ନୂଆଦିଲ୍ଲୀ,୦୭/୦୯,(ଓଡ଼ିଆ ପୁଅ ପି ନାଏକ):
ଓଡିଶା ଫେରୁଛନ୍ତି ଜଗା-ବଳିଆ । ପ୍ରାୟ ୨ ବର୍ଷ ପରେ ଆଜି ଓଡ଼ିଶା ଫେରିବେ ଜଗା-ବଳିଆ। ଆଜି ଅପରାହ୍ନରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସସିବିକୁ ନିଆଯିବ। ଏସସିବିରେ ଜଗା-ବଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀର ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମରେ ସାମିଲ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି। ଶୁକ୍ରବାର ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ ଅଭିମୁଖେ ବାହାରିଛନ୍ତି ଜଗା-ବଳିଆ। ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଓ ନ୍ୟୁରୋ ଆନେସ୍ଥେସିଆ ବିଭାଗ ଡାକ୍ତର ଗିରିଜା ରଥଙ୍କ ସହ ଓଡ଼ିଶା ନିବାସ କର୍ମଚାରୀଙ୍କୁ ମିଶାଇ ମୋଟ ୧୧ ଜଣ ଜଗା ବଳିଆଙ୍କ ସହ ଆସୁଛନ୍ତି।