ ହେବ ଏହାର ମରାମତି ହୋଇପାରୁନାହିଁ । ଫଳରେ ଏହି ରାସ୍ତା ଦେଇ ଯାଉଥିବା ଯାନବାହନ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାର ଦେଖାଯାଉଛି । ରାତି ପାହିଲେ ଉଭୟ ଯାଜପୁର, ଭଦ୍ରକ ଅନେକ ଯାନବାହନ ଯାତାୟତ କରୁଥିବାବେଳେ ଉଚ୍ଚ କ୍ଷମତା ସଂପନ୍ନ ବାଲି ଟ୍ରକ୍ ମଧ୍ୟ ଏହା ଉପରେ ଯିବାଆସିବା କରିଥାଏ । ସଂପ୍ରତି ବର୍ଷା ହେବା କାରଣରୁ ପାଳଦା ବାଙ୍କରେ ପାଣି ଜମି ଛୋଟବଡ ଗର୍ତ୍ତମାନ ସୃଷ୍ଟି ହୋଇଛି । ଫଳରେ ସାଇକେଲ୍‌, ମୋଟର ସାଇକେଲ୍ ତ ଦୂରର କଥା କାର୍ ଅଟୋ ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ଏହାସତ୍ୱେ ଅନ୍ୟାନ୍ୟ ଭାରିଯାନ ଓ ବାଲିଟ୍ରକ ଅନବରତ ଚାଲୁଥିବାରୁ ୧୦ ମିଟର ରାସ୍ତାଟି ଏବେ ସାଧାରଣ ଲୋକଙ୍କ ପାଇଁ ଅତି ବିପଦ ସଂକୁଳ ପାଲଟି ଯାଇଛି । ଏହାର ମରାମତି ପାଇଁ ପୂର୍ବରୁ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଏଣୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରି ଚଳପ୍ରଚଳ କରୁଥିବା ବାଲି ଟ୍ରକ୍ ଗୁଡିକୁ ଅଟକାଇ ରଖୁଛନ୍ତି । ରାସ୍ତା ମରାମତି କର, ନଚେତ୍ ଭାରିଯାନ ଚଳପ୍ରଚଳ ହୋଇପାରିବ ନାହିଁ ବୋଲି ଲୋକେ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହୁଥିବାରୁ ତୁରନ୍ତ ଏହି ରାସ୍ତା ମରାମତି ନହେଲେ ଆଗାମୀ ଦିନରେ ଏଥିନେଇ ଏକ ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.