Home ଜିଲ୍ଲା ପରିକ୍ରମା ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ପାଇଁ ନିର୍ଦ୍ଦେଶ, ଧାମନଗର ନିର୍ବାଚନ ମଣ୍ଡଳୀ ଉନ୍ନୟନ...

ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ପାଇଁ ନିର୍ଦ୍ଦେଶ, ଧାମନଗର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ପ୍ରଥମ ବୈଠକ

27

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଧାମନଗର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ, ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାଏକ, ତିହିଡ଼ି ବ୍ଲକ୍‌ର ଅଧ୍ୟକ୍ଷା ଅବନ୍ତୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦ୍ର ସରକାର, ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଜିଲ୍ଲାର ସଂପ ୃକ୍ତ ବିଭାଗ ଦ୍ୱାରା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ବ୍ଲକ୍ ଓ ତିହିଡ଼ି ବ୍ଲକ୍‌ର ଆଂଶିକ ଅଞ୍ଚଳରେ କାର୍ଯ୍ୟକାରୀତା ନେଇ ବିଧାୟକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଆବଶ୍ୟକ ମତେ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ରାସ୍ତା, ପୋଲ, ନଦୀବନ୍ଧ, ବୃକ୍ଷରୋପଣ, ଜଳସେଚନ, ଡ଼୍ରେନେଜ୍‌, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳଯୋଗାଣ, ମହିଳା ଓ ଶିଶୁକଲ୍ୟାଣ, ବିଦ୍ୟୁତ୍‌, ବିଭିନ୍ନ ସରକାରୀ କୋଠାନିର୍ମାଣ, ପି.ଡ଼ି.ଏସ୍‌. ସାମଗ୍ରୀ ଯୋଗାଣ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସବୁର କାର୍ଯ୍ୟାନ୍ୱୟନରେ ଅଗ୍ରଗତି, ସମସ୍ୟା, ଧାର୍ଯ୍ୟଲକ୍ଷ୍ୟ, ସଫଳତା, ନୂତନ ପ୍ରସ୍ତାବ, ଅନୁଦାନ ପ୍ରଭୃତି ସମ୍ବନ୍ଧରେ ବିଭାଗ ଅନୁଯାୟୀ ଆଲୋଚନା କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବୈଠକରେ ଉପସ୍ଥିତ ଜନପ୍ରତିନିଧି ଭାବେ ସରପଞ୍ଚ ଓ ସଦସ୍ୟ ମାନେ ନିଜ ନିଜ ଅଞ୍ଚଳ ପାଇଁ ଦାବୀ ଓ ଅଭିଯୋଗ ଉପସ୍ଥାନ କରିଥିଲେ । ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ବ୍ଲକ୍‌ର ବି.ଡ଼ି.ଓ. ବନବିହାରୀ ଦିଣ୍ଡା, ତିହିଡ଼ି ବ୍ଲକ୍‌ର ଜ୍ୟୋତିର୍ମୟ କରଙ୍କ ସହ ଜିଲ୍ଲା ଓ ଉକ୍ତ ଦୁଇ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଯନ୍ତ୍ରୀମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜ ବିଭାଗର ଯୋଜନା ଓ କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିବା ସହିତ ବିଧାୟକ ଓ ଅନ୍ୟ ଜନ ପ୍ରତିନିଧିମାନଙ୍କ ଦ୍ୱାରା ଆବଶ୍ୟକ ମତେ ସୂଚନା ପ୍ରଦାନ କରିଥିଲେ । ବିଧି ମୁତାବକ ଟେଣ୍ଡର ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ କରାଯାଉ । ପ୍ରତିକାର୍ଯ୍ୟ ସ୍ଥଳୀରେ ଫଳକ ଲଗାଯାଉ । ସ୍ୱଚ୍ଛତା ବଜାୟ ସାଙ୍ଗକୁ ପ୍ରତି କାର୍ଯ୍ୟର ଗୁଣବତ୍ତା ରକ୍ଷା ପାଇଁ ଅଧିକାରୀ ଯନ୍ତ୍ରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରନ୍ତୁ ବୋଲି ବିଧାୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ନଦୀବନ୍ଧ ମାନଙ୍କରେ ରାସ୍ତା ନିର୍ମାଣ ପ୍ରସ୍ତାବ ଥିବା ସହିତ ବଡ଼ଗଛ ଉପୁଡ଼ି ପଡ଼ିବା ସ୍ଥାନରେ ଘାଇ ସୃଷ୍ଟି ସମସ୍ୟା ଥିବାରୁ ଜଙ୍ଗଲ ଓ ପରିବେଶ ବିଭାଗଦ୍ୱାରା ନଦୀବନ୍ଧରେ ଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ରାସ୍ତା ପାଶ୍ୱର୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସୂଚନା ଯୋଗ୍ୟକି ବିଭାଗ ତରଫରୁ ୧୪ କି.ମି. ରାସ୍ତାରେ ୩୫୦୦ ଗଛ ଲଗାଯବା ଲକ୍ଷ୍ୟ ରହିଛି । ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଅଙ୍ଗନବାଡ଼ି କୋଠା ହସ୍ତାନ୍ତର ନହୋଇ ଧାନ ରଖିବା, ଭୋଜି କରିବା ଆଦି କାର୍ଯ୍ୟରେ ଅପବ୍ୟବହାର ହେଉଥିବା ଅଭିଯୋଗ ଆଧାରରେ ପଦକ୍ଷେପ ନେବାକୁ ଡ଼ି.ଏସ୍‌.ଡ଼ବ୍ଲୁ .ଓଙ୍କୁ କୁହାଯାଇଥିଲା । ଯାଜପୁର ଜଳସେଚନ ଅଧୀନରେ ୨୦୦ କୋଟି ଟଙ୍କାରେ ନିର୍ମାଣାଧୀନ କୋଚିଳା ବୈତରଣୀ ବ୍ୟାରେଜ ଦ୍ୱାରା ଯାଜପୁରକୁ ଜଳ ସେଚନ ପାଇଁ ଧାମନଗରକୁ ବନ୍ୟାରେ ବୁଡ଼ିବାକୁ ଦିଆଯିବ ନାହିଁ ବୋଲି ବିଧାୟକ କହିଥିଲେ ।

ବିଶେଷକରି ମଲ୍ଲୀ ମାହାରା ଓ ଗୌରାଙ୍ଗପୁର ଠାରେ ଥିବା ଏସ୍‌କେପ୍ ନିମ୍ନ ଉଚ୍ଚତାରେ ଥିବାରୁ ବ୍ୟାରେଜରେ ଗଚ୍ଛିତ ଜଳ ଭଣ୍ଡାର ଯୋଗୁଁ ଜନବସତିକୁ ବନ୍ୟାଜଳ ପ୍ରବେଶର ସମ୍ଭାବନା ଦେଖାଦବ ବୋଲି ଆଲୋଚନା କରାଯାଇଥିଲା । ରାସ୍ତା ପ୍ରଶସ୍ତିକରଣ କ୍ଷେତ୍ରରେ ଅନାବଶ୍ୟକ ଭାବେ ରହିଯାଉଥିବା ପୁରୁଣା ବିଦ୍ୟୁତ ଖୁଣ୍ଟ ଓ ତାର ସ୍ଥାନାନ୍ତର କରାଯାଉନଥିବା ନେଇ ଦୁର୍ଘଟଣା ସମସ୍ୟା ସମ୍ବନ୍ଧରେ ଅଭିଯୋଗ ଆସିଥିଲା । ଅସୁରାଳି ବଜାରରେ ରାସ୍ତାର ଗୋଟିଏ ପାଶ୍ୱର୍ରେ ପି.ଏଚ୍‌.ସି. ଥିଲାବେଳେ ଅନ୍ୟ ପାଶ୍ୱର୍ ସବ୍‌ସେଣ୍ଟର ରହିବା ନିହାତି ଅଯୌକ୍ତିକ ବୋଲି ବିଧାୟକ ପ୍ରକାଶ କରିଥିଲେ । ନୂଆ ସବ୍ ସେଣ୍ଟର ଖୋଲାଯିବା ପାଇଁ ଦୁର୍ଗମ ଓ ଉପାନ୍ତ ଅଞ୍ଚଳକୁ ପ୍ରାଧାନ୍ୟ ଦିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପାଣିପଞ୍ଚାୟତ ଗଠନରେ ପ୍ରକୃତ ଚାଷୀଙ୍କୁ ସାମିଲ କରାଯିବା ଆବଶ୍ୟକ । ବିଦ୍ୟୁତ୍ ବିନା ବା ଅନ୍ୟ କାରଣରୁ ଅଚଳ ହୋଇ ପଡ଼ିଥିବା ଉଠାଜଳସେଚନ ପଏଣ୍ଟ ସବୁର କାର୍ଯ୍ୟକାରୀତା ପାଇଁ ପଦକ୍ଷେପ ନେବାକୁ ବୈଠକରେ ଦାବୀ କରାଯାଇଥିଲା । ନଳ ଦ୍ୱାରା ପାନୀୟ ଜଳ ଯୋଗାଣରେ କୌଣସି ସାହି ବା ଘର ଯେପରି ବାଦ୍ ନ ପଡ଼େ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀଯୁକ୍ତ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ବିଭାଗର ଅଧିକାରୀ ହରିହର ଭୁଇଁ, ଭୋଳାନାଥ ରାଉଳ, ଶୁଭ୍ରାଙ୍ଗିନୀ ବେହେରା, ରଶ୍ମିତା ପୃଷ୍ଟି, ଭଗବାନ ବାରିକ ପ୍ରମୁଖ ବୈଠକ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.