ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ବେଆଇନ ଗୃହ ନିର୍ମାଣ ଉପରେ ଅଙ୍କୁଶ ଲଗାଇଛି ପ୍ରଶାସନ । ମାଲିକାନା ନଥାଇ ପ୍ରଶାସନ ଅନୁମତି ନନେଇ ବେଆଇନ ଭାବେ ନିର୍ମାଣ କରୁଥିବା ଏକ କାମକୁ ବନ୍ଦ କରିଦେଇଛି ପ୍ରଶାସନ । ଯାହାକୁ ନେଇ ପୈାରପାଳିକାର ନିର୍ମାଣ କାର୍ଯ୍ୟ ସନ୍ଦେହ ଘେରକୁ ଚାଲିଆସିଛି । ନିୟମ ଅନୁଯାଇ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଆଗରୁ ଏଥିନେଇ ବିଧିବଦ୍ଧ ଭାବେ ଟେଣ୍ଡର ଡକାଯିବା ସହିତ ଠିକାଦାରୀ ସଂସ୍ଥାଙ୍କ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥାଏ । ହେଲେ କାଉଁସିଲ ବିହିନ ପୈାରପାଳିକାରେ ଏସବୁର ଖୋଲାଖୋଲି ଉଲଂଘନ କରାଯାଇ ରାଜନୈତିକ ସୁପାରିସ ରେ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବା ଯୋଗୁ ଏହି ଧରଣର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି । ପୌରପାଳିକାର ଏହି ଧରଣର ବେଆଇନ କାର୍ଯ୍ୟ ଯୋଗୁ ଏବେ ପୌରପାଳିକାକୁ ଲକ୍ଷାଧିକ ଟଙ୍କା ଅଯଥାରେ ବରବାଦ କରିବାକୁ ପଡିଛି । ସୁଚନା ଅନୁଯାଇ ଭଦ୍ରକ ପୌରପାଳିକା ୱାର୍ଡ ନଂ ୭ ଗବସାହି ମୌଜାର ସ୍ଥାନୀୟ ଗାୟତ୍ରୀ ମନ୍ଦିର ନିକଟରେ ଜବରଦଖଲରେ ରହିଥିବା ଏକ ସରକାରୀ ଜମି ଉପରେ ପୈାରପାଳିକା ଭୋଲୁପ ଦୃଷ୍ଟି ପଡିଥିଲା । ଏ ସଂର୍ପକରେ ପ୍ରଶାସନ ଅଥବା ରାଜସ୍ୱ ବିଭାଗକୁ ନଜଣାଇ ଜବର ଦଖଲକାରୀଙ୍କୁ ଡରାଇ ଧମକାଇ ତଥା ତାଙ୍କ ସହ ସାଲିସ କରି ଏହି ଜମିର କିଛି ଅଂଶରେ ୭ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଟିଙ୍କ ସକାସେ ଉଦ୍ଧିଷ୍ଟ ଏକ ମାଇକ୍ରୋ ଏକ୍ଟିଭିଟି କେନ୍ଦ୍ର ନିର୍ମାଣ ଆରମ୍ଭ କରିଦେଇଥିଲେ ।
ମାଟିପୋତା,ନିଅଁ ଖୋଳା ଏବଂ ଇଟା ଯୋଡେଇରେ ଅତକମ୍ରେ ଲକ୍ଷାଧିକ ଟଙ୍କା ଖର୍ଚ କରିସାରିବା ପରେ ହଠାତ କୌଣସି ସୁତ୍ରରୁ ଖବର ପାଇ ରାଜସ୍ୱ ବିଭାଗ ଏହି ଜମି ଉପରେ ଯେକୈାଣସି ନିର୍ମାଣ ଉପରେ କଟକଣା ଜାରି କରିଦେଇଥିଲେ । ଏହି ସରକାରୀ ଜମିରେ ରାଜସ୍ୱ ବିଭାଗର ସରକାରୀ କ୍ୱାଟର ନିର୍ମାଣ କରାଯିବା ଦର୍ଶାଇ ପୌରପାଳିକାକୁ ଏଠାରେ କୌଣସି ନିର୍ମାଣ ନକରିବାକୁ ଚେତେଇ ଦେଇଥିଲେ । ଫଳରେ ଏହି ବେଆଇନ ନିର୍ମାଣରୁ ପୌରପାଳିକା ଓହରି ଆସିଥିଲେ ମଧ୍ୟ ଖର୍ଚ ହୋଇଥିବା ଅର୍ଥ ଭରଣା ନେଇ ଏବେ ଅଡୁଆରେ ପଡିଛନ୍ତି ପୌର ଜେଇ । ଗତ ପ୍ରାୟ ୨ ବର୍ଷ ତଳେ ଅନୁରୁପ ଏକ ଘଟଣାକୁ ନେଇ ପୈାରପାଳିକାକୁ ବେଶ ଅପଦସ୍ତ ହେବାକୁ ପଡିଥିଲା । ପୌରପାଳିକାରେ ଅମୃତପାର୍କ ନିର୍ମାଣ ସକାସେ ଯାଗା ମିଳୁନଥିବା ବେଳେ ଏହି ମୌଜାରେ ସ୍ଥାନୀୟ ଦୁର୍ଗା ମଣ୍ଡପ ନିକଟରେ ରହିଥିବା ଏକ ସରକାରୀ ନୟନଜୋରୀକୁ ପୋତି ସେଠାରେ ପାର୍କ ନିର୍ମାଣ ସକାସେ ପୈାରପାଳିକା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ନିର୍ମାଣ ଆରମ୍ଭ ହେଉ ହେଉ ସେଥିରେ କଂଟା ସାଜିଥିଲା ପ୍ରଶାସନ । ପୈାରପାଳିକାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇ ପ୍ରଶାସନ ସେଠାରେ ନିଜର ସାଇନବୋର୍ଡ ଲଗାଇ ଏହା ସରକାରୀ ସଂରକ୍ଷିତ ସ୍ଥାନ ବୋଲି ଚିହ୍ନିତ କରିଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ପୌରପାଳିକା ଯେକୌଣସି ନିର୍ମାଣ କରିବା ଆଗରୁ ସେହି ଯାଗାର ମାଲିକାନା ସ୍ଥିତି ସଂର୍ପକରେ ଅନୁଧ୍ୟାନ ନକରି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପଛରେ ରାଜନୀତି ଅଥବା ପୌରବାସୀଙ୍କ ସ୍ୱାର୍ଥ ଜଡିତ ତାହା ଏବେ ଚର୍ଚାର ବିଷୟ ହୋଇଛି । କାରଣ ପୌରପାଳିକା ଭଙ୍ଗ ଯୋଗୁ ଏବେ ପୌରପାଳିକା ପ୍ରଶାସନିକ କ୍ଷମତାରେ ପରିଚାଳିତ ହେଉଥିଲେ ମଧ୍ୟ ରାଜନୈତିକ ଇଙ୍ଗିତରେ ସବୁକିଛି ପରିଚାଳିତ ହେଉଥିବା ଅଭିଯୋଗ ହେଉଛି । ଯାହାର ପ୍ରତିଫଳନ ଏହି ବେଆଇନ ନିର୍ମାଣ ବୋଲି ସାଧାରଣରେ ଆଲୋଚନା ହେଉଛି ।








