Home ଜିଲ୍ଲା ପରିକ୍ରମା ବନ୍ତ ଉତ୍କଳ କେଶରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ବନ୍ତ ଉତ୍କଳ କେଶରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

6

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ଅବହେଳା କରାଯାଉଛି । ସାହିତ୍ୟିକ ବା ସାହିତ୍ୟ ଅନୁରାଗୀ ମାନେ ଆଗେଇ ଆସିଲେ ଓଡ଼ିଆ ଭାଷା ବଞ୍ଚି ରହିବ ବୋଲି ବିଶିଷ୍ଟ ସାହିତ୍ୟିକ ତଥା ଉତ୍କଳ ପ୍ରସଙ୍ଗର ପୂର୍ବତନ ସମ୍ପାଦକ ଡ.ଶଶଧର ଦାଶ ଆଜି ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସାହିତ୍ୟ ସଂସଦର ସଭାପତି ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ରମାକାନ୍ତ ନାୟକ ତାଙ୍କ ବକ୍ତବ୍ୟରେ ଯେଉଁ ମାନେ ମୌଳିକ ସାହିତ୍ୟ ସୃଷ୍ଟି କରିବାରେ ନିରବଛିନ୍ନ ସାଧନା କରୁଛନ୍ତି ସେହି ମାନେ ହିଁ ପ୍ରକୃତରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିଛନ୍ତି ବୋଲି କହିଥିଲେ । ସଭାରେ ଅନ୍ୟତମ ଅତିଥି ଡ.ନାରାୟଣ ସେନାପତି ସାହିତ୍ୟ ମାଧ୍ୟମରେ ଜନ ଜୀବନର ସମସ୍ୟାକୁ ଉପସ୍ଥାପିତ କରିହେବ ଏବଂ ତାର ସମାଧାନ ପାଇଁ ସମସ୍ତ ସାହିତ୍ୟ ଅନୁରାଗୀ ମାନେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ସେ ଅଭିହିତ କରିଥିଲେ ।

ଏହି ଅବସରରେ ସଂସଦର ମୁଖପତ୍ର “ଉତ୍କର୍ଷ” ଏବଂ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ଦ୍ୱାରା ଅନୁଦୀତ ପୁସ୍ତକ “ବହୁଭାଷୀ ଗଳ୍ପଗୁଚ୍ଛ”କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଡ.ଶଶଧର ଦାଶ, ସାହିତ୍ୟିକ ରତ୍ନାକର ଦାଶ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସଂଗୀତ ଓ ନୃତ୍ୟ ଶିଳ୍ପୀ କ୍ଷିରାଦ୍ଧି ତନୟା ପଣ୍ଡା ଏବଂ ବନ୍ଦନା ଜେନାଙ୍କୁ ପୁରସ୍କୃତ କରାଯାଇଥିଲା । ସଭାରେ ଜଗନ୍ନାଥ ପାତ୍ର ଅତିଥିଙ୍କୁ ମଞ୍ଚ ଆହ୍ୱାନ, ସମ୍ପାଦକ ରମାକାନ୍ତ ଜେନା ଅତିଥି ପରିଚୟ, ଗଣେଷ ପ୍ରସାଦ କରଶର୍ମା ସ୍ୱାଗତ ଭାଷଣ ଏବଂ ଶେଷରେ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ କବୟିତ୍ରୀ ଦିପ୍ତି ଦେବଦର୍ଶନୀ ସୁତାର ଓ ସୁକାନ୍ତ ବେହେରାଙ୍କ ମଞ୍ଚ ସଂଯୋଜନାରେ କବିତା ପାଠ କରାଯାଇଥିଲା । ସଂସଦର ଭାସ୍କର ଚନ୍ଦ୍ର ପାଢୀ, ଭାଗବତ ସାହୁଙ୍କ ସମେତ ପ୍ରଫୁଲ୍ଲ ଲେଙ୍କା, ବିଶ୍ୱଜିତ ଲେଙ୍କା, ରଞ୍ଜିତ ଲେଙ୍କା, ବିନୟ କୁମାର ସ୍ୱାଇଁ, ସୁକାନ୍ତି ଲତା ପାତ୍ର, ବିମ୍ବାଧର ପ୍ରଧାନ, ସଶ୍ମିତା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.