Home ଜିଲ୍ଲା ପରିକ୍ରମା “ପ୍ରଜାତନ୍ତ୍ର” ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଧୀନତାର ଏନ୍ତୁଡିଶାଳା – ମନିନ୍ଦ୍ର ମହାନ୍ତି

“ପ୍ରଜାତନ୍ତ୍ର” ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଧୀନତାର ଏନ୍ତୁଡିଶାଳା – ମନିନ୍ଦ୍ର ମହାନ୍ତି

17

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱାଧୀନତାର ଏନ୍ତୁଡିଶାଳା ତଥା ପ୍ରାଣକେନ୍ଦ୍ର ହେଉଛି ପ୍ରଜାତନ୍ତ୍ର । ୧୯୨୩ ମସିହା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଦିନ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ସାପ୍ତାହିକ ଭାବେ ଏହା ପ୍ରଥମେ ଆତ୍ମପ୍ରକାଶ କରିଥିଲା । ଇଂରେଜ ଫର୍ଡିନାନ୍ସକୁ ବିରୋଧ କରିବା ଫଳରେ ୧୯୩୦ ଅକ୍ଟୋବର ୨୮ ତାରିଖରେ ପ୍ରଜାତନ୍ତ୍ର ବନ୍ଦ ହୋଇଯାଇଥିଲା । କିନ୍ତୁ ୧୯୪୭ ମସିହା ଅଗଷ୍ଟ ୮ ତାରିଖ ଠାରୁ ଦୈନିକ ଖବରକାଗଜ ଭାବେ କଟକରୁ ନିୟମିତ ପ୍ରକାଶ ପାଇଆସୁଛି । ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭଦ୍ରକ ମହତାବ କୋଠୀରେ ସାରସ୍ୱତ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଜାତନ୍ତ୍ର ସାହିତ୍ୟ ପାଠଚକ୍ର ଆନୁକୂଲ୍ୟରେ “ପ୍ରଜାତନ୍ତ୍ରକୁ ଶହେ ବର୍ଷ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟ ଗବେଷକ ଡକ୍ଟର ମନୀନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାର ମୁଖ୍ୟବକ୍ତା, ସାହିତ୍ୟିକା ଗୀତାରାଣୀ ଆଇଚ, କବି ଦୟାନିଧି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖି କହିଥିଲେ ଭଦ୍ରକ ମହତାବ କୋଠୀ ହେଉଛି ସ୍ୱାଧୀନତା ଆନ୍ଦୋଳନର ମୂକସାକ୍ଷୀ । ଏଠାକୁ ମହାତ୍ମା ଗାନ୍ଧି ଦୁଇଥର ଆସି ଅବସ୍ଥାପନ କରିବା ସହିତ ସଂଗ୍ରାମୀ ମାନଙ୍କୁ ଦିଗ୍‌ଦର୍ଶନ ଦେଉଥିଲେ ।

୧୯୨୮ ମସିହାରୁ ୧୯୫୩ ମସିହା ପର୍ଯ୍ୟନ୍ତ ଜାତୀୟ ଆନ୍ଦୋଳନର ପ୍ରାଣକେନ୍ଦ୍ର ଥିଲା ମହତାବ କୋଠୀ । ୧୯୩୦, ୧୯୩୩ ଏବଂ ୧୯୪୨ ମସିହାରେ ଏ ଘର ଇଂରେଜ ସରକାର ଅଧିକାର କରି ହାତକୁ ନେଇଥିଲେ । ୧୯୪୨ ରେ ଏ କୋଠି ସବଜେଲ୍‌ରେ ପରିଣତ ହୋଇଥିଲା । ଏହି କୋଠିରେ ରାଜନୈତିକ ବନ୍ଦୀମାନଙ୍କୁ ରଖା ଯାଇଥିଲା । ମହାତ୍ମା ଗାନ୍ଧି ଏହିଠାରେ ଦୁଇଥର ଅବସ୍ଥାପନ କରିଥିଲେ । ଇତିହାସ ଓ କିମ୍ବଦନ୍ତୀର ପୀଠରେ ପ୍ରଜାତନ୍ତ୍ର ସାହିତ୍ୟ ପାଠଚକ୍ର କାର୍ଯ୍ୟକ୍ରମ କରିବା ନିଶ୍ଚିତ ରୂପେ ଆନନ୍ଦ ଓ ଗର୍ବର ବିଷୟ । କବି ଶରତ ଚନ୍ଦ୍ର ଯେନା, ବିପ୍ଳବ ହୋତା, ଦମୟନ୍ତୀ ରାଉତ, ସୁମିତ୍ରା ପାଣି, ବସନ୍ତ ପାତ୍ର, ବିଜୟ ବହଳି, ଅରୂପାନନ୍ଦ ନାୟକ ପ୍ରମୁଖ ୧୯ ଜଣ କବି ସ୍ୱରଚିତ କବିତା ପାଠ କରିଥିବାବେଳେ ଗୀତାରାଣୀ ଆଇଚ କବିତାଗୁଡିକୁ ସଂଯୋଜନା କରିଥିଲେ । ଆଦର୍ଶ ଶିକ୍ଷକ ଅଶୋକ ଖିଲାର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାତଃକାଳରେ ଥାନାଛକ ଠାରୁ ଆରମ୍ଭ କରି ମହତାବ କୋଠୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତାମାନଙ୍କୁ ନେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଳା । ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବୀ ମହତାବ କୋଠିରେ ଥିବା ମହାତ୍ମା ଗାନ୍ଧି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମନୋରଂଜନ ବାରିକ ଓ ଗଂଗାଧର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ପ୍ରଜାତନ୍ତ୍ର ସାହିତ୍ୟ ପାଠଚକ୍ରର ଆବାହକ ଅପୂର୍ବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.