Home ଜିଲ୍ଲା ପରିକ୍ରମା ପୌରପାଳିକାର ସ୍ୱାୟତ୍ତ ଶାସନ ଦିବସ ପାଳନ ଧର୍ମକୁ ଆଖିଠାର!, ଉଠା ମାଛ, ମାଂସ ଓ ଠେଲା...

ପୌରପାଳିକାର ସ୍ୱାୟତ୍ତ ଶାସନ ଦିବସ ପାଳନ ଧର୍ମକୁ ଆଖିଠାର!, ଉଠା ମାଛ, ମାଂସ ଓ ଠେଲା ଦୋକାନୀଙ୍କ ଭିଡରେ ରୁନ୍ଧି ହେଉଛି ସହରବାସୀଙ୍କ ଜୀବନ

68

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାତି ପାହିଲେ ଆମ ରାଜ୍ୟର ସ୍ୱାୟତ୍ତ ଶାସନ ଦିବସ। ବିଭିନ୍ନ ପୌରପାଳିକା ପକ୍ଷରୁ ପାଳିତ ହେବ। ଏଥିପାଇଁ ପ୍ରାୟ ଏକମାସ ପୂର୍ବରୁ ପୌରପାଳିକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟରେ ରାସ୍ତାଘାଟ, ନାଳ ନର୍ଦ୍ଦମା, ସ୍ୱାସ୍ଥ୍ୟ, ପାନୀୟ ଭଳି ବ୍ୟବସ୍ଥାର ସୁଧାର ଦିଗରେ ସମସ୍ତ କର୍ତ୍ତୃପକ୍ଷ ତତ୍ପର ହୋଇଥାନ୍ତି। ମାତ୍ର ଏଥିରୁ ଭଦ୍ରକ ପୌରପାଳିକାରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ ଏହି ସହରକୁ ଏକ ସବୁଜ ସୁନ୍ଦର ସାଟେଲାଇଟ୍ ସିଟି ଭାବେ ସ୍ୱପ୍ନ ଦେଖି ଆସୁଥିବାବେଳେ କେତେକ ନ୍ୟସ୍ତସ୍ୱାର୍ଥ ସଂପନ୍ନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଥିରେ ବାଧା ଉପୁଜୁଛି। ପ୍ରତିବର୍ଷ ଏହି ପୌରପାଳିକାର ବିକାଶ ଦିଗରେ କୋଟି କୋଟି ଟଙ୍କାର କାର୍ଯ୍ୟ କରାଯାଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବାଟମାରଣା ନୀତି ଯୋଗୁଁ ସେଥିରେ ଅନ୍ତରାୟ ସୃଷ୍ଟି ହୋଇଛି। କେବଳ ଯାହା ପୌରପାଳିକା କର୍ତ୍ତୃପକ୍ଷ ଏହି ଦିନ ନିଜର କାର୍ଯ୍ୟାଳୟଟିକୁ ନାମକୁ ମାତ୍ର ସଫାସୁତୁରା କରି ରାସ୍ତାଘାଟରେ ବ୍ଲିଚିଂ ପାଉଡର ପକାଇ ଏହି ଦିବସଟିକୁ ପାଳନ କରିଆସୁଛନ୍ତି। ମାତ୍ର ଏହାର ୩୦ଟି ୱାର୍ଡର ରାସ୍ତାଘାଟ, ଜଳ ନିଷ୍କାସନ ପଥ ନାଳ ନର୍ଦ୍ଦମାର ଅବସ୍ଥା କହିଲେ ନସରେ। ଗତ କିଛିଦିନ ଧରି ହେଉଥିବା କେଇ ଅସରା ବର୍ଷାରେ ଏହି ପୌରପାଳିକାର ଅଧିକାଂଶ ତଳିଆ ଅଂଚଳ ମନୁଷ୍ୟାକୃତ ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ନାଳ ନର୍ଦ୍ଦମାର ପାଣିଘେରରେ ରହିଆସୁଛନ୍ତି। ପୌରପାଳିକା ପକ୍ଷରୁ ଟେଣ୍ଡର ହେଉଥିବା ରାସ୍ତାଘାଟ ଗୁଡିକ ସଂପୃକ୍ତ ଜେଇଙ୍କର ଠିକାଦାରଙ୍କ ସହ ରାଧେ ରାଧେ ଅଧେ ଅଧେ ନୀତି ଯୋଗୁଁ ୨-୩ ମାସରେ ଗମନାଗମନ ଅନୁପଯୁକ୍ତ ହୋଇପଡୁଛି। ଏପରିକି ବିଶେଷକରି ପୁରୁଣାବଜାର ଅଂଚଳର ସଂକୁଚିତ ରାସ୍ତା ଗୁଡିକର ଉଭର ପାଶ୍ୱର୍ରେ ଥିବା ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ନର୍ଦ୍ଦମା ପାଣିରେ ଲୋକେ ଯିବାଆସିବା