Home ଓଡ଼ିଶା ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ରାଜ୍ୟ...

ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିବେଦନ

110

ରାଜ୍ୟ ସରକାରଙ୍କ ଅପାରଗତା ଓ ବିଫଳତାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ‘ପିପିଲି-ଡେଲାଙ୍ଗ’ ଅଂଚଳ: ସମୀର ମହାନ୍ତି

ଭୁବନେଶ୍ୱର ୨୪/୦୯ (ଓଡ଼ିଆ ପୁଅ): ରାଜ୍ୟରେ ଶାସକ ବିଜୁ ଜନତା ଦଳ କେବଳ ପ୍ରଚାର ସର୍ବସ୍ୱ। ବାରମ୍ବାର ଘୋଷଣା କରି ସାଧାରଣ ଜନତାଙ୍କୁ ଭୂଆଁ ବୁଲାଇବାରେ ପାରଙ୍ଗମ ରାଜ୍ୟ ସରକାର। ରାଜ୍ୟବାସିଙ୍କୁ ମୈାଳିକ ସୁବିଧା ସୁଯୋଗ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ବଡ ବଡ ଯୋଜନାର ଘୋଷଣା କରନ୍ତି, କିନ୍ତୁ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚି ପାରେ ନାହିଁ। କେନ୍ଦ୍ରୀୟ ଯୋଜନାକୁ ହଡପ୍ ଓ ବାଟମାରଣରେ ସିଦ୍ଧହସ୍ତ ଶାସକ ବିଜେଡି। ରାଜ୍ୟବାସୀଙ୍କ ବିକାଶର ବଡ ବାଧକ ହେଉଛନ୍ତି ରାଜ୍ୟ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ପିପିଲି ଉପ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପ୍ରଚାର ପାଇଁ ଆସି ଶ୍ରୀ ମହାନ୍ତି କହିଛନ୍ତି ଯେ, ଫନୀ ବାତ୍ୟାରେ ବାସଗୃହ ହରାଇଥିବା ଗରୀବ ଲୋକଙ୍କୁ ଗୋଟିଏ ଲେଖାଏଁ ବାସଗୃହ ଯୋଗାଇ ଦେବା କଣ ରାଜ୍ୟ ସରକାରଙ୍କ ଦାୟୀତ୍ୱ ନୁହେଁ ? ଫନୀ ପରର ଯେଉଁ ଦୃଶ୍ୟ ବ୍ୟଥିତ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଫନୀ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ପକ୍କା ଘରକୁ ଦଳୀୟ ଭିତିରେ ଓ ପାତର ଅନ୍ତରରେ ଆବଂଟନ କରାଯାଇ ପ୍ରକୃତ ଗରୀବ ହିତାଧିକାରିଙ୍କୁ ବଂଚିତ କରାଯାଇଛି। ବର୍ତମାନ ସୁଦ୍ଧା ଚାଳ ଓ ଭଙ୍ଗା ଘରେ ଅଂଚଳବାସୀ ରହୁଥିବା ଚିତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ୨୦୧୪-୧୫ ମସିହା ପରେ ମୋଦି ସରକାର ସିଧାସଳଖ ପ୍ରତ୍ୟେକ ପଂଚାୟତର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। କିନ୍ତୁ, ବାସ୍ତବରେ ଏହା ପ୍ରତିଫଳିତ ହୋଇ ନାହିଁ ଏବଂ ଗ୍ରାମାଂଚଳର ବିକାଶ ଆଜି ବହୁ ଦୂରରେ ରହିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଉଭୟ ପିପିଲି-ଡେଲାଙ୍ଗ ବିଧାନସଭା ଏବଂ ରାଜ୍ୟରେ ଶାସକ ବିଜେଡି କ୍ଷମତାରେ ଥିବା ସତ୍ୱେ ଆଜି ଏହି ଅଂଚଳର ସଠିକ ବିକାଶ ହୋଇନାହିଁ। ରାଜଧାନୀ ଭୁବନେଶ୍ୱର ଅନତି ଦୂରରେ ଥିବା ଏହି ଅଂଚଳର ଗରୀବ ହିତାଧିକାରୀମାନେ ବିଭିନ୍ନ କଲ୍ୟାଣମୁଳକ ଯୋଜନାର ସୁଫଳ ପାଇବାରୁ ବଂଚିତ ହେବା ରାଜ୍ୟ ସରକାରଙ୍କ ଅପାରଗତା ଓ ବିଫଳତାର ସର୍ବଶ୍ରେଷ୍ଠ ଉଦାହରଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଦୀର୍ଘ ବର୍ଷ ଧରି ପିପିଲି-ଡେଲାଙ୍ଗ ଅଂଚଳବାସୀଙ୍କ ସାମ୍ବିଧାନିକ ଅଧିକାରକୁ ଦଳି ଚକଟି ହତ୍ୟା କରାଯାଇଛି। ଅଂଚଳବାସିଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ହକ୍‌ରୁ ବଂଚିତ ରଖାଯାଇଛି। ଗଣତନ୍ତ୍ରରେ କେହି ଅପରାଜେୟ ନୁହେଁ। ପିପିଲି-ଡେଲାଙ୍ଗ ଅଂଚଳବାସୀ ପରିବର୍ତ୍ତନ ପାଇଁ ନିଷ୍ପତି ନେଇସାରିଛନ୍ତି। କୈାଣସି ବାହୁବଳ, ଅର୍ଥବଳ ପ୍ରଭାବିତ କରି ପାରିବ ନାହିଁ। ଜନତା ହେଲେ ମାଲିକ୍‌, ଜନତା ଯେଉଁଦିନ ନିଷ୍ପତି ନେବେ ସେହି ଦିନ ପରିବର୍ତ୍ତନ ସମ୍ଭବ ହେବ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି।

ଏହି ପ୍ରଚାର ଅବସରରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.