Home ଓଡ଼ିଶା ବର୍ଷାଜଳରେ ୮ଦିନ ଧରି ବୁଡିରହିଛି ଫସଲ, ବ୍ଲକରେ ୫, ୨୩୫ ହେକ୍ଟର ଫସଲ କ୍ଷତିଗ୍ରସ୍ତ

ବର୍ଷାଜଳରେ ୮ଦିନ ଧରି ବୁଡିରହିଛି ଫସଲ, ବ୍ଲକରେ ୫, ୨୩୫ ହେକ୍ଟର ଫସଲ କ୍ଷତିଗ୍ରସ୍ତ

36

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନାବୃଷ୍ଟିରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଧାନଚାଷ ଅନ୍ତିମ ସମୟରେ ରୋଗପୋକରେ ଯେତିକି ନଷ୍ଟ ହୋଇନଥିଲା ତାଠାରୁ ବେଶୀ ଫସଲ ନଷ୍ଟ ହେଲା ଗତ ଆଠ ଦିନ ଧରି ବର୍ଷା ଜଳରେ ବୁଡିରହି। ଜୱାବ ବାତ୍ୟା ଜନିତ ବର୍ଷା ଛାଡିଯିବା ପରେ ଅବସ୍ଥା ସୁଧୁରିନଥିଲା। ଏଭଳି ପରିସ୍ଥିତି ଲାଗିରହିଥିବା ବେଳେ ବୁଧବାର ଦିନ ତମାମ ପୁଣି ବର୍ଷା ହୋଇଥିଲା। ଏଭଳି ବର୍ଷା ଫସଲ ଅମଳ ଆଶାକୁ ସମ୍ପୁର୍ଣ୍ଣର୍ ମଉଳାଇ ଦେଇଛି। ପାଣିରେ ଭିଜି ପାଚିଲା ଧାନ ଗଜା ହେବାକୁ ଆରମ୍ଭ କରିଥିବା ବେଳେ ମଉଳା ଧାନଗଛ ଏତେ ଦିନ ଓଦା ହୋଇ ଅମଳ ଦେବା ସମ୍ଭବ ହେବନାହିଁ ଜାଣି ଚାଷୀମାନେ ଭବିଷ୍ୟତର ଆଶା ଓ ଆଶଙ୍କାରେ ଚିନ୍ତିତ ହୋଇପଡିଛନ୍ତି। ଅପେକ୍ଷାକୃତ ଉଚ୍ଚ ଜମିରେ ଅବସ୍ଥା ସଙ୍ଗୀନ ହୋଇପଡିଥିବା ବେଳେ ଖାଲ ଜମିରେ ଧାନଚାଷ ଆଶା ନାହିଁ କହିଲେ ଚଳେ। ଗୋଟିଏ ଏକର ଧାନଚାଷ ପାଇଁ ୧୮ ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଲାଭ ନହେଲା ନାହିଁ ଅନ୍ତତଃ ମୂଳଧନ ଉଠିବା ଆଶା କ୍ରମେ ମଉଳି ଯାଉଥିବାରୁ କରଜ ସୁଝିବା, ବର୍ଷକ ପାଇଁ ପରିବାର ପ୍ରତିପୋଷଣ କରିବା ସହ ଅନ୍ୟାନ୍ୟ ଖର୍ଚ୍ଚ କିଭଳି ଭରଣା ହେବ ତାହାକୁ ନେଇ ବ୍ୟସ୍ତବିବ୍ରତ ହୋଇ ପଡିଛନ୍ତି ଚାଷୀମାନେ। ବର୍ଷା ପୂର୍ବରୁ ରୋଗପୋକ ଦ୍ୱାରା ଧାନଚାଷ ବହୁଳ ମାତ୍ରାରେ ପ୍ରଭାବିତ ହୋଇ ନଷ୍ଟ ଯାଇଥିଲା। ଯାହା କିଛି ରହିଥିଲା ନିୟମିତ ବ୍ୟବଧାନରେ ହେଉଥିବା ବର୍ଷା ସବୁକିଛି ସମାପ୍ତ କରିଦେଲା ବୋଲି କହନ୍ତି କହରାପୋଖରୀଶାସନ ଗ୍ରାମର ଅଗ୍ରଣୀ ଚାଷୀ ଡମ୍ବରୁଧର ବେହେରା। ଶେଷ ସମୟରେ ବର୍ଷା ଯୋଗୁଁ ଡମ୍ବରୁବାବୁଙ୍କ ପ୍ରାୟ ସାତ ଏକର ଜମିର ଫସଲ ନଷ୍ଟ ଯାଇଛି। ବୁଡି ରହିଥିବା ଜମିରୁ ପାଣି ନିଷ୍କାସନ ହେବା ସମ୍ଭବ ହେଉନାହିଁ। ଫଳରେ ଧାନ ଆଶା ଛାଡି ଦେଇଛୁ ବୋଲି ବର୍ଷା ସମୟରେ ଫସଲ ମୋହ ତ୍ୟାଗ କରିନପାରି ଧାନକିଆରିକୁ ଚାହିଁ ରହିଥିଲେ ଶ୍ରୀ ବେହେରା। ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ତାହା ପୁଣି କେବେ ମିଳିବ ତାହାର ଠିକଣା ନାହିଁ ବୋଲି ମତ ଦେଇଥିଲେ ଡମ୍ବରୁବାବୁ। ଧାନ ଫସଲ ଭଳି ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି ବାଦାମ ଓ ପନିପରିବା ଚାଷ କ୍ଷେତ୍ରରେ।ଅଧିକ ବର୍ଷା ଯୋଗୁଁ ବାଦାମ ଗଛର ମୂଳ ସଢିବାକୁ ଆରମ୍ଭ କରିଛି। ପନିପରିବା ଚାଷକୁ ସଢା ରୋଗ ଆକ୍ରାନ୍ତ କଲାଣି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଅନୁଧ୍ୟାନ ଫଳାଫଳ ଚୁଡାନ୍ତ ହୋଇଛି। ବାତ୍ୟା ‘ଜୱାଦ’ ପ୍ରଭାବରେ ଭଣ୍ଡାରିପୋଖରୀ ବ୍ଲକର ୨୩ଟି ପଞ୍ଚାୟତରେ ମୋଟ ୫, ୨୩୫ ହେକ୍ଟର ଜମିର ଧାନ ଓ ଅଣଧାନ ଫସଲ ପ୍ରଭାବିତ ହୋଇଥିବା ରାଜସ୍ୱ ଓ କୃଷି ବିଭାଗ ମିଳିତ ଅନୁଧ୍ୟାନରୁ ଜଣାଯାଇଛି। ପ୍ରଭାବିତ ଜମି ମଧ୍ୟରୁ ୫, ୧୫୬ ହେକ୍ଟର ଖରିଫ ଧାନଚାଷ ଓ ୭୯ ହେକ୍ଟର ଜମିର ରବି ଓ ପନିପରିବା ଚାଷ ଅନ୍ତର୍ଭୁକ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.