କରୁଛନ୍ତି। ବ୍ରିଟିଶ ସମୟର ନାଜର ନାଳଟିରେ ଥିବା ଭଙ୍ଗା ପୋଲଟି ସେହିଭଳି ମୂକସାକ୍ଷୀ ହୋଇ ରହିଛି। ଏହି ନାଳଟି ଶଙ୍କରପୁରରୁ ବାହାରି ୨୨, ୨୩, ୨୪, ୨୫ ନଂ ୱାର୍ଡ ଦେଇ ଯାଇଥିବାବେଳେ ଏହା ଏବେ ପୋତି ହୋଇଗଲାଣି। କେବଳ ପୌରପାଳିକା ପକ୍ଷରୁ ବ୍ୟୟ ହେଉଥିବା ଅର୍ଥ ବାଟମାରଣାରେ ଯାଉଛି। କିନ୍ତୁ ଏହାର କୌଣସି ସଂସ୍କାର ହୋଇପାରୁନାହିଁ। ଫଳରେ ୪ଟା ୱାର୍ଡବାସୀ ନାହିଁ ନଥିବାର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହିଭଳି ବହୁ ନାଳର ଏବେ ନର୍ଦ୍ଦମା ପାଣି ଯାତାୟତ ନକରିବା ଫଳରେ ଲୋକଙ୍କ ଘରେ ନଳା ପାଣି ପଶି ଚର୍ମରୋଗ ବ୍ୟାପିବାରେ ଲାଗିଲାଣି ବୋଲି ୨୫ନଂ ୱାର୍ଡର ହୃଦାନନ୍ଦ ଘଡେଇ କହିଛନ୍ତି। ସେହିଭଳି ଗତ ବର୍ଷକ ତଳେ ବନ୍ତ ଛକ ଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତାପାଶ୍ୱର୍ରେ ନିର୍ମାଣ ହୋଇଥିବା ଜଳ ନିଷ୍କାସନ ପଥଗୁଡିକ ଏବେ ଆବର୍ଜନାରେ ପୋତି ହୋଇ ଉଠା ମାଛ, ମାଂସ, ପରିବା ଦୋକାନୀଙ୍କ ଭଳି କେତେକ ବ୍ୟବସାୟୀଙ୍କ କବ୍ଜାକୁ ଚାଲିଯାଇଛି। ପୌରପାଳିକା କର୍ତ୍ତୃପକ୍ଷ କେବଳ ଯାହା ଏମାନଙ୍କ ଠାରୁ ବିନା ରସିଦ୍ରେ ଟିକସ ନାମରେ ଅର୍ଥ ଅସୁଲ କରି ମାଲେ ମାଲ ହେବାରେ ଲାଗିଛନ୍ତି। ଏହି ପୌରାଞ୍ଚଳକୁ ସୁନ୍ଦର ସହରରେ ପରିଣତ କରିବା ପାଇଁ ବିଧାୟକ ଶ୍ରୀ ମଲ୍ଲିକଙ୍କ ଉଦ୍ୟମରେ ବହୁ ପ୍ରୟାସ କରାଯାଉଥିଲେ ମଧ୍ୟ ତାହା ପୌର କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଫସର ଫାଟୁଛି। ଗତ କିଛିଦିନ ତଳେ ସହରଟିକୁ ପ୍ରଶସ୍ତ ଓ ସୁନ୍ଦର କରିବା ପାଇଁ ଜବରଦଖଲରେ ଥିବା ଲୋକଙ୍କ ଦୋକାନ ଗୁଡିକୁ ଭଙ୍ଗା ଯାଇଥିଲେ ମଧ୍ୟ, ସେମାନେ ପୁନର୍ବାର ଉକ୍ତ ସ୍ଥାନଗୁଡିକ ନିଜ ଦଖଲକୁ ନେଇସାରିଲେଣି। ଖୋଦ୍ ବିଧାୟକଙ୍କ ନିଜ ୱାର୍ଡଭାବେ ପରିଚିତ ୧୩ନଂ ୱାର୍ଡର ଅପର୍ତ୍ତିବିନ୍ଧା ଛକ ସହରର ମୁଖ୍ୟ ରାସ୍ତା ଷ୍ଟେଟ୍ବ୍ୟାଙ୍କର ପାଚେରୀ ପାର୍ଶ୍ୱ ଅବରୋଧ ମୁକ୍ତ କରାଯାଇଥିବାବେଳେ ଏହା ପୁଣିଥରେ କେତେକ ବ୍ୟବସାୟୀଙ୍କ ଦଖଲକୁ ଚାଲିଯାଇଛି। ସେମାନେ ନିଜର ବ୍ୟବସାୟ ସେଠାରେ ଅସ୍ଥାୟୀ ଭାବେ ଖୋଲି ଚାଲିଛନ୍ତି। ଫଳରେ ବିଧାୟକ ସେଠାରେ ଏକ ମାର୍କେଟ୍ କମ୍ଲେକ୍ସ ନିର୍ମାଣର ଯେଉଁ ଶୁଭ ଦେଇଥିଲେ, ତାହା ଆବର୍ଜନାରେ ପୋତି ହୋଇପଡିଲାଣି। ଏପରିକି ଉକ୍ତ ସ୍ଥାନରେ ଗତ ୬/୭ ଦିନ ହେବ ଏକ ମାଂସ ଦୋକାନ ଖୋଲିଛି। ଏଣୁ ଏ ଦିଗରେ ନୂତନ ଜିଲାପାଳ ଓ ସ୍ଥାନୀୟ ଜନପ୍ରତିନିଧି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.