ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ଥାନା ଅର୍ନ୍ତଗତ ପଳାଶପୁର ବଳସାହି ଠାରେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ମିଳିଥିବା ଖବର ଅନୁଯାୟୀ ପଳାଶପୁର ବଳସାହି ଠାରେ ଥିବା ସୁଦର୍ଶନ ପଢିଆରୀଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଯିବାରୁ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀ ମାନେ ବିଦ୍ୟୁତ ଲାଇନ କାଟି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ର ପ୍ରକୋପ କୁ ଦେଖି ନିଆଁକୁ ଆୟତ କରି ପାରି ନଥିଲେ । ନିକଟରେ ଥିବା ଗଦି ଦମକଳ ବାହିନୀ ଏବଂ ଚାନ୍ଦବାଲି ଦମକଳ ବାହିନୀକୁ ଖବର ଦେଇଥିଲେ ମଧ୍ୟ ବହୁ ସମୟ ବିଳମ୍ବରେ ଗଦି ଦମକଳ ବାହିନୀ ଆସି ପହଂଚିଥିଲା । ମାତ୍ର ସେତେବେଳକୁ ସୁଦର୍ଶନ ପଢିଆରୀଙ୍କ ୪ବଖରା ଘର ସଂପୂର୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ସେହିଭଳି ବାଂଶଡା ଥାନା ଅର୍ନ୍ତଗତ କରଞ୍ଜମାଳ ପଂଚାୟତରେ ଥିବା ମୁନିପଦା ଗ୍ରାମରେ ନିଆଁଲାଗି ୫ବଖରା ଘର ପୋଡି ଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ମୁନିପଦା ଠାରେ ଥିବା ବିନୋଦ ମାଝୀଙ୍କ ପରିବାର ଗତକାଲି ରାତ୍ରିରେ ଖାଇ ସାରିବା ପରେ ବିଶ୍ରାମ ନେଉଥିଲେ । ମଧ୍ୟରାତ୍ରିରେ ତାଙ୍କ ଘରେ ନିଆଁ ଲାଗି ୫ବଖରା ଘର ସଂପୂର୍ଣ ପୋଡି ଯାଇଛି । ନିଆଁ କେମିତି ଲାଗିଲା ସେ ନେଇ ଖବର ଅସ୍ପଷ୍ଟ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ କହିବାନୁଯାୟୀ ବିନୋଦ ମାଝୀଙ୍କ ପରିବାର ନିଦରେ ଶୋଇଯାଇଥିବା ବେଳେ ଗ୍ରାମବାସୀ ନିଆଁ ଲାଗିଛି ଦେଖି ବିନୋଦଙ୍କ ପରିବାରକୁ ଡାକ ପକାଇଥିଲେ । ନିଆଁର ପ୍ରକୋପ ଏତେ ବ୍ୟାପକ ଥିଲା ଯେ ଗ୍ରାମବାସୀ ମାନେ ବିନୋଦଙ୍କ ଘର ମଧ୍ୟରୁ କୌଣସି ଆସବାବପତ୍ର ତଥା ବ୍ୟବହାର ସାମଗ୍ରୀ କିଛି କାଢି ପାରି ନଥିଲେ । ନିଆଁରେ ଘର ସାମଗ୍ରୀ ସମେତ ଘରେ ଥିବା କଂସା ବାସନ,ଧାନ ଚାଉଳ,ପିନ୍ଧା ଲୁଗା ସମେତ ଜମିବାଡି କାଗଜପତ୍ର ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଥିଲା । ପରେ ଧାମରାରୁ ଅଗ୍ନିଶମ ବାହିନୀ ଯାଇ ପହଂଚିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ତେବେ ଉଭୟ ଗ୍ରାମର ଗ୍ରାମବାସୀ ମାନେ ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବୀ କରିଛନ୍ତି ।