Odiapua.com

ପ୍ରଚାର ନୁହେଁ, ମୋଦିଙ୍କ ଅପପ୍ରଚାର କରୁଛି ଓଡ଼ିଶା ବିଜେପି ..

ଭୁବନେଶ୍ୱର: କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଲକ୍ ଡାଉନ୍ ଘୋଷଣା କରିବା ସହ ଅନେକ ଗୁଡ଼ିଏ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ମୋଦୀ ସରକାର। ଜନଧନ ଯୋଜନା, ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବସ୍ତା ପେନସନ୍ ଯୋଜନା, ନିର୍ମାଣଧିନ ଶ୍ରମିକ ଏବଂ ପିଏମ୍ କିଷାନ ଯୋଜନା, ଉଜ୍ଜ୍ୱଳା ଗ୍ୟାସ ଧାରକଙ୍କ ପାଇଁ ମାଗଣା ଗ୍ୟାସ ପ୍ରଦାନ ଆଦି ଅନେକ ଗରୀବ କଲ୍ୟାଣ ଯୋଜନା କରିଛନ୍ତି ମୋଦୀ ସରକାର। ଏହା ସହିତ ପିଏମ୍ କେୟାର ଫଣ୍ଡକୁ ଦାନ କରିବା ସହିତ କରୋନା ଭାଇରସ୍ ଆତଙ୍କ ଏବଂ ଲକ୍ ଡାଉନ୍ ଘୋଷଣା ଭିତରେ ନିଃସହାୟ ଓ ବିଭିନ୍ନ ସ୍ଥାନରେ ଲକ୍ ଡାଉନ୍ ଯୋଗୁଁ ଫସି ରହିଥିବା ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ପାଖରେ ଶୁଖିଲା ଖାଦ୍ୟ ସାମଗ୍ରୀ, ଫଳ, ପରିବା, ରନ୍ଧା ଖାଦ୍ୟ ଏବଂ ମାସ୍କ ଆଦି ବଣ୍ଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିଛନ୍ତି।

ତେବେ, ନିଃସହାୟ, ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା (Feed The Needy) ଯୋଜନାରେ କାମ କରିବା ଭିତରେ ଓଡ଼ିଶା ବିଜେପି ଏହାକୁ ମୋଦୀ ଅନ୍ନଦାନ ଯୋଜନା (MADY) ନାମ ଦେଇଛି। ଅର୍ଥାତ୍ ମୋଦୀ ଗରୀବ ଭୋକିଲାଙ୍କୁ ଅନ୍ନ ଦେଉଛନ୍ତି। ଦେଶର ଅନ୍ୟ କୌଣସି ରାଜ୍ୟରେ ବିଜେପି ଏପରି ନାମରେ ଯୋଜନା କରି ଗରିବଙ୍କୁ ଉପହାସ କରି ମୋଦିଙ୍କ ଅପପ୍ରଚାର କରିବା ଦେଖାଯାଏନି। ଏହା ବିଜେପି ପରମ୍ପରା ବିରୋଧୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ନାମରେ କୌଣସି ଯୋଜନା କରି ନାହାଁନ୍ତି ଏବଂ ତାଙ୍କ ନାମରେ ଏପରି କରିବାକୁ ବାରଣ କରିଛନ୍ତି। କେବଳ ମୋଦୀ ନୁହେଁ, ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ନିଜ ନାମରେ ନୁହେଁ, ପ୍ରଧାନମନ୍ତ୍ରୀ ଯୋଜନା ନାମରେ ବିଭିନ୍ନ ଯୋଜନା ବା ପ୍ରକଳ୍ପ କରିଛନ୍ତି। ଏହା ବିଜେପି ପରମ୍ପରା। କିନ୍ତୁ, ଓଡ଼ିଶା ବିଜେପିର କିଛି ନେତା କେବଳ ନିଜର ପ୍ରଚାର କରାଇବା ପାଇଁ ଗରୀବ ଲୋକର ପେଟକୁ ଦୁଇ ମୁଠା ଖାଦ୍ୟ ଦେବାରେ ଅନ୍ନଦାନ ସହିତ ମୋଦୀଙ୍କ ନାମ ଯୋଡ଼ି ମୋଦି- ଅନ୍ନଦାନ ଯୋଜନା (MADY) କରି ଦେଇଛନ୍ତି। ଏଥିନେଇ ବିଜ୍ଞପ୍ତି ମଧ୍ୟ ଜାରୀ କରୁଛନ୍ତି। ଏହାଦ୍ୱାରା ସେମାନେ ମୋଦିଙ୍କ ପ୍ରଚାର ନୁହେଁ, ବରଂ ଅପପ୍ରଚାର କରାଉଛନ୍ତି। ଅବଶ୍ୟ ଏପରି କାର୍ଯ୍ୟକୁ ଓଡ଼ିଶା ବିଜେପିର କିଛି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ନାପସନ୍ଦ କରୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ, କ’ଣ ବା କରାଯାଇ ପାରିବ, ଆମ ମନ୍ତ୍ରୀ (ଧର୍ମେନ୍ଦ୍ର ପ୍ରଧାନ)ଙ୍କ ଖାସ୍ ଲୋକ ଯେଉଁମାନେ ଦଳ ଭିତରେ ନିଜର ପ୍ରଭାବ ବିସ୍ତାର କରି ରହିଛନ୍ତି, ସେହିମାନେ ହିଁ ମନ୍ତ୍ରୀଙ୍କ ଚାଟୁକାରୀ କରି ଏହିପରି ସବୁ କାମ କରୁଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ମନ୍ତ୍ରୀ (ପ୍ରଧାନ)ଙ୍କ ହାତ ରହିଥିବାରୁ ସେମାନଙ୍କୁ ବୁଝାଇବ କିମ୍ବା ପରାମର୍ଶ ଦେବ ଅବା କିଏ। ବାସ୍ତବରେ ଯେତେ ବୁଝାଇଲେ କ’ଣ ବା ହେବ, ବୁଝୁନି ଏ’ ଓଡ଼ିଶା ବିଜେପି। -ଦେବଦତ୍ତ ରଥ

ଗଳାରୁ କରୋନା ଭୂତାଣୁ ସଫା କରିଦେବ ମଦ: ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି ..