Home ଜିଲ୍ଲା ପରିକ୍ରମା ପୁତ୍ର ହତ୍ୟାକାରୀକୁ ଧୁଷୁରୀ ଥାନା ପୁଲିସ୍ ଘଣ୍ଟ ଘୋଡାଉଛି, କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ପରିବାରଙ୍କ ଏସ୍‌ପିଙ୍କ...

ପୁତ୍ର ହତ୍ୟାକାରୀକୁ ଧୁଷୁରୀ ଥାନା ପୁଲିସ୍ ଘଣ୍ଟ ଘୋଡାଉଛି, କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ପରିବାରଙ୍କ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

27

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ପୁତ୍ରର ହତ୍ୟାକାରୀକୁ ଧୁଷୁରୀ ଥାନା ପୁଲିସ୍ ଗିରଫ ନକରିବା ପ୍ରତିବାଦରେ ଆଜି ଏହି ଥାନା ଅଧୀନସ୍ଥ ନୂଆହାଟ ନସଲାପୁର ଗ୍ରାମର ପଦ୍ମଲୋଚନ ଦାସ ସପରିବାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ । ଏ ସଂପର୍କରେ ଧାରଣାକାରୀ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ତାଙ୍କର ୧୮ ବର୍ଷର କନିଷ୍ଠ ପୁତ୍ର ଧନଞ୍ଜୟକୁ କେହି ହତ୍ୟା କରି ଗାଁ ନିକଟ କେନାଲ ପାଶ୍ୱର୍ ଏକ ଗଛରେ ସେପ୍ଟେମ୍ବର ୨୧ ତାରିଖ ଦିନ ଟାଙ୍ଗିଦେଇଥିଲା । ଏକ ଗାମୁଛାରେ ଧନଞ୍ଜୟର ମୃତଦେହ ଝୁଲୁଥିବାବେଳେ ଦୁଇପାଦ ଭୂମିରେ ଲାଗିଥିବାରୁ ତାକୁ କେହି ହତ୍ୟା କରିଥିବା ନେଇ ସେମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ପୂର୍ବଦନ ରାତିରେ ଧନଞ୍ଜୟର ମୋବାଇଲ୍‌କୁ ଏକ କଲ୍ ବାରମ୍ବାର ଆସିଥିଲା । ଉକ୍ତ ନମ୍ବରକୁ ଯାଞ୍ଚ କରି ତଦନ୍ତ କରାଗଲେ ହତ୍ୟାକାରୀ ଧରାପଡିବ ବୋଲି ପରିବାର ଲୋକେ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କୁ ଗତମାସ ୧୬ ତାରିଖରେ ଅବଗତ କରାଇବା ପରେ ସେ ଥାନା ସହ ଯୋଗାଯୋଗ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ ।

ତେବେ ଆଜି ପରିବାର ଲୋକେ ପୁନର୍ବାର ଏସ୍‌ପିଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ କୋଠାର ଗ୍ରାମର ପ୍ରଶାନ୍ତ ସେଠୀ ଯିଏକି ପୂର୍ବରୁ ଧୁଷୁରୀ ଥାନାର ଗାଡି ଚଲାନ୍ତି, ସେ ଏବେ ଦରଡା ଫାଣ୍ଡିର ଗାଡି ଚଳାଉଛନ୍ତି, ତାକୁ ପୁଲିସ୍ ବାରମ୍ବାର ଡାକୁଥିବାରୁ ପଦ୍ମଲୋଚନକୁ ‘ମାମୁଁ ମୋତେ ରକ୍ଷା ନକଲେ ଚାକିରୀ ଚାଲିଯିବ’ ବୋଲି କହିଥିଲେ । ଏହି ଘଟଣା ପରେ ପଦ୍ମଲୋଚନଙ୍କର ପ୍ରଶାନ୍ତ ଉପରେ ସନ୍ଦେହ ଦୃଢୀଭୂତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଥାନା ଜବତ କରିଥିବା ତାଙ୍କ ପୁତ୍ରର ମୋବାଇଲ୍ ନମ୍ବରକୁ ହତ୍ୟାଦିନ ଓ ଗତ ଏକମାସ ମଧ୍ୟରେ ୧୪୪୭ ଥର କଲ ଆସିଥିବା ମୋବାଇଲ୍‌ଟି ପ୍ରଶାନ୍ତଙ୍କ ପତ୍ନୀ ଲକ୍ଷ୍ମୀଙ୍କର ହୋଇଥିବାରୁ ଏଥିନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ପିତା ପଦ୍ମଲୋଚନ ଦାବି କରିଛନ୍ତି । ଏଥିସହ ପ୍ରଶାନ୍ତ ପୁଲିସ୍ ଗାଡି ଚାଳକ ଥାଇ ବିଭିନ୍ନ ଆଳରେ ଖସିଯିବାର ଆଶଙ୍କା ଥିବାରୁ ହତ୍ୟାଦିନ ସେ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବରକୁ ଯାଞ୍ଚ କରି ଲୋକେସନ ସ୍ଥିର କରିବା ସହ କେଶ୍‌ଟିକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି । ତେବେ ଏସ୍‌ପି ଶ୍ରୀ ଗୁଣ୍ଟୁପାଲି ଏହି ଘଟଣାରେ ଧୁଷୁରୀ ଥାନା ପୁଲିସ୍‌ର ସନ୍ଦେହ ଜନକ କାର୍ଯ୍ୟ ଯୋଗୁଁ ଆଡିସ୍‌ନାଲ ଏସ୍‌ପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.