Home ଜିଲ୍ଲା ପରିକ୍ରମା ବନ୍ୟାରେ ୧୨୬ ପଞ୍ଚାୟତର ୬୧୮ ଗାଁ ଓ ୧୦ ୱାର୍ଡ ପ୍ରଭାବିତ

ବନ୍ୟାରେ ୧୨୬ ପଞ୍ଚାୟତର ୬୧୮ ଗାଁ ଓ ୧୦ ୱାର୍ଡ ପ୍ରଭାବିତ

63

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ହୋଇଯାଇଥିବା ବନ୍ୟା ଯୋଗୁ ଜିଲ୍ଳାର ୭ଟି ବ୍ଲକ ଓ ୪ଟି ପୌରପାଳିକାର ବ୍ୟାପକ କ୍ଷତି ଘଟିଛି । ମୋଟ ୧୨୬ଟି ପଞ୍ଚାୟତର ୬୧୮ ଗ୍ରାମ ଏବଂ ବିଭିନ୍ନ ପୌରାଞ୍ଚଳର ୧୦ଟି ୱାର୍ଡ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଏଥିରେ ମୋଟ ୪ ଲକ୍ଷ ୩୨ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପୂର୍ବରୁ ୧୭୬୪୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ମଧ୍ୟ ୨୧ ଲୋକଙ୍କୁ ବନ୍ୟା ଘେରରୁ ଆଣି ୩୨ଟି କେନ୍ଦ୍ରରେ ଥଇଥାନ କରାଯାଇଛି । ପୂର୍ବରୁ ୧୦୬ଟି କେନ୍ଦ୍ରରେ ମାଗଣା ରନ୍ଧା ଖାଦ୍ୟ ଯୋଗାଣ ହୋଇଥିବା ବେେଳେ ଆଜି ଆଉ ୧୪ଟି କେନ୍ଦ୍ରରେ ଯୋଗାଣ ହୋଇଛି । ପଶୁ ସମ୍ପଦ କ୍ଷେତ୍ରରେ ମୋଟ ୯୨ ହଜାର ୭୦ ପଶୁ ସମ୍ପଦ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ୧୨ଟି ଭେଟେନାରୀ ଟିମ୍ ଗଠନ ହୋଇଛି । ୨୪୫୦ ପଶୁଙ୍କୁ ଟିକା କରଣ କରାଯାଇଛି । ୧୫୧୦ କୁଇଣ୍ଟାଲ ପଶୁଖାଦ୍ୟ ଯୋଗାଣ ହୋଇଛି । ସେହିଭଳି ଭାବେ ୪୩ ହଜାର ୪୪୨ ହେକ୍ଟର ଚାଷ ଜମି ବନ୍ୟାଦ୍ୱାରା ପ୍ରଭାବିତ ହୋଇଛି । ପାଣି ଛାଡିବା ପରେ ଯେଉଁସବୁ ଜମିରେ ଫସଲହାନୀ ହୋଇଛି, ସରକାରୀ ଗାଇଡ ଲାଇନ ଅନୁଯାୟୀ ତାହାର ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ବାବଦକୁ ଅର୍ଥ ତାଙ୍କ ଆକାଉଣ୍ଟକୁ ଦିଆଯିବ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ କହିଛନ୍ତି । ପ୍ରାଥମିକ ଭାବେ ହୋଇଥିବା ଆକଳନ ଅନୁଯାୟୀ ୨୭୩୩ଟି ଘର ଭାଙ୍ଗିଛି ଏବଂ ଏଥିରେ ୨ଟି ଗୁହାଳ ରହିଛି । ପ୍ରଭାବିତ ଜନସାଧାରଣଙ୍କ ଆଶୁ ଚିକିତ୍ସା ପାଇଁ ପ୍ରତି ବ୍ଲକରେ ଏକ ରାପିଡ ରେସ୍‌ପନ୍‌ସ ମେଡିକାଲ ଟିମ୍‌କୁ ରଖାଯାଇଛି । ଏହା ବ୍ୟତୀତ ୨୮ଟି ମେଡିକାଲ ଟିମ୍ ବିଭିନ୍ନ ଅଞ୍ଚଳରେ ରଖଯାଇଛି । ଏହି ଟିମ ମାଧ୍ୟମରେ ୩୦୧ଜଣଙ୍କୁ ଚିକିତ୍ସା କରାଯାଇଛି । ଅନ୍ୟପକ୍ଷରେ ପ୍ରଭାବିତଙ୍କୁ ଚୁଡା, ଗୁଡ, ବିସ୍କୁଟ, ପିଇବା ପାଣି ଯୋଗାଣ ହୋଇଛି । ଟ୍ୟାଙ୍କର ଯୋଗେ ବିଭିନ୍ନ ଗ୍ରାମକୁ ମଧ୍ୟ ପାନୀୟ ଜଳ ଯୋଗାଣ ହୋଇଥିବା ଜିଲ୍ଲାପାଳ ଡ. ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.