ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଉପକଣ୍ଠରେ ଥିବା ଆରଡିଛକରୁ ବାବା ଆଖଣ୍ଡଳମଣି ନିକଟକୁ ଯାଇଥିବା ରାସ୍ତାର ପ୍ରାଚୀନଗର ସଡକର ଅବସ୍ଥା ଏବେ ସାମାନ୍ୟ ଲଘୁଚାପ ବର୍ଷାରେ ବିପର୍ଯ୍ୟସ୍ତ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ସଂଗୀନ ହୋଇପଡିଛି । ଯାହାର ଦୃଶ୍ୟ ନିଜେ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଏହି ସଡକଟି ରାଜ୍ୟ ରାଜପଥର ମାନ୍ୟତା ପାଇଥିବାବେଳେ ପ୍ରାଚୀନଗର ଆରମ୍ଭରୁ ଦୀର୍ଘ ୧ କିମି ପର୍ଯ୍ୟନ୍ତ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ସଡକଟିରେ ବର୍ତ୍ତମାନର ଖରାଦିନରେ ବେଙ୍ଗ ମୁତିଲେ ବନ୍ୟାର ଅବସ୍ଥା ସୃଷ୍ଟି ହୋଇଛି । ଆଗକୁ ମୌସୁମୀ ଆସୁଥିବାରୁ ସାମାନ୍ୟ ବର୍ଷାରେ ଏବେ ଏହାର ଅବସ୍ଥା ଯାହା ହୋଇଛି, ଆଗକୁ ବର୍ଷାଋତୁରେ କିଭଳି ବିପର୍ଯ୍ୟୟ ସୃଷ୍ଟି କରିବ, ତାହା ସହଜରେ ଅନୁମେୟ ବୋଲି ଏହି କଲୋନୀରେ ରହୁଥିବା ପ୍ରାୟ ୭ ଶହ ପରିବାରର ୨ ହଜାରରୁ ଉର୍ଦ୍ଧ୍ୱ ଅଧିବାସୀ ଅଭିଯୋଗ କରିଛନ୍ତି । ଏହି ଅଂଚଳରେ ୧୦ ରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ, ହଷ୍ଟେଲ, ଶହେରୁ ଉର୍ଦ୍ଧ୍ୱ ଦୋକାନ ଓ କ୍ଲିନିକ୍ ରହିଥିବାରୁ ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ, ଶତାଧିକ ରୋଗୀ ବିଭିନ୍ନ ଅଟୋ, ସ୍କୁଲ ବସ୍ ଓ ବିଭିନ୍ନ ଗାଡିରେ ଯିବାଆସିବା କରୁଛନ୍ତି ।
ଏପରିକି ସ୍ଥାନୀୟ ଲୋକେ ପାଖ ମାର୍କେଟକୁ ଯାତାୟତ ପାଇଁ ଚାଲି ଚାଲି ମଧ୍ୟ ଆସିଥାନ୍ତି । କିନ୍ତୁ ସାମାନ୍ୟ ବର୍ଷାରେ ଏହି ରାସ୍ତାଟିରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡି ମାରୁଥିବାବେଳେ ଲୋକଙ୍କ ନାଳନର୍ଦ୍ଦମାର ଦୁର୍ଗନ୍ଧଯୁକ୍ତ ଗୋଳିଆ ପାଣି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଫଳରେ ରାସ୍ତାର ଖାଲଖମା ଗୁଡିକ ଜାଣିନପାରି ବହୁ ଦୁଇଚକିଆ ଯାନର ଚାଳକମାନେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହୋଇଥିବାର ଦେଖାଦେଇଛି । ଏପରିକି ପ୍ରାୟ ମାସେ ହେବ ଏହି ରାସ୍ତା ପାଶ୍ୱର୍ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଜଳୁନଥିବାରୁ ରାତି ଅନ୍ଧାରରେ ଏହା ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହି ବିଷୟରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନାହିଁ । ଏହି ରାସ୍ତା ଦେଇ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ନିକଟକୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଭକ୍ତ, ଜିଲା ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ, ସାଂସଦ, ବିଧାୟକ, ନେତା ଯିବାଆସିବା କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡଉନାହିଁ । ଏହି ରାସ୍ତାଟି ଭଦ୍ରକ ଜିଲାର ଏକ ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିଲେ ମଧ୍ୟ ଏଥିପ୍ରତି ଏଭଳି ଅଣଦେଖା ଭାବ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । ଆଗାମୀ ଦିନରେ ଏଥିପ୍ରତି ଜିଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଦୃଷ୍ଟି ନଦେଲେ ଏକ ଜନ ଆନ୍ଦୋଳନ ଗଢିଉଠିବ ବୋଲି ଚେତାବନୀ ଦିଆଯାଇଛି ।