Home Top News ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏନସିଏମସି ଦ୍ବିତୀୟ...

ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏନସିଏମସି ଦ୍ବିତୀୟ ବୈଠକ

37

ନୂଆ ଦିଲ୍ଲୀ ୩-୧୨ (ଓଡ଼ିଆ ପୁଅ) ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ‘ଜୱାଦ’ କୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ/ ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି) ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ନ ବାତ୍ୟା ଡିସେମ୍ବର ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ୫ରେ ସ୍ଥଳଭାଗ ସ୍ପର୍ଶ କରିବ। ପରେ ଏହା ଦିଗ ବଦଳାଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ସେମାନଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ସମୁଦ୍ର ମଧ୍ୟରୁ ନିରାପଦ ଭାବେ ମତ୍ସ୍ୟଜୀବୀମାନଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହିତ ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଖାଦ୍ୟଶସ୍ୟ, ପାନୀୟ ଜଳ ଏବଂ ଅନ୍ୟ ଜରୁରି ସାମଗ୍ରୀ ମହଜୁଦ ରଖୁବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ୟୁତ, ସଡ଼କ, ଜଳଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ମରାମତି କରିବା ଲାଗି ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ଫସଲଜନିତ କ୍ଷତି ହ୍ରାସ କରିବା ଲାଗି କଟା ହୋଇନଥିବା ଫସଲ ତୁରନ୍ତ ଜମିରୁ ଅମଳ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଭାବିତ ହେବାକୁ ଥିବା ରାଜ୍ୟରେ ଏନଡିଆରଏଫ ଦଳଗୁଡ଼ିକୁ ମୁତୟନ କରାଯାଇଛି ଏବଂ ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସ୍ଥଳସେନା ଓ ନୌସେନାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯିବା ସହିତ ଜାହାଜ ଓ ବିମାନଗୁଡ଼ିକୁ ଆବଶ୍ୟକତା କ୍ଷେତ୍ରରେ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଜୋର ଦେଇ କହିଥିଲେ ଯେ ସମସ୍ତ ନିୟମକୁ ପାଳନ କରାଯିବା ଉଚିତ ଯାହାଫଳରେ ଜୀବନ ହାନିକୁ ରୋକିବା ଏବଂ ସମ୍ପତ୍ତି କ୍ଷତି ହ୍ରାସ କରିବା ସମ୍ଭବ ହେବ। କ୍ୟାବିନେଟ ସଚିବ ମଧ୍ୟ। ନିର୍ଦ୍ଦେଶ ଦେଇ କହିଥିଲେ ଯେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଏବଂ ଡଙ୍ଗାଗୁଡ଼ିକୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ସମ୍ପୃକ୍ତ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ, ଏ କ୍ଷେତ୍ରରେ ଆବଶ୍ୟକ ସହାୟତା ତଟରକ୍ଷୀ ବାହିନୀ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ଜରୁରି ସେବାଗୁଡ଼ିକୁ କମ କ୍ଷତି ସହିତ ଯଥାଶୀଘ୍ର ସ୍ବାଭାବିକ କରିବା ଲାଗି ସେ ପରାମର୍ଶ ଦେଇଥିଲେ, ଏଥ୍ୟପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ କହିଥିଲେ। ବାତ୍ୟା ସମୟରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ଲୋକମାନଙ୍କୁ ସୂଚୀତ କରିବା ଲାଗି ଉପଯୁକ୍ତ ସୂଚନା ଏବଂ ମାର୍ଗଦର୍ଶିକାକୁ ସଠିକ୍ ଭାବେ ପ୍ରସାରିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। କୋଭିଡ ଡାକ୍ତରଖାନାଗୁଡ଼ିକର ବାଧାମୁକ୍ତ ପରିଚାଳନା ନିମନ୍ତେ ମଧ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା।। ସ୍ବରାଷ୍ଟ୍ର ବ୍ୟାପାର, ବେସାମରିକ ବିମାନ ଚଳାଚଳ, ରେଳବାଇ, ଜାହାଜ ଚଳାଚଳ ଓ ଜଳମାର୍ଗ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଶକ୍ତି ଓ ମତ୍ସ୍ୟ ଆଦି ମନ୍ତ୍ରଣାଳୟ/ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏନଡିଆରଏଫ, ଆଇଏମଡି, ସିଆଇଏସସି, ଆଇଡିଏସ ଏବଂ ଏନଡିଏମଏର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.