Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ଭଦ୍ରକରୁ ଯିବେ ୧୪୬ ଜଣ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ଭଦ୍ରକରୁ ଯିବେ ୧୪୬ ଜଣ

11

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭଦ୍ରକ ଜିଲ୍ଲାରୁ ଯିବାକୁ ଥିବା ତୀର୍ଥଯାତ୍ରୀ ମାନଙ୍କ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ସୂଚନା ଯୋଗ୍ୟକି ପ୍ରଥମ ଦଫାରେ ଉଜ୍ଜୟିନୀରୁ ଓମ୍‌କାରେଶ୍ୱର କୁ ୫-୧-୨୦୨୪ ରୁ ୧୦-୦୧-୨୦୨୪ ପର୍ଯ୍ୟନ୍ତ ୬ ଦିନିଆ ଯାତ୍ରା ପାଇଁ ଭଦ୍ରକ ଜିଲ୍ଲାରୁ ୧୪୬ ଜଣ ଯାତ୍ରା କରିବେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଆଭାସି ଜରିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନାନୁଯାୟୀ ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ଘରୁ ପ୍ରଶାସନ ତରଫରୁ ସୁବ୍ୟବସ୍ଥା ଜରିଆରେ ୪.୧.୨୦୨୪ ରେ ଜିଲ୍ଲା ସଦର ମହକୁମାକୁ ଅଣାଯିବ । ଜିଲ୍ଲା ସଂସ୍କୃତି ଭବନରେ ସମସ୍ତେ ପହଞ୍ôଚଲା ପରେ ଅପରାହ୍ନ ୩ଟାରେ ବସ୍ ଯୋଗେ ସେମାନଙ୍କୁ ବାଲେଶ୍ୱର ପ୍ରେରଣ କରାଯିବ । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସାଂସଦ, ବିଧାୟକ ପ୍ରଭୃତି ଜନପ୍ରତିନିଧି ଏବଂ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଦ୍ୱାରା ପତାକା ପ୍ରଦର୍ଶନ କରାଯାଇ ବରିଷ୍ଠ ନାଗରିକ ଯାତ୍ରାର ଶୁଭାରମ୍ଭ କରାଯିବ । ଅଧିକାରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷାରେ ଅଯୋଗ୍ୟ ବିବେଚିତ ହେଲେ ରିଜର୍ଭ ଥିବା ୨୯ ଜଣିଆ ତାଲିକାର ଶୀର୍ଷରୁ କ୍ରମାନ୍ୱୟରେ ସୁଯୋଗ ଦିଆଯିବ ।

ବି.ଡ଼ି.ଓ. ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବି.ଏସ୍‌.ଏସ୍‌.ଓ. ମାନଙ୍କ ଜରିଆରେ ତୀର୍ଥଯାତ୍ରାରେ ଯିବା ପାଇଁ ଆବଶ୍ୟକ ଆନୁସଙ୍ଗିକ ଶୀତବସ୍ତ୍ର, ନିୟମିତ ସେବନ କରୁଥିବା ଔଷଧ, ଆଧାର ଫଟୋ ଆଦି କାଗଜପତ୍ର ତନଖି କରି ଯାତ୍ରାକାଳୀନ ସତର୍କତା ସମ୍ବନ୍ଧରେ ପରାମର୍ଶ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ତରଫରୁ ପ୍ରଦାନ କରାଯିବାକୁ ଥିବା ପରିଚୟ ପତ୍ର ଓ ନୀଳଟୋପି କୁ ଯାତ୍ରା କାଳରେ ଯେକୌଣସି ପରିସ୍ଥିତିରେ ଯେପରି ନ ହଜାନ୍ତି ଏବଂ ଟୋପି ସଦାସର୍ବଦା ପିନ୍ଧନ୍ତି ସେଥିନେଇ ମଧ୍ୟ ସେମାନଙ୍କୁ ବୁଝାଇବାକୁ କୁହାଯାଇଛି । ସେମାନଙ୍କ ତତ୍ତ୍ୱାବଧାରକ ଭାବେ ପ୍ରଶାସନ ତରଫରୁ ୫ ଜଣଙ୍କୁ ଏସ୍‌କଟ୍ ଅଫିସର ଭାବେ ନିୟୋଜିତ କରାଯାଇଛି । ୪ ତାରିଖ ଦିନ ବାଲେଶ୍ୱରରେ ରହଣି ପରେ ୫ ତାରିଖ ଦିନ ରେଳଦ୍ୱାରା ସେମାନଙ୍କର ଯାତ୍ରା ଆରମ୍ଭ ହେବ । ପ୍ରତ୍ୟାବର୍ତ୍ତନ ପରେ ପ୍ରଶାସନ ତରଫରୁ ବାଲେଶ୍ୱରରୁ ଆଣି ସେମାନଙ୍କୁ ସେମାନଙ୍କ ନିଜ ନିଜ ଘରେ ପହଞ୍ଚାଇ ଦିଆଯିବ । ଦ୍ୱିତୀୟ ଦଫାରେ ୨-୩-୨୦୨୪ ରୁ ୭-୩-୨୦୨୪ ପର୍ଯ୍ୟନ୍ତ ଆଗ୍ରା-ମଥୁରା ପାଇଁ ମଧ୍ୟ ଭଦ୍ରକ ରୁ ୧୪୬ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ରେ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ସୂଚନା ଯୋଗ୍ୟକି ଏହି ତୀର୍ଥଯାତ୍ରା ପାଇଁ ଗତ ନଭେମ୍ବର ୧ ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍ ଓ ଅଫ୍ ଲାଇନ୍ ରେ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଦୁଇଦଫା ପାଇଁ ସମୁଦାୟ ୮୦୩ ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ପ୍ରଥମ ଦଫାରେ ଯାତ୍ରା ପାଇଁ ରାଣ୍ଡାମାଇଜେସନ ମାଧ୍ୟମରେ ୧୪୬ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇ ୨୯ ଜଣଙ୍କୁ ରିଜର୍ଭ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.