Home Top News ବାତ୍ୟା ପ୍ରପଡ଼ିତ ଅଂଚଳର ଲୋକମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଏବଂ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ସରକାର...

ବାତ୍ୟା ପ୍ରପଡ଼ିତ ଅଂଚଳର ଲୋକମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଏବଂ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ସରକାର ଗୁରୁତ୍ୱ ପ୍ରଦାନ କରନ୍ତୁ : ନିରଞ୍ଜନ

122

ଭୁବନେଶ୍ୱର ୨୭.୫ (ଓଡ଼ିଆ ପୁଅ) – ବାତ୍ୟା ‘ୟାସ’ ଦ୍ୱାରା ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଲୋକମାନେ ବହୁତ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ପାଖାପାଖି ୯୦ରୁ ୯୫ଟି ଗ୍ରାମ ପଂଚାୟତର ହଜାର ହଜାର ଲୋକ ଜଳ ବନ୍ଦିରେ ରହିଛନ୍ତି। ପବ୍ରଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାର କୃଷକ ମାନଙ୍କର ବିଶେଷ କରି ମୁଗ, ବିରି, ଖରାଦିନିଆ ଧାନ ଏବଂ ପନିପରିବା ଇତ୍ୟାଦି ବହୁ ପରିମାଣରେ ନଷ୍ଟ ହୋଇଯାଇଛି। ବିଶେଷ ସୁତ୍ରରୁ ଯାହାକିଛି ଖବର ମିଳୁଛି ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜିଲ୍ଲା ଏବଂ ଭଦ୍ରକ ଜିଲ୍ଲାରେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଆମ୍ଭ, ପଣସ ଫଳନ୍ତି ଗଛ ଏବଂ ଅନ୍ୟାନ୍ୟ ଫଳଗଛ ମଧ୍ୟ ବହୁପରିମାଣରେ ନଷ୍ଟ ହୋଇଯାଇଛି। ବାହାନଗା ଓ ବାଲେଶ୍ୱର ଅଂଚଳର ବହୁ ମତ୍ସ୍ୟଜୀବିଙ୍କର ଡଙ୍ଗା ତଥା ଜାଲ ମଧ୍ୟ ନଷ୍ଟହୋଇଯାଇଛି। ତେଣୁ ଏସବୁ କ୍ଷୟକ୍ଷତିର ଅତିଶୀଘ୍ର ତାଲିକା ପ୍ରସ୍ତୁତ କରି କ୍ଷତିଗ୍ରସ୍ତ ଚାଷୀ, ମତ୍ସ୍ୟଜୀବି ଏବଂ ଉଦ୍ୟାନଚାଷୀ ମାନଙ୍କୁ ଆର୍ଥିକ ସାହାଯ୍ୟ ଶୀଘ୍ର କରାଯାଉ। ଲୋକମାନଙ୍କର ଜୀବନ ଜୀବିକା ପ୍ରତି କୌଣସି ପରିସ୍ଥିତିରେ ଟାଳଟୁଳ ନୀତିକୁ କଂଗ୍ରେସ ଗ୍ରହଣ କରିବ ନାହିଁ। ତେଣୁ ରାଜ୍ୟ ସରକାର କିଭଳି ଜଳବନ୍ଦୀ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ସହିତ ପର୍ଯ୍ୟପ୍ତ ପରିମାଣର ଶୁଖିଲା ଖାଦ୍ୟ, ରାସନ ଓ ପିଇବା ପାଣି ପଂହଚାଇବାର ଆବଶ୍ୟକତା ରହିଛି ଏବଂ ଜଳସ୍ତର ହ୍ରାସ ପାଇଲା ପରେ ଯୁଦ୍ଧକାଳୀନ ଭିତିରେ ସେ ସବୁ ଗ୍ରାମାଂଚଳ ଗୁଡ଼ିକର ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଜୁଳି ଆଲୁଅର ପୁନରୁର୍ଦ୍ଧାର କରିବା ସହିତ ଜଳବନ୍ଦୀ ଥିବା ଲୋକମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଏବଂ କରୋନା ମହାମାରୀ ରୋଗରୁ ରକ୍ଷା କରିବା ଦିଗରେ ସମସ୍ତ କାର୍ଯ୍ୟ ହାତକୁ ନେବା ଉଚିତ। ସରକାରୀ ତଥ୍ୟ ଅନୁସାରେ ୭ଲକ୍ଷ ୩ ହଜାର ଲୋକଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ରଖାଯାଇଥିଲା ବୋଲି ସରକାର କହୁଛନ୍ତି ଏବଂ ବାଲେଶ୍ୱର ଜିଲ୍ଲାରୁ କେବଳ ୧ଲକ୍ଷ ୯୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହିତ କହିଛନ୍ତି ଯେ ୧୯୯୯ ମହାବାତ୍ୟା ପରେ ପରେ ଓଡ଼ିଶା ୟାସକୁ ମିଶାଇ ୮ଟି ବାତ୍ୟାକୁ ସାମନା କଲା। କିନ୍ତୁ ପ୍ରତିଥର ବାତ୍ୟା ଆସିଲେ ଆମେ ଅଧିକରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରୁଛୁ, ଏହାର ଅର୍ଥ କଣ ଏପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା ପ୍ରପିଡ଼ିତ ଜିଲ୍ଲାରେ ତଳୁଆ ଅଂଚଳ ମାନଙ୍କରେ ଚାଳ ଘର ବା ଟିଣ ଛପର ଘର କରି ରହିଥିବା ଲୋକମାନଙ୍କୁ ଏପର୍ଯ୍ୟନ୍ତ ପକ୍କାଘର ଯୋଗାଇ ଦେଇ ପାରିନାହୁଁକି? ଦୀର୍ଘ ୨୦ବର୍ଷ ଭିତରେ ଏସରକାରଙ୍କର ସଫଳତା କଣ ଏ ବାତ୍ୟାକୁ ମୁକାବିଲା ଓ ପରିଚାଳନା କରିବାରେ ଧରି ନିଆଯିବକି? ଯଦି ଖୋଦ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାର ଏହି ବାତ୍ୟା ମୁକାବିଲା ଓ ପରିଚାଳନରେ ଖୁସି ହୋଇଯିବେ ତାହେଲେ ଆମକୁ ଅଧିକରୁ ଅଧିକ ଲୋକଙ୍କୁ ପ୍ରତିଥର ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ପଡ଼ିବ। ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ୨୦୨୨ ମସିହା ସୁଦ୍ଧା ଗ୍ରାମାଂଚଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କା ବାସଗୃହ ଯୋଗାଇ ଦିଆଯିବ। ୨୦୨୨ ମସିହା ହେବାକୁ ଆଉ ମାତ୍ର ଅଳ୍ପ କିଛି ମାସ ଅଛି ଯଦି ୟାସ ବାତ୍ୟାଯୋଗୁ ୪ଟି ଜିଲ୍ଳାରେ ୭ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ତାହାହେଲେ ଯଦି ଏ ବାତ୍ୟାର ପ୍ରକୋପ ୧୦ରୁ ୧୨ ଟି ଜିଲ୍ଲାକୁ ପଡ଼ିଥାନ୍ତା ତାହାହେଲେ ପାଖାପାଖି ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥାନ୍ତା? ତାହାହେଲେ ଏହି ଅଳ୍ପ କିଛି ମାସ ଭିତରେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଂଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କାଘର ଯୋଗାଇ ଦେପାରିବେ ତ ? ୨୧ବର୍ଷ ନିରନ୍ତର ଶାସନ ବ୍ୟବସ୍ଥାରେ ରହିଲା ପରେ ମଧ୍ୟ ଏବଂ ଓଡ଼ିଶା ବନ୍ୟା, ବାତ୍ୟା ପ୍ରପିଡ଼ିତ ରାଜ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ କରିବାରେ ସରକାର ଅସମର୍ଥ କାହିଁକି? ରାଜ୍ୟକୁ ଦୀଗଦର୍ଶନ ଦେବା, ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ଘଟଣା ଗୁଡ଼ିକୁ ଅତି ଗରୁତ୍ୱର ସହିତ ନେବା ଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦେଖାଯାଏ ନାହିଁ। କେବଳ ଗଣମାଧ୍ୟମରେ ବାହା ବାହା ନେବା ଏବଂ କିଭଳି ଏବଂ କେଉଁ ଉପାୟରେ ପୁରସ୍କାର ମିଳିବ ସେଥିପାଇଁ ଯଦି ସରକାର ସର୍ବଦା ଚେଷ୍ଟିତ ରହିବେ ତାହାହେଲେ ରାଜ୍ୟର ସଂକଟର ସ୍ଥାୟୀ ସମାଧାନ ହେବ କେମିତି? ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି ଦୀର୍ଘ ୨୦ବର୍ଷ ଭିତରେ ରାଜ୍ୟ ସରକାର କେତେ ଲୋକ ବିଜୁ ପକ୍କାଘର ଯୋଜନାରେ ଘର ପାଇଛନ୍ତି, କେତେଲୋକ ଇନ୍ଦିରା ଆବାସ ପାଇଛନ୍ତି ଏବଂ ୨୦୧୪ ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନାରେ କେତେଲୋକଙ୍କୁ ଘର ମିଳିଛି ଏହାର ଏକ ସବିଶେଷ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରନ୍ତୁ। କେବଳ କାଗଜ କଲମରେ ଲୋକଙ୍କୁ ଘର ବଂଟା ଯାଇଛି ନା ଘର ପ୍ରକୃତରେ ତିଆରି ହୋଇନିି। ତାହାଲେ ଆମେ ପ୍ରତିବର୍ଷ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମେ ଲୋକମାନଙ୍କୁ କାହିଁକି ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଛୁ? ଏହା ଭାରତ ବାହାରେ ଏବଂ ଭାରତ ଭିତରେ ଓଡ଼ିଶାର ସ୍ଥିତି ସଂପର୍କରେ ଯେଉଁ ସୂଚନା ଦେଉଛି ତାହା ଅତ୍ୟନ୍ତ ଦୁଃଖଦାୟକ। ଶ୍ରୀ ପଟ୍ଟନାୟକ ୧୯୯୯ ମହାବାତ୍ୟା ପରେ ପରେ ଓଡ଼ିଶାର କଂଗ୍ରେସ ଯେଉଁ ୪-୫ ମାସ ଥିଲା ସେସମୟରେ ବାତ୍ୟା ଆଶ୍ରୟସ୍ଥଳି ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ବିଭାଗ ଖୋଲିବା ସହିତ କିଭଳି ଭାବରେ ବାତ୍ୟାକୁ ମୁକାବିଲା କରିବା ପାଇଁ ସମସ୍ତ ଗ୍ରାଉଣ୍ଡୱାର୍କ ପ୍ରସ୍ତୁତ କରିଥିଲା। ୨୦୦୦ ରୁ ୨୦୨୧ ମସିହା ଭିତରେ ରାଜ୍ୟର ଏ ବୃହତର ସ୍ୱାର୍ଥକୁ ରକ୍ଷା କରିବା ଦିଗରେ ଏବଂ ସ୍ଥାୟୀ ସମାଧାନ ଦିଗରେ ଆପଣଙ୍କ ସରକାର କ’ଣ ଚେଷ୍ଟା କରିଛନ୍ତି?

କରୋନା ମହାମାରୀର ସଂକ୍ରମଣକୁ ବାତ୍ୟା ପ୍ରପଡ଼ିତ ଜିଲ୍ଲାମାନଙ୍କରେ କିଭଳି ରୋକାଯାଇ ପାରିବ ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ବିଶେଷ କରି ସେହିସବୁ ଜିଲମାନଙ୍କରେ ଅଧିକରୁ ଅଧିକ ଟେଷ୍ଟିଂ କରିବା ଏବଂ ରୋଗୀମାନଙ୍କୁ ତତକ୍ଷଣାତ ଚିକିତ୍ସା ସୁବିଧା ଯଥା ଔଷଧ ପତ୍ର ଏବଂ ତାଙ୍କର ରହିବା ପାଇଁ ଆୟୁସୋଲେସନ ସେଂଟର ତାଙ୍କ ପାଇଁ ଉପଲବ୍ଧ ହେବା ଉଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.