ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍ ଜନିତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିକରି ଆଜି ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଜଳେଶ୍ୱରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସିପିଆଇଏମ୍ ପକ୍ଷରୁ ଧାରଣା ଦିଆଯାଇଥିଲା । ତେବେ ଧାରଣାକାରୀଙ୍କ ଅଭିଯୋଗ ମୂଳେ ଏହି ପଂଚାୟତରେ ବାତ୍ୟା ୟାସ୍ ଯୋଗୁଁ ଶହେରୁ ଉର୍ଦ୍ଧ୍ୱ କଚ୍ଚାଘର ଭାଙ୍ଗିଯାଇଥିବାବେଳେ ୧୨ ଶହ ଏକର ଚାଷଜମିରେ ଲୁଣାପାଣି ମାଡି ଚଳିତବର୍ଷର ଚାଷ ନଷ୍ଟ ହୋଇଛି । ପ୍ରାୟ ୬୦ ଟି ଚିଙ୍ଗୁଡି ପୋଖରୀ ଲୁଣାପାଣିରେ ବୁଡି ୨୫ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ଚିଙ୍ଗୁଡି ବାହାରକୁ ବାହାରି ଯାଇଛନ୍ତି । ମାତ୍ର ଏହି ପଂଚାୟତକୁ ସରକାର ଏ ପର୍ଯ୍ୟନ୍ତ ବାତ୍ୟା ବିପନ୍ନ ଅଂଚଳ ଭାବେ ଘୋଷଣା କରିନାହାଁନ୍ତି । ଅନୁରୂପ ଏହି ପଂଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ହରିଲୁଟ୍ ହୋଇଥିବାର ଜଣାପଡିଛି । କାର୍ଡ ପିଛା କିରୋସିନ୍ ମାତ୍ର ୧ ଲିଟର ଓ ପ୍ରତି ଲିଟର ୪୦ ଟଙ୍କା ଲେଖାଏଁ ଡିଲର ଖୋଲମଖୋଲା ହରିଲୁଟ୍ କରିଆସୁଛନ୍ତି । କିଛି କାର୍ଡରେ ଚଂଚକତା କରି ଦେଢଲିଟର ଲେଖାଏଁ ଲେଖି ୧ ଲିଟର ଦିଆଯାଉଛି । ପ୍ରତିବାଦ କଲେ କାର୍ଡ କାଟିବାର ଧମକ ଡିଲର ଡେଉଛନ୍ତି ବୋଲି ପଂଚାୟତବାସୀ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଅଣବଣ୍ଟନ ବ୍ୟବସ୍ଥାରେ ଆସୁଥିବା ପ୍ରକୃତ ଚାଉଳ ଦେବା ପରିବର୍ତ୍ତେ ପୋକା ଓ କଳା ଚାଉଳ ବଣ୍ଟନ କରାଯାଉଛି । ଏ ସମସ୍ତ ଅଭିଯୋଗକୁ ନେଇ ଆଜି ସିପିଆଇଏମ୍ ଭଦ୍ରକ ଜିଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ଜଳେଶ୍ୱରପୁର ବ୍ରାଞ୍ଚ ସଂପାଦକ ଗଂଗାଧର ମହାଳିକ, ବ୍ରାଞ୍ଚ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବାରିକ, ନରୋତ୍ତମ ମଢୁଆଳ, କୀର୍ତ୍ତନ ବିଶ୍ୱାଳ, ଉଦୟକର ମହାନ୍ତି, କାଞ୍ଚନ ମହାଳିକ, ପ୍ରଭାକର ବିଶ୍ୱାଳ, ରମେଶ ବାରିକ, ଲକ୍ଷ୍ମୀଧର ସାହୁ, ରବିନ୍ଦ୍ର ମଢୁଆଳ, ନକୁଳି ବାରିକ, ଗୌରାଙ୍ଗ ଯେନା ଓ ବ୍ରହ୍ମାନନ୍ଦ ପରିଡା ପ୍ରମୁଖ ଗଣଧାରଣାରେ ବସିଥିଲେ । ଏବଂ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଦାବି ପୂରଣର ପ୍ରତିଶ୍ରୁତି ଦିଆଯିବା ପରେ ଉକ୍ତ ଧାରଣା ପ୍ରତ୍ୟାହୃତ ହୋଇଛି ।